କାହିଁକି ବିନା ବର୍ଷାରେ ବୁଡିଲା ମାଲକାନଗିରି ? ବନ୍ୟା କଲା କି ପୋଲାଭରମ ପ୍ରକଳ୍ପର ଫେରନ୍ତା ପାଣି, ଅନୁସନ୍ଧାନ ପାଇଁ ଟିମ ପଠାଇଲେ ରାଜ୍ୟ ସରକାର ।

38

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ପୋଲାଭରମ୍ ସଂକଟ । ଜିଲ୍ଲାର ସାବେରୀ ଓ ସିଲେରୁ ନଦୀରେ ଗତ ୨ ଦିନ ହେଲା, ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ଉଭୟ ସାବେରୀ ଓ ସିଲେରୁ ନଦୀରେ ଜଳ ନିଷ୍କାସନ ହୋଇପାରୁନାହିଁ । ଫଳରେ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ମୋଟୁ ଅଂଚଳର ମୁରଲିଗୁଡ଼ା, ବିନାୟକପୁର, ପେଟା, କାଲମା, ଜିନେଲଗୁଡ଼ା ଏବଂ ବାରିବାଂଛି ସହ ୩ ଦିନ ହେଲା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ଲୋକେ ଡଙ୍ଗାରେ ଯାତାୟତ କରୁଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ସେହିପରି ସାବେରୀ ନଦୀର ଆରପଟେ ଥିବା ଛତିଶଗଡ଼ର ସୁକୁମା ଜିଲ୍ଲାର ବିଭିନ୍ନ ଗାଁରେ ବନ୍ୟାପାଣି ପଶିଛି । ଫଳରେ ୩୦ ନମ୍ବର ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ତେଲେଙ୍କାନା ଭଦ୍ରାଚଲମ୍ ଏବଂ କୋଂଟା ସହ ଆନ୍ଧ୍ର ପ୍ରଦେଶର ଚାଟି ଓ ଚିରିମୁଗୁଠାରେ ବନ୍ୟାଜଳ ପ୍ରବାହିତ ହେଉଛି । ଏହି ସମସ୍ୟା ଯୋଗୁଁ ୩ଟି ରାଜ୍ୟ ପ୍ରଭାବିତ ହୋଇଛି । ଅନେକ ଗାଁରେ ବନ୍ୟାପାଣି ପଶିଯାଇଥିବାରୁ ଲୋକମାନଙ୍କ ଜୀବନ ଦୁର୍ଭିସହ ହୋଇପଡିଛି । ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ ।

ପୋଲାଭରମ୍ ପ୍ରକଳ୍ପକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ଠିକ୍ ସେଇଆ ଦେଖିବାକୁ ମିଳିଛି । ପୋଲାଭରମ୍ ପ୍ରକଳ୍ପ ସଂପୂର୍ଣ୍ଣ ହେବା ପୂର୍ବରୁ ଆନ୍ଧ୍ର ସୀମାରେ ଥିବା ମାଲକାନଗିରି ଜିଲ୍ଲାରେ ବନ୍ୟାସ୍ଥିତି ବେହାଲ ହୋଇଛି । ଏହି ବହୁମୁଖୀ ପ୍ରକଳ୍ପକୁ ନେଇ ଆନ୍ଧ୍ର ସୁନେଲି ସ୍ୱପ୍ନ ଦେଖୁଥିବା ବେଳେ ଓଡ଼ିଶା ସୀମାନ୍ତରେ ଲୋକଙ୍କ ଭବିଷ୍ୟତ ନେଇ ଏକ ବଡ ଆଶଙ୍କା ସୃଷ୍ଟି ହୋଇଛି । ପୋଲାଭରମ୍ ପ୍ରକଳ୍ପ କାମକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ବାରମ୍ବାର ଅନୁରୋଧ କରିଥିଲେ । କାରଣ ଥିଲା, ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ସୀମାନ୍ତ ଜିଲ୍ଲାର ପ୍ରଭାବିତ ହେବ । ଦୁଇ ମାସ ତଳେ ଚିଠି ଲେଖି ଅବଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କେନ୍ଦ୍ର ସରକାର ଓଡ଼ିଶାର ଦାବିକୁ କେତେ ଗୁରୁତର ସହ ଗ୍ରହଣ କରିଛନ୍ତି ତାହା ଏହି ଗୋଟିଏ କଥାରୁ ସ୍ପଷ୍ଟ, ଯେତେବେଳେ ମାମଲା କୋର୍ଟରେ ଅଛି, ସେତେବେଳେ ଏକତରଫା ନିର୍ମାଣ କାମ ଆଗେଇ ଚାଲିଛି । ଏହାରି ଭିତରେ ପୋଲାଭରମ୍ ପ୍ରକଳ୍ପର ପରିଣାମ ଏବେଠୁ ଆସିବାରେ ଲାଗିଲାଣି । ବର୍ଷା ଯୋଗୁଁ ସାବେରୀ ଓ ସିଲେରୁ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଏସବୁ ନଦୀର ପାଣି ଗୋଦାବରୀ ନଦୀରେ ନିଷ୍କାସନ ହୋଇପାରୁନାହିଁ । ଆଉ ବ୍ୟାକ୍ ୱାଟର ବା ଫେରନ୍ତା ପାଣି ମାଲକାନଗିରିର ଅନେକ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ।

