କେରଳରେ ବନ୍ୟା ପରିସ୍ଥିତି ସଂଗୀନ ! ମୃତ୍ୟୁ ସଂଖ୍ୟା ପହଂଚିଲା ୩୨୪ରେ, ଉଦ୍ଧାରକାର୍ଯ୍ୟରେ ସେନାକୁ ସହଯୋଗ ପାଇଁ ଓହ୍ଲାଇଲେ ମତ୍ସ୍ୟଜୀବୀ ।

25

କନକ ବ୍ୟୁରୋ : ବର୍ଷା ଓ ବନ୍ୟାରେ କେରଳର ଦୁର୍ଦ୍ଦଶା ବଢିବାରେ ଚାଲିଛି । ବିଗତ ୯୦ ବର୍ଷରେ ଏପରି ସ୍ଥିତି କେବେ ସୃଷ୍ଟି ହୋଇନଥିଲା । ଏ ପର୍ଯ୍ୟନ୍ତ ବର୍ଷା ଓ ବନ୍ୟାରେ ୩୨୪ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ମଧ୍ୟ ରହିଛି । ଲକ୍ଷ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ରାଜ୍ୟର ୮୦ ପ୍ରତିଶତ ଅଂଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ରାସ୍ତା ଓ ବିଲଡିଂ ବୁଡି ରହିଥିବାରୁ କେରଳ ଷ୍ଟେଟ ଇଲେକ୍ଟ୍ରିସିଟି ବୋର୍ଡ ବିଦ୍ୟୁତ ସରବରାହ ବନ୍ଦ ରଖିଛି । ଉଦ୍ଧାରକାର୍ଯ୍ୟରେ ବିଳମ୍ବରେ ହେଲିକପ୍ଟର ବ୍ୟବହାର କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ବିଜୟନ କ୍ଷୋଭ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶେଷକୃତ୍ୟ ଶେଷ ହେବା ପରେ କେରଳ ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସେ କେରଳ ବନ୍ୟାଂଚଳରେ ଏରିଏଲ ସର୍ଭେ କରିବେ । ଏର୍ନାକୁଲମ, ପଥନମିଠା, ଥିରିସୁର ଜିଲ୍ଲାରେ ଆର୍ମି, ନ୍ୟାଭି, ଏୟାରଫୋର୍ସ ଏବଂ ଏନଡିଆରଏଫ ପକ୍ଷରୁ ପାଣିରେ ଫଶି ରହିଥିବା ଲୋକମାନଙ୍କୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ବିଭିନ୍ନ ସ୍ଥାନରେ ପାଣିଘେରରେ ରହିଥିବା ଲୋକମାନଙ୍କୁ ବୋଟ ମାଧ୍ୟମରେ ଉଦ୍ଧାର କରିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଏହି ଉଦ୍ଧାର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ମଧ୍ୟ କେରଳରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଯେତିକି ବର୍ଷା ହେବା କଥା ତାଠାରୁ ୩୦ ପ୍ରତିଶତ ଅଧିକ ବର୍ଷା ହୋଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।