ଉପକୂଳ ଓଡ଼ିଶାରେ ବନ୍ୟା ସ୍ଥିତି । ପାଣି ଘେରରେ ବୁଡି ରହିଛି ଗାଁ-ଗଣ୍ଡା, ବନ୍ୟା ପାଣିରେ ବୁଲୁଛନ୍ତି କୁମ୍ଭୀର ।

837

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ବନ୍ୟାର ବୀଭିଷିକା ସରିବା ପୂର୍ବରୁ ଏବେ ଉପକୂଳ ଓଡ଼ିଶାରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ବିଶେଷ କରି ଲଗାଣବର୍ଷା ଯୋଗୁଁ ମହାନଦୀ କୂଳରେ ଥିବା ଅନେକ ଗାଁରେ ଏବେ ବନ୍ୟା ସ୍ଥିତି ଦେଖାଦେଇଛି । ବିଶେଷ କରି ଅନୁଗୁଳ, କେନ୍ଦ୍ରାପଡ଼ା ଏବଂ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟାସ୍ଥିତି ଉପୁଜିଛି । ଆଉ ଆଗକୁ ପୁଣି ମାଡ଼ି ଆସୁଛି ହୀରାକୁଦ ବନ୍ଧର ବନ୍ୟାଜଳ ।

ବନ୍ୟାର ଆଁରେ ଅନୁଗୁଳର ଗାଁ । ଟିକରପଡ଼ାରେ ବନ୍ୟାସ୍ଥିତି ସଙ୍ଗୀନ । ଲଗାଣବର୍ଷା ପରେ ଏବଂ ହୀରାକୁଦ ବନ୍ୟାଜଳ ଆସିବା ପୂର୍ବରୁ ସଙ୍ଗୀନ ହୋଇଛି ଅନୁଗୁଳ ଟିକରପଡ଼ା ଅଂଚଳର ବନ୍ୟା ସ୍ଥିତି । ପାଣି ଭିତରେ ବୁଡ଼ି ରହିଛି ଘର-ଦ୍ୱାର, ଦୋକାନ ବଜାର । ପାଣିରେ ଉବୁଟୁବୁ ହେଉଛି ସ୍କୁଲ । ଆଉ ଏଭଳି ସ୍ଥିତିରେ ଡଙ୍ଗା ସାହାଯ୍ୟରେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ବାଧ୍ୟ ହେଉଛନ୍ତି ଲୋକ । ଟିକରପଡ଼ା ଅଂଚଳର ୮ଟି ଗାଁ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ରହିଛି ।

ଗୋଟିଏ ପଟେ ବନ୍ୟା ବିପତି, ଅନ୍ୟପଟେ କୁମ୍ଭୀର ଭୟ । କାରଣ, ମହାନଦୀ ପାଣି ବଢ଼ିବା ପରେ ଟିକରପଡ଼ା କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ଜନବସତି ଆଡକୁ କୁମ୍ଭୀର ଚାଲି ଆସିବାର ଆଶଙ୍କା ବଢ଼ି ଯାଇଛି । ଯାହା ସ୍ଥାନୀୟ ଲୋକଙ୍କୁ ଆହୁରି ଭୟଭିତ କରିଦେଇଛି ।

ଅନୁଗୁଳରେ କୁମ୍ଭୀର ଆସିଥିବାର ଆଶଙ୍କା କରାଯାଉଥିବା ବେଳେ କଟକ ଆଠଗଡ଼ର ବନ୍ୟା ପ୍ରଭାବିତ ଅଂଚଳରେ ସତକୁ ସତ କୁମ୍ଭୀର ଦେଖିବାକୁ ମିଳିଛି । ବନ୍ୟାଜଳରେ କୁମ୍ଭୀର ଦେଖି ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ସେହିପରି ମହାନଦୀର ବନ୍ୟପାଣିରେ ବୁଡି ଯାଇଛି ଶହ ଶହ ଏକର ଚାଷଜମି । ଆଠଗଡ଼ ଅଂଚଳରେ ଅନେକ ଗାଁକୁ ପାଣି ମାଡି ଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

କେନ୍ଦ୍ରାପଡ଼ାରେ କଲବଲ କରୁଛି ବନ୍ୟା । ଉପରମୁଣ୍ଡରେ ବର୍ଷା, ତଳମୁଣ୍ଡରେ ଭୟ । ଲଗାଣବର୍ଷା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର, ମାର୍ଶାଘାଇ ଏବଂ ମହାକାଳପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୁଳା ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାପାଣି ଜନବସତି ଆଡକୁ ମାଡ଼ି ଆସୁଥିବାରୁ ପ୍ରାୟ ୧୦ଟି ଗାଁର ଲୋକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ନୂଆ କରି ନିର୍ମାଣ ହେଉଥିବା ସ୍ଲୁଇସ୍ ଗେଟ୍ ଅଧା ପନ୍ତରିଆ ହୋଇଥିବାରୁ ଜଳସେଚନ ବିଭାଗ ପକ୍ଷରୁ ବାଲି ବସ୍ତା ପକାଇ ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରାଯାଉଛି । ଏପଟେ ପୁରୀ ଜିଲ୍ଲା ପିପିଲି ପୁବାଶାସନର ଏକବସ୍ତିରେ ପଶିଛି ବନ୍ୟାପାଣି । ଫଳରେ ପ୍ରାୟ ୩୦ଟି ପରିବାର ବାସହରା ହୋଇଯାଇଛନ୍ତି । ଆଉ ଏହି ବନ୍ୟା ପୀଡ଼ିତଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା କରୁଛି ପ୍ରଶାସନ ।