ପୋଲାଭରମ୍ ପ୍ରକଳ୍ପ କାମ ବନ୍ଦ କରିବା ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆଇନର ଲଢ଼େଇ ମଧ୍ୟ ଲଢ଼ୁଛନ୍ତି । ଏହି ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଧ୍ର ସରକାରଙ୍କୁ ନୋଟିସ୍ କରିଥିବା ବେଳେ ଆସନ୍ତା ମାସ ୬ ତାରିଖରେ ଏହି ମାମଲାର ଶୁଣାଣି ହେବ । ବଡ କଥା ହେଉଛି – ପୋଲାଭରମ୍ ପ୍ରକଳ୍ପର ଲାଭ ପାଇବ ଆନ୍ଧ୍ର ଏବଂ କ୍ଷତି ମୁଣ୍ଡାଇବ ଓଡ଼ିଶା । ଯାହାର ନଜିର ହେଉଛି ମାଲକାନଗିରି ଜିଲ୍ଲାରୁ ଆସିଥିବା ବନ୍ୟାର ଚିତ୍ର । ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ୧୫ଟି ଗାଁ, ୧୦ଟି ହାମଲେଟ୍ ଗାଁ ବୁଡ଼ି ଯିବାର ଆଶଙ୍କା ଥିବା ବେଳେ ୭ ହଜାର ଲୋକ ବିସ୍ଥାପିତ ହେବେ ।

ମାଲକାନଗିରି ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିକୁ ନେଇ ଓଡ଼ିଶା ସରକାର, ଅନୁସନ୍ଧାନ ପାଇଁ ଏକ ଟିମ ପଠାଇଛନ୍ତି । ହେଲେ ଓଡିଶା, ତେଲେଙ୍ଗାନା ଓ ଛତିଶଗଡ ସରକାର ଦୀର୍ଘ ଦିନ ଧରି ଏହି ପ୍ରକଳ୍ପକୁ ବିରୋଧ କରିଆସୁଛନ୍ତି । ପୋଲାଭରମ୍ ଡ୍ୟାମର ଉଚ୍ଚତା ୧୫୦ ଫୁଟ ଭିତରେ ରଖିବା ଏବଂ ବନ୍ୟା ସମୟରେ ଡ୍ୟାମରୁ ସେକେଣ୍ଡ ପିଛା ୫ ମିଲିଅନ୍ କ୍ୟୁସେକ୍ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉ ବୋଲି ଓଡିଶା ଦାବି କରିଆସୁଛି । ପୋଲାଭରମ୍ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ହେବା ପୂର୍ବରୁ ପଛୁଆ ପାଣି ଯୋଗୁଁ ସୀମାନ୍ତ ଜିଲ୍ଲାରେ ସୃଷ୍ଟି ହୋଇଥିବା ଏହି ବନ୍ୟାସ୍ଥିତି, କେବଳ ଓଡ଼ିଶା ପାଇଁ ନୁହେଁ, ଛତିଶଗଡ଼ ଏବଂ ତେଲେଙ୍କାନା ପାଇଁ ମଧ୍ୟ ସତର୍କ ଘଂଟି ହୋଇ ସାମ୍ନାକୁ ଆସିଛି ।