ଭୟ ବଢାଉଛି ବଢ଼ି ! ବିପତ ସଂକେତ ଉପରେ ବୈତରଣୀ ଓ ସୁବର୍ଣ୍ଣରେଖା, ଉଛୁଳୁଛି ବୁଢ଼ାବଳଙ୍ଗ ଏବଂ ଜଳକା

37

କନକ ବ୍ୟୁରୋ : ଓଡ଼ିଶାକୁ ପୁଣି ଘାରିଛି ବନ୍ୟାର ଭୟ । ଉଛୁଳୁଛି ନଦୀ, କୂଳ ଲଙ୍ଘୁଛି ବନ୍ୟାଜଳ । ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ । କେନ୍ଦୁଝର ଜିଲ୍ଲାର ପ୍ରାୟ ୧୪ଟି ପଂଚାୟତ ସୃଷ୍ଟି ହୋଇଛି ବନ୍ୟା ଆଶଙ୍କା ।

ବାଲେଶ୍ୱର ଜିଲ୍ଲାରେ ବି ସମାନ ସ୍ଥିତି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳକା ଏବଂ ବୁଢ଼ାବଳଙ୍ଗ । ସୁବର୍ଣ୍ଣରେଖାର ଉପରମୁଣ୍ଡରେ ଥିବା ଝାଡ଼ଖଣ୍ଡର ଗାଲାଟି ଡ୍ୟାମରୁ ଛଡ଼ାଯାଇଛି ବନ୍ୟାଜଳ । ଯାହା ଫଳରେ ତଳମୁଣ୍ଡରେ ବଢ଼ିଛି ବନ୍ୟା ଆଶଙ୍କା । ଜାମଶୋଳା ଏବଂ ରାଜଘାଟରେ ବଢ଼ିଛି ଜଳସ୍ତର । ସେହିପରି ଜଳକା ଏବଂ ବୁଢ଼ାବଳଙ୍ଗ ନଦୀ ବି ବିଭିନ୍ନ ସ୍ଥାନରେ କୂଳ ଲଙ୍ଘିଛି । ଦୁଇଟି ଯାକ ନଦୀରେ ପ୍ରବାହିତ ହେଉଛି ବନ୍ୟାଜଳ । ବଲିଆପାଳ ବ୍ଲକର ୧୦ରୁ ଅଧିକ ଗାଁରେ ଏବେ ପାଣି ଘେରରେ ରହିଛି ।

ବୈତରଣୀ ନଦୀର ଜଳସ୍ରୋତ ଭଦ୍ରକ ଜିଲ୍ଲାରେ ବି ଲୋକଙ୍କ ନିଜ ହଜାଇଦେଇଛି । ଭଣ୍ଡ।ରୀପୋଖରୀ ଶରତା ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଫଳରେ ସ୍ଥାନୀୟ ଅଂଚଳରେ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଭଣ୍ଡାରୀପୋଖରୀର ୬ଟି ପଂଚାୟତର ୨୦ଟି ଗାଁ ପାଣି ଘେରରେ ଥିବା ବେଳେ ହାଟଡିହି ବ୍ଲକର ୩ଟି ପଂଚାୟତର ୫ଟି ଗାଁ ଜଳମଗ୍ନ ହୋଇଛି । ଧାମନଗରର ୧୪ଟି ପଂଚାୟତର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ବୈତରଣୀ ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଯୋଗୁଁ ଯାଜପୁର ଜିଲ୍ଲାର ୨୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ଯାଜପୁର, ଦଶରଥପୁର ଏବଂ କୋରାଇ ବ୍ଲକର ବିଭିନ୍ନ ଗାଁରେ ପଶିଛି ବନ୍ୟାପାଣି । ଏହି ୪ଟି ଜିଲ୍ଲାର ବନ୍ୟା ପରିସ୍ଥିତି ନେଇ ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ ନିୟୋଜିତ ଥିବା ସୂଚନା ଦେଇଛି ସ୍ୱତନ୍ତ୍ର ରିଲିଫ୍ କମିଶନର । ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି ।

ଏସବୁ ଭିତରେ ଆଶ୍ୱସ୍ତ କରିଛି ପାଣିପାଗ ବିଭାଗର ଆକଳନ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ସୀମାକୁ ଛୁଇଁବାର ସଂଭାବନା ନଥିବାର ବର୍ଷା କମିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ବୈତରଣୀ, ସୁବର୍ଣ୍ଣରେଖା, ଜଳକା ଏବଂ ବୁଢ଼ାବଳଙ୍ଗ ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ସୁଧାର ଆସିବାର ଯଥେଷ୍ଟ ସଂଭାବନା ରହିଛି ।