ହେଲିକପ୍ଟଟରରେ ରିଲିଫ୍ ! ରାୟଗଡ଼ା ଓ କଳାହାଣ୍ଡିରେ ଆକାଶମାର୍ଗରୁ ଲୋକଙ୍କ ପାଖରେ ପହଂଚିଲା ଖାଦ୍ୟ ପୁଡ଼ିଆ

35

କନକ ବ୍ୟୁରୋ : ପାଣି କମିଛି, ହେଲେ ସମସ୍ୟା ବଢ଼ିଛି । ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ବନ୍ୟା ସ୍ଥିତିର ମୁକାବିଲା ପାଇଁ ଜୋରଦାର ପ୍ରୟାସ ଚାଲିଛି । ଆକାଶମାର୍ଗରୁ ଲୋକଙ୍କ ପାଖରେ ପହଂଚୁଛି ଖାଦ୍ୟ ପୁଡ଼ିଆ । ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ପାଣି ଘେରରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ । ହେଲେ ପାଣି କମିବା ପରେ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା ।

ପାଣି କମୁଛି, ସମସ୍ୟା ବଢୁଛି, ଘର ସଜାଡୁଛି ବନ୍ୟା ପୀଡ଼ିତ
ନାଗାବଳୀ ଏବଂ କଲ୍ୟାଣୀ ନଦୀର ଜଳସ୍ରୋତ କମି କମି ଆସୁଛି, ଜନବସତି ଭିତରୁ ଅପସରି ଯାଇଛି ବନ୍ୟାଜଳ । ହେଲେ ବଢୁଛି ଲୋକଙ୍କ ସମସ୍ୟା । କାହିଁକି ନା ଧୋଇ ହୋଇଯାଇଛି ଘରର ଆସବାବପତ୍ର । ଆଉ, ବନ୍ୟା ବିଗାଡି ଦେଇଥିବା ଘରକୁ ସଜାଡିବାରେ ଲାଗିଛନ୍ତି କଲ୍ୟାଣସିଂହପୁରର ବନ୍ୟା ପ୍ରପୀଡ଼ିତ ।

ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରଦାର , ନିୟନ୍ତ୍ରଣକୁ ଆସୁଛି ବନ୍ୟା ସ୍ଥିତି
ଆକାଶମାର୍ଗରୁ ଲୋକଙ୍କ ପାଖରେ ପହଂଚିଛି ରିଲିଫ୍ ସାମଗ୍ରୀ । ଅସ୍ଥାୟୀ ଅଶ୍ରୟସ୍ଥଳରେ ବନ୍ୟା ପୀଡ଼ିତଙ୍କୁ ଯୋଗାଇ ଦିଆଯାଉଛି ରନ୍ଧା ସାମଗ୍ରୀ । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ଏନଡିଆରଏଫ୍ ଏବଂ ଡ୍ରାଫ୍ ଟିମ୍ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବନ୍ୟା ମୁକାବିଲା ପାଇଁ ଜୋର ଲଗାଇ ଦେଇଛି ପ୍ରଶାସନ । ତ୍ୱରିତ ବନ୍ୟା ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅନବରତ ଜାରି ରହିଛି ପ୍ରୟାସ ।

ହାତୀ ନଦୀରେ କମୁଛି ଜଳସ୍ରୋତ, କଳହାଣ୍ଡିରେ ସୁଧୁରୁଛି ସ୍ଥିତି
ଧୀରେ ଧୀରେ ହାତୀ ନଦୀରେ କମୁଛି ବନ୍ୟା, ଆଉ ତାସହ ନିୟନ୍ତ୍ରଣକୁ ଆସୁଛି ବନ୍ୟାସ୍ଥିତି । ହେଲେ ଥୁଆମୁଳ ରାମପୁର ବ୍ଲକରେ ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରିଛି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ । ଯୋଗାଯୋଗ ବିଚ୍ଛନ୍ନ ହୋଇଥିବାରୁ ପ୍ରଶାସନ ଲୋକଙ୍କ ପାଖରେ ପହଂଚିବା ପାଇଁ ସଂଘର୍ଷ କରୁଛି । ଆଉ ଏହାରି ଭିତରେ ୧୫୦ ଜଣ ବୋଲବମ୍ ଭକ୍ତଙ୍କୁ ଉଦ୍ଧାର କରାଯାଇଛି । ଏପଟେ କଲମପୁର ଏବଂ ଜୁନାଗଡ଼ ବ୍ଲକରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ସୁଧାର ଆସୁଛି ।

ଘନ ଘନ ବସୁଛି ବୈଠକ , ପ୍ରସ୍ତୁତ ରହିଛି ମୁକାବିଲାର ନକ୍ସା
ଉଭୟ ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ବନ୍ୟା ସ୍ଥିତି ଉପରେ ରହିଛି ସରକାରଙ୍କ ନଜର । ବନ୍ୟା ସ୍ଥିତିର ମୁକାବିଲା ପାଇଁ ରାୟଗଡ଼ା ଜିଲ୍ଲାର ୧୦ଟି ସ୍ଥାନରେ ହୋଇଛି ରନ୍ଧାଖାଦ୍ୟ ପାଇଁ ବ୍ୟବସ୍ଥା । ୧୦ ହଜାର ଲୋକଙ୍କୁ ଯୋଗାଇ ଦିଆଯାଉଛି ରନ୍ଧାଖାଦ୍ୟ । ଟ୍ୟାଙ୍କର ଜରିଆରେ ଲୋକଙ୍କ ପାଖକୁ ପଠାଯାଉଛି ପିଈବା ପାଣି । କଳହାଣ୍ଡି ଜିଲ୍ଲାର କଲମପୁର ବ୍ଲକରେ ବାଲିଛଡ଼ା, ବିରିପୁର ଏବଂ କର୍ମେଲି ଗାଁରେ ଏବେ ଆଶ୍ରୟସ୍ଥଳରେ ରହିଛି ବନ୍ୟା ପ୍ରପୀଡ଼ିତ । ଥୁଆମୁଳ ରାମପୁରକୁ ଯୋଗଯୋଗ ବିଚ୍ଛିନ୍ନ ରହିଥିବାରୁ ପ୍ରଭାବିତ ହୋଇଛି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ । ତେବେ ଜୁନାଗଡ଼ ବ୍ଲକରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି ।

ଉଭୟ ରାୟଗଡ଼ା ଏବଂ କଳହାଣ୍ଡି ଜିଲ୍ଲାର ବନ୍ୟାସ୍ଥିତି ବାକୁ ଆସୁଥିବା ବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରଶାସନ ପାଇଁ ଏକ ପ୍ରକାର ଚ୍ୟାଲେଂଜ ସୃଷ୍ଟି କରିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପୂର୍ବାନୁମାନ କରାଯାଇଥିବାରୁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ପୁଣି ସମସ୍ୟା ସୃଷ୍ଟି ହେବାର ଆଶଙ୍କା କରାଯାଉଛି ।