ଘରେ ପଶିଲା ବଢି ପାଣି ! ୪ଟି ଜିଲ୍ଲାରେ ଜିଲ୍ଲାପାଳଙ୍କୁ ସତର୍କ ସୂଚନା

44

କନକ ବ୍ୟୁରୋ : ୬ ଦିନର ଲଗାଣ ବର୍ଷାରେ ବେହାଲ ଓଡିଶା । ଦକ୍ଷିଣ, ଉତ୍ତର ଓଡିଶା ପରେ ଏବେ ପଶ୍ଚିମକୁ ଘାରିଛି ବନ୍ୟା ଭୟ । ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ଇବ୍ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି କରିଛି । ପାଣି ଘେରରେ ରହିଛି ସୁନ୍ଦରଗଡ, ରାଉରକେଲା, ବାଲେଶ୍ୱରର ଅନେକ ଅଂଚଳ । ଲୋକେ ଜଳବନ୍ଦୀ । ଏହାରି ଭିତରେ ଆସନ୍ତା ୨୪ ଘଂଟା ମଧ୍ୟରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି । ଏଥିସହ ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ କେନ୍ଦ୍ରାପଡାରେ ବନ୍ୟା ସତର୍କ ସୂଚନା ଜାରି ହୋଇଛି ।

ଦକ୍ଷିଣ ଓ ଉତର ପରେ ପଶ୍ଚିମ ଓଡିଶାକୁ ଘାରିଛି ବନ୍ୟା ଭୟ । ଲଗାଣ ବର୍ଷାରେ ଫୁଲୁଛି ବ୍ରାହ୍ମଣୀ ଓ କୋଏଲ ନଦୀ । ଏପରିକି ନଦୀର ବନ୍ୟା ଜଳ ଗାଁ ଗାଁରେ ପଶିଛି । ମନ୍ଦିରା ଡ୍ୟାମର ୧୧ଟି ଗେଟ୍ ଖୋଲିବା ପରେ ରାଉରକେଲାରେ ବନ୍ୟା ସ୍ଥିତି । ବ୍ରାହ୍ମଣୀ କୂଳରେ ଥିବା ପାନପୋଷ ଓ ବାଲିଘାଟ ଅଂଚଳ ଏବେ ଜଳବନ୍ଦୀ ।

ଏପଟେ ବାଲେଶ୍ୱରର ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇରେ ନଇ ବଢି । ରାସ୍ତାର ୫ ଫୁଟ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖାର ବନ୍ୟା ଜଳ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ବାଲିଆପାଳର ଅନେକ ଅଂଚଳ । ଏଠି ଲୋକଙ୍କ ସାହାରା ସାଜିଛି ଡଙ୍ଗା ।

ଏହାରି ଭିତରେ ଆସନ୍ତା ୨୪ ଘଂଟା ମଧ୍ୟରେ ଉତର ଓଡିଶାରେ ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ । ୪ଟି ଜିଲ୍ଲାରେ ବନ୍ୟା ସତର୍କ ସୂଚନା ଜାରି ହୋଇଛି । ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ତଳିଆ ଅଂଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଓଡ୍ରାଫ ଓ ଏନଡିଆରଏଫକୁ ସତର୍କ ରହିବାକୁ କୁହାଯାଇଛି ।