ସମସ୍ୟା ବଢ଼ାଇଲା ସାଳନ୍ଦୀ ନଦୀର ଉଗ୍ରରୂପ ! ଭଦ୍ରକରେ ପାଣିରେ ବୁଡ଼ିଲା ରାସ୍ତାଘାଟ, ମନ୍ଦିର ଓ ଘରଦ୍ୱାର, ଚାଷ ଜମିରେ ବି ମାଡ଼ିଗଲା ପାଣି ।

46

କନକ ବ୍ୟୁରୋ : ବର୍ଷା ବନ୍ଦ ହେଲା , ଜଳସ୍ତର ବି କମିଲା । ହେଲେ ବିପଦ ବଢାଇଲା ବନ୍ୟାଜଳ । ଭଦ୍ରକରେ ଫୁଲୁଛି ସାଳନ୍ଦୀ ନଦୀ । ଗାଁ ଗାଁରେ ବନ୍ୟା ପାଣି ପଶିଛି । ସେପଟେ ବୈତରଣୀରେ ଜଳସ୍ତର କମିଥିଲେ ବି ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ୪ ଶହରୁ ଅଧିକ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।

ଚାରିଆଡେ ବନ୍ୟାଜଳ ଆଉ ତାଭିତରେ ବୁଡି ରହିଛି ସବୁକିଛି । ସମସ୍ୟା ବଢାଇଛି ସାଳନ୍ଦୀ । ଜୀବନ, ଜଳବନ୍ଦୀ । ବନ୍ୟା ଜଳରେ ଉବୁଟୁବୁ ଭଦ୍ରକ ଜିଲ୍ଲା । ଘରେ ପାଣି ପଶିଛି । ମନ୍ଦିର ବୁଡି ରହିଛି । ସଡକ ଉପରେ ସାଳନ୍ଦୀର ସୁଅ ଛୁଟିଛି । ଗାଁ ଗାଁକୁ ପାଣି ଘେରିରହିଛି । ଭଦ୍ରକ-ଆରଡି ରାସ୍ତା ଉପରେ ବୋହୁଛି ବନ୍ୟା ଜଳ । ବହୁ ଅଂଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଆରଡି, ସୁନ୍ଦରପୁର, ନାନ୍ଦପୁର ଏବଂ ଓଗଳି ପଂଚାୟତର ହଜାର ହଜାର ଲୋକ ଏବେ ବି ପାଣି ଘେରରେ ଅଛନ୍ତି ।

ଏପଟେ ବିପଦ ବଢାଇଛି ବୈତରଣୀ । ନଦୀର ଜଳସ୍ତର କମିଥିଲେ ବି ବନ୍ୟା ଜଳ ଘେରି ରହିଛି । ରାଜକନିକା ଓ ଆଳି ବ୍ଳକର ୧୮ଟି ପଂଚାୟତର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ୫ଟି ପଂଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଗାଁ ଭିତରେ ଅଂଟାଏ ଉଚ୍ଚର ପାଣି ଚାଲିଛି । ତିନି ଦିନ ହେଲା ପାଣି ଘେରରେ ଅଛନ୍ତି ୪ଶହରୁ ଅଧିକ ପରିବାର । ପିଇବାକୁ ପାଣି ନାହିଁ । ପାଖରେ ରିଲିଫ୍ ବି ପହଁଚିପାରୁନି । ଭଦ୍ରକ, କେନ୍ଦ୍ରାପଡା, ଚାନ୍ଦବାଲିରେ ସ୍ଥିତି ସଙ୍ଗୀନ । ଲଗାଣ ବର୍ଷା ଛାଡିଯାଇଛି ହେଲେ ବନ୍ୟା ଜଳ ସ୍ଥିତି ସାଂଘାତିକ କରିଦେଇଛି ।