ଲଘୁଚାପ ବର୍ଷା ବଢାଇଲା ସମସ୍ୟା! ଇନ୍ଦ୍ରବାତୀ ଦକ୍ଷିଣ କେନାଲରେ ଘାଈ, କଳାହାଣ୍ଡି ଓ ନବରଙ୍ଗପୁରରେ ବନ୍ୟା ପରିସ୍ଥିତି

37

କନକ ବ୍ୟୁରୋ : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଧନସୁଲିଠାରେ ନିର୍ମାଣଧୀନ ପୋଲ ଉପରେ ୩ ଫୁଟର ପାଣି ଚାଲିଛି । ଫଳରେ ପାପଡାହାଣ୍ଡି-କଳାହାଣ୍ଡି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବାଙ୍ଗିରୀ ନଦୀରେ ପାଣି ଯୋଗୁଁ ଇନ୍ଦ୍ରାବତୀ-ନବରଙ୍ଗପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଚିକିଲି ନଦୀ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଛି । ନବରଙ୍ଗପୁର-କଳାହାଣ୍ଡି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପେଟଫୁଲା ନଦୀରେ ପାଣି ଯୋଗୁଁ କୋଡିଙ୍ଗା ଓ ନବରଙ୍ଗପୁର ଯୋଗାଯୋଗ ବି ବିଚ୍ଛିନ୍ନ ହୋଇଛି । ଫଲରେ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହୋଇଛି ।

ସେପଟେ ଲଘୁଚାପ ବର୍ଷା କଳାହାଣ୍ଡିବାସୀଙ୍କ ପାଇଁ ଆଣିଛି ଦୁଃଖ । ଲଘୁଚାପ ବର୍ଷା ଯୋଗୁଁ କଳାହାଣ୍ଡିର ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ଘାଈ ସୃଷ୍ଟି ହୋଇଛି । ଘେନୁଗୁଡା କେନାଲ ନିକଟରେ ୧୫ ଫୁଟର ଘାଇ ହେବା ଫଳରେ ତଳମୁଣ୍ଡରେ ଥିବା ଖବରମାଳ, କୁରୀଗୁମା ଗାଁର ଅନେକ ଘରେ ପାଣି ପଶିଯାଇଛି । ପୂରା ଅଞ୍ଚଳରେ ଏବେ ବନ୍ୟାଜଳ ପଶିଛି । ବ୍ୟାରେଜର ୫ଟି ଗେଟ୍ ବନ୍ଦ ଥିବାବେଳେଳ ହଠାତ୍ ୮ ଶହ କ୍ୟୁସେକ ପାଣି ଛଡା ଯିବା ଦ୍ୱାରା ବନ୍ୟା ପରିସ୍ଥିତି ଦେଖାଦେଇଛି । ଗାଁକୁ ଯିବାକୁ ଥିବା ରାସ୍ତା ସଂପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି । ମୁଖିଗୁଡା-ଜୟପାଟଣା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବ୍ୟାପକ ଜମି ବାଲିଚର ହେବା ସହ ଫସଲ ନଷ୍ଟ ହୋଇଛି । ଗାଁରେ ବନ୍ୟାଜଳ ପଶିବା ପରେ ଲୋକମାନେ ଏବେ ଜଳବନ୍ଦୀ ଜୀବନଯାପନ କରୁଛନ୍ତି।