ଜୁଲାଇରେ ଟଳିଗଲା, ଅଗଷ୍ଟରେ ପୁଣି ଆସୁଛି ମହାନଦୀରେ ବଡ ଧରଣ ବନ୍ୟା ! ହୀରାକୁଦ ନଦୀବନ୍ଧର ୨୫ଟି ଗେଟ୍ ଦେଇ ଛଡାଗଲା ୪ଲକ୍ଷ୍ୟ କ୍ୟୁସେକ ପାଣି ।

41

କନକ ବ୍ୟୁରୋ : ଜୁଲାଇରେ ଟଳିଯାଇଥିବା ବନ୍ୟା ବିପଦ ଅଗଷ୍ଟରେ ପୁଣି ଫେରିଛି । ମହାନଦୀରେ ବଡ ଧରଣର ବନ୍ୟା ଆଶଙ୍କା ପ୍ରକାଶ ପାଇଛି । ବର୍ତମାନ ହୀରାକୁଦରୁ ୨୫ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଫଳରେ ତଳମୁଣ୍ଡରେ ଥିବା ୧୩ଟି ଜିଲ୍ଲାରେ ବନ୍ୟା ଆଶଙ୍କା ଉପୁଜୁଛି । ମହାନଦୀ ଅବବାହିକାରେ ଥିବା ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସମ୍ବଲପୁର ତଳିଆ ଅଂଚଳ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଜୁଲାଇରେ ଟଳିଗଲା ବିପଦ । ଅଗଷ୍ଟରେ ପୁଣି ବନ୍ୟା ଆଶଙ୍କା । ମହାନଦୀରେ ମାଡିଆସୁଛି ବଡ ବନ୍ୟା । ମହାଦନୀ ଉପର ମୁଣ୍ଡରେ ଭାରି ବର୍ଷା ଲାଗିରହିଥିବାରୁ ହୀରାକୁଦ ନଦୀବନ୍ଧ ଉପରେ ଏହାର ପ୍ରଭାବ ପଡିଛି । ହୀରାକୁଦ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏହାର ୨୫ଟି ଗେଟ୍ ଖୋଲାଯାଇଛି । ତେଣୁ ମହାନଦୀ ତଳମୁଣ୍ଡରେ ଥିବା ଜିଲ୍ଲା ଗୁଡିକରେ ବନ୍ୟା ହେବ ବୋଲି ଆଶଙ୍କା କରାଯାଉଛି । ଏସବୁ ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

କର୍ଭ ରୁଲ ଅନୁଯାୟୀ ଯେତିକି ଜଳ ହୀରାକୁଦ ନଦୀବନ୍ଧରେ ରହିବା କଥା ତାଠାରୁ ଅଧିକ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡକୁ ୧ଲକ୍ଷ ୫୦ ହଜାର ୬୨୭ କ୍ୟୁସେକ ପାଣି ଜଳଭଣ୍ଡାରକୁ ପଶୁଛି । ବର୍ତ୍ତମାନ ପ୍ରାୟ ୪ ଲକ୍ଷ୍ୟ କ୍ୟୁସେକ ଜଳ ହୀରାକୁଦରୁ ଛଡା ଯାଉଛି । କଟକ ମୁଣ୍ଡଳୀ ଦେଇ ପ୍ରାୟ ୬ଲକ୍ଷ୍ୟ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ଗୁରୁବାର ସକାଳ ସୁଦ୍ଧା ଏହା ୮ଲକ୍ଷ କ୍ୟୁସେକକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି ।

ଗତ ୨୪ ଘଂଟା ମଧ୍ୟରେ ସମ୍ବଲପୁରରେ ସର୍ବାଧିକ ୯୩ ଦଶମିକ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ତଳିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହୀରାକୁଦରୁ ପାଣି ଛଡାଯିବା ଦ୍ୱାରା ସମ୍ବଲପୁର ସମେତ, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ପୁରୀ, ଯାଜପୁର ଓ ଖୋର୍ଦ୍ଧ ଜିଲ୍ଲାରେ ବନ୍ୟା ଆଶଙ୍କା ବଢିଯାଇଛି ।