ଲଗାଣ ବର୍ଷାରେ ଦକ୍ଷିଣ ଓଡିଶାରେ ବନ୍ୟା ପରିସ୍ଥିତି: କେଉଁଠି ଧୋଇଗଲାଣି ରାସ୍ତା ତ ପୁଣି କେଉଁଠି ଟ୍ରେନଟ୍ରାକ ଉପରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ପାଣି

51

କନକ ବ୍ୟୁରୋ: ମାଟି ଅତଡା ଖସିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କାକିରିଗୁମା ମଧ୍ୟରେ ମାଟି ଅତଡ଼ା ଖସିବାରୁ ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟିଟଲାଗଡରୁ ରାୟଗଡା ଏବଂ ରାୟଗଡାରୁ କୋରାପୁଟକୁ ଯାଉଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି । ସମ୍ବଲପୁର-କୋରାପୁଟ ପାସେଂଜର, ଜୁନାଗଡ ରୋଡ୍-ଲାଂଜିଗଡ ରୋଡ୍ ପାସେଂଜର, ସମ୍ବଲପୁର-ଜୁନାଗଡ ରୋଡ୍ ପାସେଂଜର, ରାୟପୁର-କେସିଙ୍ଗା ପାସେଂଜର, ରାୟଗଡା-ସମ୍ବଲପୁର ଏକ୍ସପ୍ରେସ, କୋରାପୁଟ-ସମ୍ବଲପୁର ପାସେଂଜର, ସମ୍ବଲପୁର-ରାୟଗଡା ଏକ୍ସପ୍ରେସ, ବିଶାଖପାଟଣା-ରାୟପୁର ପାସେଂଜର, ରାୟପୁର-ବିଶାଖପାଟଣା ପାସେଂଜର, ବିଶାଖପାଟଣା-ଦୁର୍ଗ ପାସେଂଜର, ଜଗଦଲପୁର-ହାଓଡା ସମଲେଶ୍ୱରୀ ଏକ୍ସପ୍ରେସ, ରାୟଗଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସକୁ ବାତିଲ କରାଯାଇଛି । ଏହି ଟ୍ରେନ୍ ସବୁ ବାୟାଗୁଡ଼ା, କାକିରିଗୁମା, ଲକ୍ଷ୍ମୀପୁର ଷ୍ଟେସନ ଗୁଡିକରେ ଅଟକି ରହିଛି । ଟ୍ରେନ ଲାଇନରୁ ମାଟି କାଢ଼ିବା କାମ ଜାରି ରହିଛି । ଲଗାଣ ବର୍ଷା ଲାଗିି ରହିଲେ ମାଟି ଅତଡ଼ା ଆହୁରି ଖସିବାର ଆଶଙ୍କା କରାଯାଉଛି । ଯାହାର ପ୍ରଭାବ ଟ୍ରେନ ଚଳାଚଳ ଉପରେ ପଡ଼ିବ ବୋଲି କୁହାଯାଉଛି ।

ସେପଟେ, ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଜିଲ୍ଲାର ଅନେକ ଅଂଚଳ ଜଳମଗ୍ନ ହୋଇପଡିଛି । ତଳିଆ ଅଂଚଳରେ ବିଭିନ୍ନ ଜନବସତି ଭିତରକୁ ପାଣି ପଶିଯାଇଛି । ଘର ଭିତରେ ଅଂଟାଏ ପାଣି ପଶିବା ଯୋଗୁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ରାସ୍ତା ଘାଟରେ ପାଣି ଜମି ରହିବା ଦ୍ୱାରା ଯାତାୟତରେ ମଧ୍ୟ ସମସ୍ୟା ଦେଖା ଦେଇଛି । ଯୋଗାଯୋଗ ବିଛିନ୍ନ ହୋଇ ପଡିଥିବାରୁ ଅନେକ ସ୍ଥାନରେ ଭୋକ ଉପାସରେ ରହିଛନ୍ତି ଲୋକ । ରାସ୍ତା ମଧ୍ୟ ଧୋଇହୋଇଯାଇଛି । ଏପରିକି ପିଇବା ପାଣି ନେଇ ମଧ୍ୟ ସମସ୍ୟା ଭୋଗୁଛନ୍ତି ପାଣି ଘେରରେ ରହିଥିବା ଲୋକେ । ଜିଲ୍ଲାରେ ବିଭିନ୍ନ ନଦୀରେ ଜଳସ୍ତର ବୃ୍ଦ୍ଧି ପାଇବାରେ ଲାଗିଛି ।

