ଚଳିତବର୍ଷ ବର୍ଷା ଓ ବନ୍ୟାରେ ୫ ରାଜ୍ୟରେ ୪୬୫ ଲୋକଙ୍କ ମୃତ୍ୟୁ ହୋଇଥିବା କହିଲା କେନ୍ଦ୍ର ଏନଏମସି ବିଭାଗ : ଏ ପଟେ ବିପଦ ସଙ୍କେତ ଟପିଲା ଯମୁନା ନଦୀ !

32

କନକ ବ୍ୟୁରୋ : ସାରା ଦେଶରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ଅନେକ ଲୋକ ପ୍ରାଣ ତ୍ୟାଗ କରିଥିବା ବେଳେ ଅନେକ ଲୋକ ବାସହରା ହୋଇ ପଡିଛନ୍ତି । ତେବେ ଚଳିତ ବର୍ଷ ବର୍ଷାରେ ଅନେକ କ୍ଷତି ହୋଇଥିବା ଜଣାପଡିଛି । ବର୍ତ୍ତମାନ ସମୟରେ ମଧ୍ୟ ଅନେକ ଲୋକ ପାଣି ଘେର ମଧ୍ୟରେ ରହିଥିବା ସୂଚନା ମିଳିଛି । ଏକ ରିପୋର୍ଟ ଅନୁସାରେ ଚଳିତବର୍ଷ ବର୍ଷା ଏବଂ ବନ୍ୟା ରେ ଦେଶର ୫ଟି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୬୫ରେ ପହଞ୍ଚିଛି। ଗୃହ ମନ୍ତ୍ରାଳୟର ଏନ୍ଇଆରସି (ନ୍ୟାସନାଲ ଏମର୍ଜେନ୍ସି ରେସପନ୍ସ ସେଣ୍ଟର) ତଥ୍ୟ ଅନୁଯାୟୀ ବର୍ଷା ହେତୁ ମହାରାଷ୍ଟ୍ରରେ ୧୩୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି କେରଳରେ ୧୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମ ବଙ୍ଗରେ ୧୧୬, ଗୁଜରାଟରେ ୫୨ ଏବଂ ଆସାମରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ୨୬ ଜିଲ୍ଲା, ପଶ୍ଚିମବଙ୍ଗର ୨୨, ଆସାମର ୨୧, କେରଳର ୧୪ ଏବଂ ଗୁଜରାଟର ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଜଣାଯାଇଛି। ଆସାମରେ ବର୍ଷା ଓ ବନ୍ୟା ଯୋଗୁ ୨.୧୭ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୧.୬୧ ଲକ୍ଷ, କେରଳରେ ୧.୪୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

 

ଅନ୍ୟପକ୍ଷରେ ୟୁପିରେ ଗତ ୩ ଦିନର ଲଗାଣ ବର୍ଷାରେ ୪୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୟୁପିର ସହରନପୁରରେ ସବୁଠାରୁ ଅଧିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଗ୍ରା ଏବଂ ମିରୋଟରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମଣିପୁରରେ ୪, କାସଗଞ୍ଜରେ ୩, ବରେଲି, ବାଗପତ ଏବଂ ବୁଲନ୍ଦସରରେ ୨ଟି ଲେଖାଏଁ ମୃତ୍ୟୁ ଘଟଣା ଘଟିଛି । ତେବେ ଆମେମାନେ ଯଦି ଓଡିଶା କଥା ଦେଖିବା ତେବେ ଏଠାରେ ମଧ୍ୟ ବନ୍ୟା ଓ ବର୍ଷାରେ ଅନେକ ଲୋକଙ୍କ ମୁତ୍ୟୁ ହୋଇଥିବା ଜଣାପଡିଛି । ପରିସ୍ଥିତି ଏପରି ହୋଇଥିଲା ଯେ, ରାଜଧାନୀ ଭୁବନେଶ୍ୱରର ସମେତ କଟକରେ ଅନେକ ଅଞ୍ଚଳ ବୁଡି ରହିଥିଲା । ଯାହା ଫଳରେ ଲୋକମାନେ ଏହି ପାଣିରେ ଅନେକ ସମସ୍ୟାରେ ରହିଥିଲେ । ସରକାର ମଧ୍ୟ ପାଣି ଘେରରେ ଥିବା ଲୋକମାନଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଦେବା ସହ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ବନ୍ଦ ରଖିଥିଲେ । ଅନେକ ଟ୍ରେନକୁ ବାତିଲ କରାଯାଇଥିବା ସହ ମାଲକାନଗିରିରେ କାନ୍ଥ ପଡି ୨ ଜଣଙ୍କ ମୁତ୍ୟୁ ହୋଇଥିଲା । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖାଦେଇଥିଲା । ତେବେ ବନ୍ୟାରେ ସେତେ ପରିମାଣରେ କ୍ଷତି ହୋଇନଥିବା ସରକାର କହିଥିଲେ ।

 

ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ବନ୍ୟା ସତର୍କତା ଜାରି କରାଯାଇଛି। ଯମୁନା ନଦୀ ଏବେ ବିପଦ ସଙ୍କେତ ଅତିକ୍ରମ କରିଛି। ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ହେତୁ ଯମୁନା ନଦୀ ଜଳ ସ୍ତର ବୃଦ୍ଧି ପାଇଛି। ୧୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି । ନଦୀ କୂଳ ଏବଂ ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ରାତି ସୁଦ୍ଧା ଯମୁନା ନଦୀ ଜଳ ସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଛି। ଶନିବାର ସନ୍ଧ୍ୟା ୫ଟା ସୁଦ୍ଧା ଯମୁନା ନଦୀ ଜଳସ୍ତର ବିପଦ ସଙ୍କେତ ଟପି ୨୦୫.୨୦ ମିଟରରେ ପହଞ୍ଚିଥିଲା। ହାଥୀଣିକୁନ୍ଦ ବ୍ୟାରେଜରେ ଯମୁନା ନଦୀ ଜଳ ବିପଦ ସଙ୍କେତ ଟପି ସନ୍ଧ୍ୟା ୫ଟା ସୁଦ୍ଧା ୯୦,୦୦୦ କ୍ୟୁସେକ୍ ରେ ପହଞ୍ଚିଛି ଏବଂ ୫,୦୩୯୩୫ କ୍ୟୁସେକ୍ ଜଳ ନିଷ୍କାସିତ ହୋଇଛି । ସେପଟେ ୟୁପି ବ୍ୟାରେଜରେ ଲଘୁଚାପ ହୋଇଥିବାରୁ ଏହାର ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ୟୁପି ଏବଂ ଦିଲ୍ଲୀ ସମେତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ଉତ୍ତରପଶ୍ଚିମ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି। ତେବେ ପୂର୍ବରୁ ମଧ୍ୟ ଯମୁନା ନଦୀର ଜଳସ୍ତର ବଢିବା ସହ ବନ୍ୟା ପରିସ୍ଥିତି ଉପୁଜିଥିଲା । ତେଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯମୁନା ନଦୀ କୂଳରୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯିବା ସହ କିପରି ଭାବରେ ଲୋକମାନେ ସୁରକ୍ଷିତ ରହିବେ ତାହା ଉପରେ ଧ୍ୟାନ ଦିଆଯିବ ବୋଲି ପ୍ରାଶାସନ ପକ୍ଷରୁ ଦିଆଯାଇଛି ସୂଚନା ।