ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ସମେତ ୫ ରାଜ୍ୟରେ ବନ୍ୟାର ତାଣ୍ଡବ : ୱାଏନାଡରେ ଭୁସ୍ଖଳନ ଯୋଗୁଁ ଫସିଲେ ୧୦୦ ଲୋକ

132

କନକ ବ୍ୟୁରୋ : ମୌସୁମୀ ଜନିତ ଲଗାଣ ବର୍ଷା । ଆଉ ବନ୍ୟାରେ ଜଡସଡ ଜନଜୀବନ । ୫ଟି ରାଜ୍ୟରେ ଦେଖିବାକୁ ମିଳିଛି ବନ୍ୟାର ଭୟଙ୍କର ରୁପ । ପ୍ରବଳ ବର୍ଷା ପରେ ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡିଛି । ଯୁଆଡେ ଅନେଇଲେ କେବଳ ପାଣି ଓ ପାଣି । ସ୍ଥିତି ଏପରି ଯେ ଗଡଚିରୋଲିରେ ଗାଁ ଦାଣ୍ଡରେ ଡଙ୍ଗା ଚାଲିଛି । ସାଙ୍ଗଲି ଓ କୋହ୍ଲାପୁର ଅଂଚଳରୁ ପ୍ରାୟ ୨ଲକ୍ଷ ବନ୍ୟା ବିପନ୍ନଙ୍କୁ ସ୍ଥାନାନ୍ତର କରାଯାଇଛି । ଆଉ ପାଣି ଘେରରେ ଫସିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କରାଯାଉଛି । ଏନଡିଆରଏଫ, ଏସଡିଆରଏଫ୍, କୋଷ୍ଟଗାର୍ଡ, ଆର୍ମି ଓ ନେଭି ଟିମ୍ ମିଳିତ ଭାବେ ଉଦ୍ଧାର କାମରେ ଲାଗିଛନ୍ତି । ମହାରାଷ୍ଟରେ ବନ୍ୟା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

ବନ୍ୟାରେ କେରଳର ସ୍ଥିତି ଅତି ସାଂଘାତିକ ହୋଇଛି । ଏର୍ଣ୍ଣାକୁଲମ, ତ୍ରିସୁର, ପଠାନମଥିଟା, ମଲପୁରମ, କୋଝିକୋଡି ପ୍ରଭାବିତ ହୋଇଛି । ସବୁଠୁ ଅଧିକ ପ୍ରଭାବିତ ୱାଏନାଡ ଅଂଚଳ । ବର୍ଷା ପରେ ବନ୍ୟା ଓ ଏବେ ଭୂସ୍ଖଳନ ୱାଏନାଡବାସୀଙ୍କ ଚିନ୍ତା ବଢାଇ ଦେଇଛି । କୋଚି ବିମାନ ବନ୍ଦରର ରନ୍ୱେରେ ବର୍ଷା ଜଳ ଜମିଥିବାରୁ ଅଗଷ୍ଟ୧୧ ଯାଏଁ ବିମାନ ସେବା ବନ୍ଦ ରଖାଯାଇଛି । ବନ୍ୟାଜନିତ ଭିନ୍ନ ଭିନ୍ନ ଦୁର୍ଘଟଣାରେ ୨୦ରୁ ଅଧିକ ଜୀବନ ଯାଇଥିବା ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି । ସେପଟେ ବନ୍ୟା ମୁକାବିଲା ପାଇଁ କେନ୍ଦ୍ରକୁ ସହାୟତା ମାଗିଛନ୍ତି ରାହୁଲ ଗାନ୍ଧୀ ।

ସେପଟେ ମଧ୍ୟ ପ୍ରଦେଶରେ ମଧ୍ୟ ବନ୍ୟାସ୍ଥିତି ଅଣାୟତ ହୋଇପଡିଛି । ନର୍ମଦା ନଦୀରେ ଜଳ ସ୍ତର ବଢିବା ପରେ ମାଣ୍ଡଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ବର୍ଷା ପରେ ରାସ୍ତା ଓ ଜନବସତି ଆଡକୁ ମାଡି ଆସିଛି ପାଣି । ମାଣ୍ଡଲା ରାସ୍ତାରେ ବନ୍ୟାଜଳର ସ୍ରୋତରେ ଏକ କାର ଭାସିଯାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ସାଝାପୁରରେ ବି ବନ୍ୟା ସ୍ଥିତି ସଙ୍ଗୀନ । ରେଳ ଟ୍ରାକରେ ବନ୍ୟା ପାଣିର ସୁଅ ଛୁଟୁଥିବାରୁ ଯୋଗଯୋଗ ବିଛନ୍ନ ହୋଇଛି । ଏନଡିଆରଏଫ୍ ଟିମ୍ ଯୁଦ୍ଧକାଳୀନ ଭିତିରେ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କାମରେ ଲାଗିଛନ୍ତି ।

ବନ୍ୟାରେ ବେହାଲ ହୋଇପଡିଛି ଦେଶର ପଶ୍ଚିମ ଓ ଦକ୍ଷିଣ ଭାରତର ୫ଟି ରାଜ୍ୟ । ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଛଡା କର୍ଣ୍ଣାଟକ, ଉତାରଖଣ୍ଡ ଓ ହିମାଚଳରେ ବି ବନ୍ୟାର ତାଣ୍ଡବ ଜାରି ରହିଛି ।