ବଢି ଛାଡ଼ିଛି, ସମସ୍ୟା ବଢ଼ିଛି : ଲୋକେ କାଟୁଛନ୍ତି ଜଳବନ୍ଦୀର ଜୀବନ

36

କନକ ବ୍ୟୁରୋ : ବର୍ଷା କମିଛି, ବ୍ରାହ୍ମଣୀ ଏବଂ କାଣି ନଦୀରେ ଜଳସ୍ତର ବି କମୁଛି । ହେଲେ ଏବେବି ଲୋକ କାଟୁଛନ୍ତି ଜଳବନ୍ଦୀର ଜୀବନ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଏବଂ ଆଳି ବ୍ଲକରେ ବଢ଼ିଛି ଲୋକଙ୍କ ସମସ୍ୟା । ୨୧ଟି ପଂଚାୟତର ପ୍ରାୟ ଶହେରୁ ଅଧିକ ଗାଁରେ ଏବେ ବି ଜମି ରହିଛି ବର୍ଷା ପାଣି । ଆଉ ଏହାରି ଭିତରେ ପୁଣି କେତେ ବେଳେ ସାପ ଭୟ, ତ ଆଉ କେତେ ବେଳେ କୁମ୍ଭୀର ଆତଙ୍କ । ଆଉ ଲୋକଙ୍କ ଅଭିଯୋଗ- ପହଂଚି ପାରୁନି କୌଣସି ସରକାରୀ ସୁବିଧା ।

ପଟ୍ଟାମୁଣ୍ଡାଇ ବ୍ଲକର ୫ଟି ପଂଚାୟତ-କୁଳସାହି, ଦାଣ୍ଡିସାହି, ପେଣ୍ଠପାଳ, ବାଲିସାହି ଏବଂ ସିଂ ପଂଚାୟତର ଅନେକ ଗାଁରୁ ଏଯାଏଁ ଛାଡ଼ିନି ବନ୍ୟାଜଳ । ସେହିଭଳି ଆଳି ବ୍ଲକର ପ୍ରାୟ ୬୫ଟି ଗାଁରେ ବର୍ତ୍ତମାନ ମଧ୍ୟ ବନ୍ୟା ଯୋଗୁଁ ସମସ୍ୟା ଲାଗି ରହିଛି । ବିଶେଷ କରି ପେତପଡ଼ା, ପାଳିମି, ଏରଡଙ୍ଗ ଓ ସିଂସି ପଂଚାୟତ ଏବେବି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଏପଟେ ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି-ବନ୍ୟା ସ୍ଥିତି ସ୍ୱାଭାବିକ ହୋଇଛି ।

ବର୍ଷା କମିଛି, ତା ସହ ନଦୀରୁ ଜଳସ୍ତର ବି କମୁଛି । କିନ୍ତୁ ବଢି ଯାଇଛି ଲୋକଙ୍କ ସସମ୍ୟା । ଗାଁ ମଝିରୁ ପାଣି ଧିରେ ଧିରେ ଅପସରି ଯାଉଥିବା ବେଳେ ପୁଣି ଥରେ ସ୍ୱାଭାବିକ୍ ସ୍ଥିତି ଫେରିବା ବାଟକୁ ଚାହିଁ ରହିଛନ୍ତି କେନ୍ଦ୍ରାପଡ଼ା ଆଳି ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ଲୋକେ ।