ଇନ୍ଦ୍ରାବତୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହାତୀ ବ୍ୟାରେଜ୍ର ୫ଟି ଗେଟ୍ ଖୋଲାଯାଇଛି । ସେକେଣ୍ଡ ପ୍ରତି ୪୪୨ କ୍ୟୁସେକ୍ ଜଳ ଛଡାଯାଉଛି । ଅନ୍ୟପଟେ ଜୁନାଗଡର ବିଭିନ୍ନ ୱାର୍ଡରେ ବନ୍ୟା ପାଣି ପଶିଯାଇଥିବା ବେଳେ ଥୁଆମୂଳ ରାମପୁର ଓ କଲମପୁର ମଧ୍ୟରେ ଯୋଗେଯାଗ ବିଚ୍ଛିନ୍ନ ହୋଇପଡିଛି । ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ୨୦୮ ଦଶମିକ ୫ ମିଲିମିଟର ବର୍ଷା ହୋଇଥିବା ବେଳେ ଜୟପାଟଣାରେ ୧୫୦ ମିଲିମିଟର, କଲମପୁରରେ, ୧୩୭ ମିଲିମିଟର ଓ ଜୁନାଗଡରେ ୭୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ରାଜ୍ୟରେ ଦୁଇ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ରାୟଗଡ଼ାରେ ବନ୍ୟା ପରିସ୍ଥିତି । ଅମ୍ବାଦଳା ବଂଶଧାରା ବ୍ରିଜ ଉପରେ ୫ଫୁଟର ବନ୍ୟାପାଣି ପ୍ରବାହିତ ହୋଇଛି । ସାଧାରଣାରେ ଯାତାୟତ ଠପ ହୋଇପଡ଼ିଛିି । ରାୟଗଡ଼ା-ଭବାନୀପାଟଣାକୁ ଯୋଗାଯୋଗ ବିଚ୍ଚିନ୍ନ ହୋଇଛି । ରାସ୍ତାର ଉଭୟ ପାଶ୍ୱରେ ଗାଡି ଅଟକି ରହିଛି । ସ୍କୁଲ ବସ ଅଟକି ରହିଥିବାରୁ ଛାତ୍ରଛାତ୍ରୀ ଶିକ୍ଷକମାନେ ସ୍କୁଲ ଯାଇପାରିନାହାନ୍ତି ।

ଲଗାଣ ବର୍ଷା ଫଳରେ ନବରଙ୍ଗପୁରରେ ବି ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଅନେକ ଅଂଚଳ ଜଳମଗ୍ନ ହୋଇପଡିଛି । ଏପରିକି ପୋଲ ଉପରେ ବି ପ୍ରବାହିତ ହେଉଛି ବନ୍ୟାଜଳ । ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକରେ ଦହଣା ନିକଟରେ ଥିବା ବାଙ୍ଗିରି ବ୍ରିଜ୍ ଉପର ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତା ଦେଇ ଇନ୍ଦ୍ରାବତୀ ଓ ଜିଲ୍ଲା ସଦର ମହକୁମାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଇନ୍ଦ୍ରାବତୀ, ଦହଣା, ଦିଗିସଲାପା, ଜଗନ୍ନାଥପୁର, ଅଂଟସର, ଝାଡବନ୍ଧଗୁଡା, ମାଳିଗୁଡା, ଉସୁରିପଦର, ନୂଆଗାଁ, ମେରନାଶକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।