କେଉଁଠି ବର୍ଷା ଆଣିଲା ବନ୍ୟା ଆଉ କେଉଁଠି ବିନା ବର୍ଷାରେ ମରୁଡି । ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ନଦୀରେ ପାଣି ଆସି ଧୋଇଗଲା ୩ ପୋଲ ।

329

କନକ ବ୍ୟୁରୋ : କେଉଁଠି ବର୍ଷା ଆଣିଲା ବନ୍ୟା ଆଉ କେଉଁଠି ବିନା ବର୍ଷାରେ ମରୁଡି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ବର୍ଷା ଲାଗି ରହିଛି । ସ୍ଥିତି ଏପରି ହୋଇଛି ଯେ ଲଗାଣ ବର୍ଷା ଯୋଗୁଁ କେତେକ ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଏବଂ ବରଗଡରେ ଗତକାଲି ରାତିରୁ ପ୍ରବଳ ମାତ୍ରାରେ ବର୍ଷା ହେଉଛି । ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି । କେଉଁଠି ପୋଲ ଉପରେ ତ ଆଉ କେଉଁଠି ରାସ୍ତା ଉପରେ ବୋହୁଛି ପାଣି । ବିଚ୍ଛିନ୍ନ ହୋଇଯାଇଛି ଯୋଗାଯୋଗ । ସେପଟେ ଆହୁରି ୬ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଂଟା ପାଇଁ ୯ଟି ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ବରଗଡ : 
ବରଗଡକୁ ବର୍ଷା କରିଛି ବେହାଲ । ରବିବାର ରାତିରୁ ଲାଗି ରହିଥିବା ବର୍ଷା ଯୋଗୁଁ ଧନୁଯାତ୍ରାରେ ଯମୁନା ପାଲଟୁଥିବା ଜୀରା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀର ଜଳସ୍ତର ବୃଦ୍ଧି ପାଇ ରାସ୍ତା ଉପରେ ପ୍ରବାହିତ ହେଉଛି । ରାସ୍ତା ଉପରେ ପାଣିର ସୁଅ ପଡିଥିବାରୁ ବରଗଡ-ଅମ୍ବାପାଲ୍ଲିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲୋକେ ୫ କିଲୋମିଟର ରାସ୍ତା ବୁଲି ବରଗଡରୁ ଅମ୍ବାପାଲ୍ଲି ଯା’ଆସ କରୁଛନ୍ତି ।

ମାଲକାନଗିରି :
ମାଲକାନଗିରିରେ ବର୍ଷା ବିତ୍ପାତ । ପୋଲ ଉପରେ ବହୁଛି ପାଣି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲିଲା ମାଲକାନଗିରିର ବିଭିନ୍ନ ନଦୀ । ପୋଟେରୁ ନଦୀର ଜଳସ୍ତର ବଢ଼ିବା ସହ ବନ୍ୟା ଆସିବାରୁ କାଲିମେଳାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର କଙ୍ଗୁରକୋଣ୍ଡା ପୋଲ ଉପରେ ୪ଫୁଟ ଉଚ୍ଚର ପାଣି ବହୁଛି । ଫଳରେ ମାଲକାନଗିିରିରୁ କାଲିମେଳା ଓ ମାଲକାନଗିରିରୁ-ମୋଟୁକୁ ଯୋଗାଯୋଗ ବ୍ୟାଘାତ ହୋଇଛି । ସେହିପରି କନ୍ୟାଶ୍ରମ ନଦୀ ପୋଲ ଉପରେ ବି ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିଲା ।

ନବରଙ୍ଗପୁର :
ନବରଙ୍ଗପୁରକୁ ବେହାଲ କରିଛି ବର୍ଷା । ପ୍ରବଳ ବର୍ଷିଲା, ଘରଦ୍ୱାର ଭାଙ୍ଗିଲା । ନବରଙ୍ଗପୁରରେ ରବିବାର ରାତିରୁ ବର୍ଷୁଛି ଯେ ବର୍ଷୁଛି । ମୁସଳ ଧାରାରେ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ସହରର ବିଭିନ୍ନ ସାହିରେ ଲୋକଙ୍କ ଘରେ ବର୍ଷା ପାଣି ପଶି ଯାଇଛି । ଭାଟିଶାଳଗୁଡା ଓ ଇଚ୍ଛାବତୀଗୁଡାରେ ଘରଦ୍ୱାର ଭାଙ୍ଗି ଦେଇଛି ଲଘୁଚାପ ବର୍ଷା । କେବଳ ଘରଦ୍ୱାର ଭାଙ୍ଗିଛି ତା ନୁହେଁ ଗମନାଗମନ ମଧ୍ୟ ଠପ୍ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଲେଜ ଓ କୋର୍ଟକୁ ସଂଯୋଗ କରୁଥିବା ରାସ୍ତାରେ ପାଣିର ସୁଅ ପଡିବାରୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

କୋରାପୁଟ :
କୋରାପୁଟ ରାସ୍ତାରେ ଭାସିଗଲା ଗାଡି । ବାହ୍ୟଜଗତରୁ ବିଚ୍ଛିନ୍ନ ପନ୍ଦର ପଂଚାୟତ । ବିଳମ୍ବରେ ହେଉ ପଛେ କୋରାପୁଟରେ ପ୍ରବଳ ବର୍ଷିଛି । ବୋରିଗୁମ୍ମାରେ ୧୪୯ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ବୋରିଗୁମ୍ମା ବ୍ଳକ ଓ ପୁରୁଣା ବୋରିଗୁମ୍ମାକୁ ସଂଯୋଗ କରୁଥିବା ସିଙ୍ଗାରି ନଦୀ ପୋଲ ଉପରେ ୪ ଫୁଟର ପାଣି ବହିବାରୁ ୧୫ଟି ପଚାଂୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କୈଲାରି ପୋଲ ଉପରେ ମଧ୍ୟ ୩ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଗାଡି ଭାସି ଯିବାର ଚିତ୍ର ସାମ୍ନାକୁ ଆସିଛି । ବର୍ଷା ଫଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେର୍ଶ ଦେଇଛନ୍ତି ଜିଲ୍ଲାପାଳ ।