ମହାନଦୀରେ ଆସୁଛି ବନ୍ୟା: ହୀରାକୁଦ ନଦୀବନ୍ଧର ୨୫ଟି ଗେଟ୍ ଖୋଲା, ୧୧ ଜିଲ୍ଲାକୁ ସତର୍କ କରାଇଲେ ସରକାର

88

କନକ ବ୍ୟୁରୋ: ମହାନଦୀରେ ବନ୍ୟା ଆଶଙ୍କା । ଗତକାଲି ସନ୍ଧ୍ୟାରୁ ହୀରାକୁଦରୁ ୨୫ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ପୂର୍ବରୁ ୨୦ଟି ଗେଟ ଦେଇ ବନ୍ୟା ଜଳ ଛଡାଯାଉଥିଲା । ମହାନଦୀ ଅବବାହିକାରେ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସମ୍ବଲପୁର ତଳିଆ ଅଂଚଳ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଏସଆରସି କହିଛନ୍ତି ।

ଆଜି ସକାଳେ ୮ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳୀ ଦେଇ ପ୍ରବାହିତ ହେବ ବୋଲି ଏସଆରସି କହିଛନ୍ତି ।ଗତକାଲି ସନ୍ଧ୍ୟାରେ ୬ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳି ଦେଇ ପ୍ରବାହିତ ହେଉଥିଲା ।ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ଉପରମୁଣ୍ଡରୁ ଆସୁଥିବା ବନ୍ୟା ଜଳ, ତଳମୁଣ୍ଡରେ ପ୍ରବାହିତ ବନ୍ୟା ଜଳ ଓ ମହାନଦୀ ତ୍ରିକୋଣଭୂମିରେ ବର୍ଷାର ପରିମାଣକୁ ବିଚାରକୁ ନେଇ ହୀରାକୁଦ ନଦୀବନ୍ଧରୁ ଜଳ ନିଷ୍କାସନ ନିଷ୍ପତ୍ତି ନିଆଯାଇଛି। ହୀରାକୁଦର ଜଳପତ୍ତନ ଗତକାଲି ମଧ୍ୟାହ୍ନ ସୁଦ୍ଧା ୬୨୨.୩୧ ଫୁଟ ଥିଲା। ଆଜି ସୁଦ୍ଧା ହୀରାକୁଦକୁ ସେକେଣ୍ଡ ପ୍ରତି ୫ଲକ୍ଷ କ୍ୟୁସେକ୍‌ ବନ୍ୟା ଜଳ ପ୍ରବେଶ କରିବ। ଏଣୁ ସ୍ଥିତି ଗମ୍ଭୀର ହୋଇପାରେ। ଏଣୁ ଏହି ଜଳ ପହଞ୍ଚିବା ପୂର୍ବରୁ ହୀରାକୁଦର ଜଳପତ୍ତନକୁ ଆୟତ୍ତକୁ ଆଣିବା ଲାଗି ୨୫ଟି ଗେଟ୍‌ ଖୋଲାଯାଇଛି। ଏହା ମାଧ୍ୟମରେ ୪ଲକ୍ଷ ୮ ହଜାର ୫୦୬ ଘନଫୁଟ ଜଳ ନିଷ୍କାସନ କରାଯାଉଛି। ଏହି ସମୟରେ ହୀରାକୁଦ ମଧ୍ୟକୁ ପ୍ରାୟ ୨ଲକ୍ଷ ୯୮ ହଜାର ଘନଫୁଟ ଜଳ ପ୍ରବେଶ କରୁଛି। ଉପରମୁଣ୍ଡରେ ବର୍ଷା କମିଛି। ଛତିଶଗଡ଼ କର୍ତ୍ତୃପକ୍ଷ ଯଦି ଠିକଣା ଢଙ୍ଗରେ ଜଳ ପରିଚାଳନା କରନ୍ତି, ତେବେ ବଡ଼ ବନ୍ୟା ସ୍ଥିତିକୁ ରୋକାଯାଇପାରିବ।

ସାଧାରଣତଃ ଖଇରମାଳ ପାଣି ୨୮ ଘଣ୍ଟା ମଧ୍ୟରେ ମୁଣ୍ଡଳି ପହଞ୍ଚିବ। ଏଣୁ ଆଜି ଅପରାହ୍ନ ପରେ ମହାନଦୀରେ ୭ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ। ମହାନଦୀର ନରାଜ ଠାରେ ବିପଦ ସଙ୍କେତ ୨୬.୪୧ ମିଟର ରହିଛି। ଏଠାରେ ଗତକାଲି ରାତି ୯ଟା ସୁଦ୍ଧା ବିପଦ ସଙ୍କେତ ତଳେ ଅର୍ଥାତ୍‌ ୨୫.୬୩ ମିଟର ଉପରେ ଜଳ ପ୍ରବାହିତ ହେଉଛି। ଆଜି ଅପରାହ୍ନରେ ମହାନଦୀ ବିପଦ ସଙ୍କେତ ଅତିକ୍ରମ କରିପାରେ। ଉଲ୍ଲେଖଯୋଗ୍ୟ, ମହାନଦୀର ଉପର ଓ ଠିକ୍‌ ତଳମୁଣ୍ଡରେ ଗତ ଦୁଇଦିନ ଧରି ବଡ଼ ବର୍ଷା ହୋଇଛି। ଏହାର ପରିଣାମରେ ଛତିଶଗଡ଼ରୁ ବନ୍ୟା ଜଳ ଛଡାଯାଇଛି। ଏପଟେ ତେଲ ଦେଇ ମଧ୍ୟ ୪ଲକ୍ଷ କ୍ୟୁସେକ୍‌ ଜଳ ମହାନଦୀରେ ପ୍ରବେଶ କରୁଥିଲା। ଏବେ ତେଲ ନଦୀରେ ଜଳ କମିବାରେ ଲାଗିଛି।