କୂଳ ଖାଉଛି ବୌଦ୍ଧ ମହାନଦୀ : ଭୟ ଓ ଆତଙ୍କରେ ନଦୀ କୂଳିଆ ବାସିନ୍ଦା

54

କନକ ବ୍ୟୁରୋ : କୂଳ ଲଙ୍ଘୁଛି ମହାନଦୀ । ପ୍ରତିବର୍ଷ ବନ୍ୟାରେ କୂଳ ଖାଉଥିବାରୁ ଭୟ ଓ ଆତଙ୍କରେ ନଦୀ କୂଳିଆ ବାସିନ୍ଦା । ପୂର୍ବରୁ ଅନେକ ଗାଁ ଗଣ୍ଡା ମହାନଦୀରେ ଲୀନ ହୋଇଯାଇଥିବା ସତ୍ୱେ ଚେତୁନି ପ୍ରଶାସନ କି ଚେତୁନାହାଁନ୍ତି ସ୍ଥାନୀୟ ଲୋକ ପ୍ରତିନିଧି । ନଇକୂୂଳିଆ ବାସିନ୍ଦାଙ୍କୁ ଦୁଃଖ ଦେଖି ମଧ୍ୟ ସମସ୍ତେ ନୀରବ । ଏହା ହେଉଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଠାରୁ ମାରଡା ପର୍ଯ୍ୟନ୍ତ ପ୍ରବାହିତ ହେଉଥିବା ମହାନଦୀ ।

ଛତିଶଗଡର ବ୍ୟାରେଜ ଯୋଗୁଁ ଖରା ଦିନେ ଶୁଖିଲା ପଡିଥିବା ମହାନଦୀରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଭରି ଯାଇଛି ମହାନଦୀ । ବୌଦ୍ଧ ଜିଲ୍ଲାର ମନମୁଣ୍ଡାରେ ତେଲନଦୀରେ ମହାନଦୀ ମିଶିବା ସହ ସେଇଠାରୁ ମାରଡା ପର୍ଯ୍ୟନ୍ତ ବହି ଯାଇଛି । ଫଳରେ ବର୍ଷା ଦିନ ଆସିଲେ ନଦୀକୂଳିଆ ବାସିନ୍ଦାଙ୍କ ମନରେ ଛନକା ପସେ । କାହିଁକିନା ପ୍ରତି ବର୍ଷ ବନ୍ୟା ସମୟରେ ମହାନଦୀ କୂଳ ଲଙ୍ଘି ଚାଷବାସ ସବୁ କିଛି ନିଜ ଗର୍ଭକୁ ନେଇଯାଏ । ଏ ବର୍ଷ ମଧ୍ୟ ମହାନଦୀ କୂଳ ଖାଉଛି, ତେଣୁ ହରଭଙ୍ଗା ବ୍ଲକର ତଳିଆ ଅଂଚଳ ଗୁଡିକରେ ଭଗବାନଙ୍କ ଭରସାରେ ଜୀବନ ବିତାଉଛନ୍ତି ଜନତା ।

ବନ୍ୟା ବିପନ୍ନଙ୍କ ସୁରକ୍ଷା ଦୃଷ୍ଟିରୁ ମହାନଦୀ କୂଳରେ ରିଙ୍ଗ ରୋଡ୍ ନିର୍ମାଣ ପାଇଁ ଆସିଥିବା ଅନୁଦାନ ସ୍ଥାନୀୟ ନେତା, ପ୍ରଶାସନ ଏବଂ ବିଭାଗୀୟ କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଫେରି ଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଜଳସଂପଦ ବିଭାଗ କାଁ ଭାଁ କେଉଁଠି ବନ୍ୟା ସୁରକ୍ଷା ପାଚେରୀ କରି କାଗଜ କଲମରେ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି । ସେପଟେ ସାମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ସବୁପ୍ରକାର ବନ୍ଦୋବସ୍ତ କରିବା ସହ ସଜାଗ ଥିବା କହିଛନ୍ତି ଜଳସଂପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ।

ବୌଦ୍ଧ ଜିଲ୍ଲାରୁ ବିଭିନ୍ନ ସମୟରେ ଜନପ୍ରତିନିଧି ସରକାରରେ ମନ୍ତ୍ରୀ, ବାଚସ୍ପତି ଭଳି ବଡ ବଡ ପୋର୍ଟ ଫୋଲିଓ ପାଇ ଆସୁଥିଲେ ମଧ୍ୟ ଜିଲ୍ଲାରେ ଉପୁଜୁଥିବା ବନ୍ୟା ଦାଉରୁ ମୁକୁଳିପାରୁ ନାହାଁନ୍ତି ଅଂଚଳବାସୀ ।