ମୁକୁଳା ପଡିଛି ବୈତରଣୀ ନଦୀ ବନ୍ଧ : ଚଳିତ ବର୍ଷ ନଦୀରେ ବନ୍ୟା ଜଳ ଆସି କେନ୍ଦୁଝର ହାଟଡିହୀ ବ୍ଲକର ଅନେକ ଗାଁ ଜଳମଗ୍ନ

44

କନକ ବ୍ୟୁରୋ : ବୈତରଣୀ ନଦୀରେ ବନ୍ୟା ଜଳ ଆସିବା ପରେ ଆତଙ୍କିତ କେନ୍ଦୁଝର ହାଟଡିହୀ ବ୍ଲକର ସମଣା ଗାଁ ବାସିନ୍ଦା । ବନ୍ୟା ଜଳ ଦେଖି ଲୋକଙ୍କ ନିଦ ହଜିଯାଇଛି । କେବଳ ସମଣା ଗାଁ ନୁହେଁ, ୪୩ଟି ଗାଁର ୧୦ ହଜାରରୁ ଅଧିକ ଲୋକ ଆତଙ୍କିତ ଅବସ୍ଥାରେ । ଗୋଟେ ପଟେ ନିମ୍ନମାନର ନଦୀ ବନ୍ଧ ଓ ଅନ୍ୟ ପଟେ ମୁକୁଳା ନଦୀ ବନ୍ଧ ଯୋଗୁଁ ସମଗ୍ର ଗାଁ ବୈତରଣୀ ନଦୀ ଗର୍ଭରେ ଲୀନ ହେବାର ସମ୍ଭାବନା ଦେଖାଦେଇଛି ।

ତରଭା ଠାରୁ ସମଣା ଯାଏ ପାଖାପାଖି ୬ କିଲୋମିଟର ମୁକୁଳା ନଦୀ ବନ୍ଧ ପଡିଛି । ଚଳିତ ବର୍ଷ ବନ୍ୟାରେ ଆୟତପୁର ପଂଚାୟତର ରାଘବପୁର,ନୂଆ ଗାଁ, ସମଣା ପଂଚାୟତର ଚାପୁଣ୍ଡିଆ ନିକଟ ରାସ୍ତା ବୁଡିଯିବାରୁ ବିଭିନ୍ନ ଗାଁକୁ ଯୋଗାଯୋଗ ବିଚ୍ଚିନ୍ନ ହୋଇଥିଲା । ଅନେକ ଗାଁ ପାଣି ଘେରରେ ରହିଥିଲା । ତେବେ ୨୦୧୧ ମସିହା ପରି ଯଦି ବନ୍ୟା ଆସେ ଏହି ଅଂଚଳରେ ଯେ ବ୍ୟାପକ କ୍ଷୟକ୍ଷତି ଘଟିବ ଏଥିରେ ସନ୍ଦେହ ନାହିଁ ।

ପ୍ରତିବର୍ଷ ବନ୍ୟା ଆସିଲେ ଏହି ନଈ କୂଳିଆ ବାସିନ୍ଦା ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବୈତରଣୀ ନଦୀରେ ବନ୍ୟା ଜଳ ଆସି ଗାଁ ଲୀନ ହେବା ଆଗରୁ ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।