ବାତ୍ୟା ତିତଲି ପ୍ରଭାବରେ ୩୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ : ସେପଟେ ଆହୁରି ୨୪ ଘଣ୍ଟା ଲାଗି ରହିବ ବର୍ଷା ବୋଲି କହିଲା ପାଣିପାଗ ବିଭାଗ

66

କନକ ବ୍ୟୁରୋ : ଅତି ପ୍ରଚଣ୍ଡ ରୂପ ଧାରଣ କରି ଭୀଷଣ ସାମୁଦ୍ରିକ ଝଡ଼ବାତ୍ୟା ‘ତିତଲି’  ଭୂଭାଗ ସ୍ପର୍ଶ କରିବା ସହିତ ସୀମାନ୍ତ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାରେ ମହାତାଣ୍ଡବ ରଚନା କରିଛି। ଗୋପାଳପୁରର ଦକ୍ଷିଣ ପଶ୍ଚିମକୁ ଅର୍ଥାତ୍ ୭୦ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ଅନ୍ତର୍ଗତ ପଲାସାଠାରେ ମାଡ଼ ହୋଇଛି। ସେତେବେଳକୁ ପବନର ବେଗ ଘଣ୍ଟାପ୍ରତି ୧୬୫ କିେଲାମିଟର ଥିଲା। ଏପଟେ ଓଡ଼ିଶାର ଗୋପାଳପୁରରେ ଘଣ୍ଟାପ୍ରତି ୧୨୬ କିଲୋମିଟର ବେଗରେ ପବନ ବହିଥିଲା। ଏଭଳି ଉଗ୍ର ରୂପ ଧାରଣ କରି ତିତଲି ଛାରଖାର କରିଦେଇଛି ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାକୁ। ଆଂଶିକ ଭାବେ ପୁରୀ ଜିଲ୍ଲାର କିଛି ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡିଛି।

 

ତିତଲି ଏତେ ଉଗ୍ର ହୋଇ ଉଠିଥିଲା ଯେ ଚାଳ ଘର ତ ଦୂରର କଥା ଟିଣ ଛପର ଉଡାଇ ଦେଇଥିଲା ଶୂନ୍ୟରେ। ଶହ ଶହ ବିଶାଳ ଗଛକୁ ମୋଡି ମକଚି ଧରାଶାୟୀ କରି ଦେଇଥିଲା। ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଦେଇଥିଲା। ଶହ ଶହ ଲୋକ ବାସଚ୍ୟୁତ ହୋଇ ପଡିଥିଲା ବେଳେ ବିଦ୍ୟୁତ ତାର ଛିଣ୍ଡି ବିଛାଡି ହୋଇ ପଡିଥିଲା ରାଜରାସ୍ତାରେ।

 

ଗଂଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ। ସେହିଭଳି ରାୟଗଡା ସ୍ଥିତି ବି ଗମ୍ଭୀର। ଗ୍ରାମାଞ୍ଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ସେହିଭଳି ଆନ୍ଧ୍ର ପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ମୃତକମାନେ ବିଜୟନଗରମ୍ ଏବଂ ଶ୍ରୀକାକୁଲମ ଜିଲ୍ଲାର ବୋଲି ସୂଚନା ମିଳିଛି। ଆନ୍ଧ୍ରର ଏହି ଦୁଇ ଜିଲ୍ଲାରେ ପ୍ରବଳ କ୍ଷୟକ୍ଷତି ହୋଇଛି। ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ଗ୍ରାମାଞ୍ଚଳ ସହ ସହରର ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।

 

ଏପଟେ ବାତ୍ୟା ବିପର୍ଯ୍ୟୟକୁ ଆହୁରି ଅଧିକ ଭୀଷଣ କରିଛି ବର୍ଷା। ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ଗତକାଲି ଠାରୁ ଜାରି ରହିଥିବା ମୂଷଳ ଧାରାରେ ବର୍ଷା କାରଣରୁ ଋଷିକୂଲ୍ୟା, ବଂଶଧାରା, ବାହୁଡା ନଦୀରେ ବଡ଼ ବନ୍ୟା ଆସିଲାଣି। ଏମିତି ଫୁଲୁଛି ଯେ ବ୍ରହ୍ମପୁର-ଭଂଜନଗର, ବ୍ରହ୍ମପୁର-ଆର୍ ଉଦୟଗିରି-ପାରଳାଖେମୁଣ୍ଡି,ପାରଳାଖେମୁଣ୍ଡି-କାଶୀନଗର-ଗୁଣୁପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବନ୍ୟା ଘେରରେ ହଜାର ହଜାର ଲୋକ ଫସି ରହିଛନ୍ତି।

 

ବାହୁଡା ନଦୀର କଳିଙ୍ଗଦୋଳଠାରେ ବିପଦ ସଙ୍କେତ ୩୩ ମିଟର ଥିବା ବେଳେ ଜଳପତ୍ତନ ଏହାଠାରୁ ୭୦ ସେଣ୍ଟିମିଟର ଉପରେ ରହିଛି। ସେହିପରି ବଂଶଧାରା ