ପାଣିରେ ବୁଡିଲା ଗାଁ ! କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ସ୍ଥିତି ଉଦବେଗଜନକ . . ବାହ୍ୟଜଗତରୁ ବିଚ୍ଛିନ୍ନ କେନ୍ଦ୍ରାପଡ଼ାର ୧୭ ପଂଚାୟତ

41

କନକ ବ୍ୟୁରୋ : ବିପତ୍ତି ଆଣିଲା ବ୍ରାହ୍ମଣୀ । ବନ୍ୟା ଜଳରେ ଉବୁଟୁବୁ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲା । ଶହ ଶହ ଲୋକ ଏବେବି ଜଳବନ୍ଦୀ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ତଳିଆ ଅଂଚଳ । ୬ ଦିନ ହେଲା ବନ୍ୟା ବିପନ୍ନଙ୍କ ଘରେ ଚୁଲି ଜଳିନି । କେବେ ପାଣି କମିବ ତାକୁ ଅପେକ୍ଷା କରିଛନ୍ତି ନଇକୂଳିଆ ବାସୀ । ସେପଟେ ଯେଉଁଠି ନଦୀର ବନ୍ୟା ଜଳ କମିଛି ସେଇଠି ବଢିଛି ଲୋକଙ୍କ ଦୁର୍ଦ୍ଦଶା ।

ଘରୁ ବାହାରିବାକୁ ରାସ୍ତା ନାହିଁ । ଚାରିଆଡେ ଖାଲି ପାଣି ଆଉ ପାଣି । ଘେରାବନ୍ଦୀ ଜୀବନ । କେଉଁଠି ଘର କାନ୍ଥ ଭୁଶୁଡିଯାଇଛି ତ ଆଉକେଉଁଠି ଧୋଇଯାଇଛି ସବୁକିଛି । ଗାଁ ଗାଁରେ ବନ୍ୟା ଜଳର ସୁଅ । କେନ୍ଦ୍ରାପଡାରେ ବିପତ୍ତି ଆଣିଛି ବ୍ରାହ୍ମଣୀ । ଜିଲ୍ଲାର ଆଳି ଓ ପଟାମୁଣ୍ଡାଇର ଅବସ୍ଥା ବେହାଲ । ପାଣି ଘେରରେ ରହିଛି ୧୭ ଟି ପଂଚାୟତର ୮୫ ରୁ ଅଧିକ ଗାଁ ।

ଅନ୍ୟପଟେ ବନ୍ଦୀ କରିଛି ବନ୍ୟା । ବ୍ରାହ୍ମଣୀର ବନ୍ୟା ଜଳରେ ଉବୁଟୁବୁ ଯାଜପୁର । ନଦୀର ବଢିପାଣିରେ ପ୍ରଭାବିତ ହୋଇଛି ୯ଟି ବ୍ଲକ୍ । ୫୨ଟି ପଂଚାୟତର ୧୧୨ଟି ଗାଁ ଜଳବନ୍ଦୀ । କେଉଁଠି ନଦୀବନ୍ଧ ଧୋଇଯାଇଛି ତ ଆଉ କେଉଁଠି ଭୁଶୁଡିପଡିଛି ବ୍ରିଜ୍ । ସ୍ଥାନେ ସ୍ଥାନେ ଘାଇ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ତଳିଆ ଅଂଚଳର ଅନେକ ଗାଁ । ଯେଉଁଠି ଏବେବି ପ୍ରଶାସନ ପହଁଚିପାରିନି ।

ସେପଟେ ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା ସୂଚନା ଦେଇଛନ୍ତି ଡେପୁଟି ଏସ୍ଆରସି । ବନ୍ୟା ପ୍ରଭାବିତ ଗାଁକୁ ଡଙ୍ଗା ଏବଂ ରିଲିଫ୍ ପ୍ରଦାନ କରାଯାଇଛି । ବନ୍ୟାର କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି ଏବଂ ଖୁବଶୀଘ୍ର କେନ୍ଦ୍ରକୁ ରିପୋର୍ଟ ପଠାଯିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାର ଜଳସ୍ତର କମୁଥିଲେ ବି ସ୍ଥିତିରେ ସୁଧାର ଆସିନି ।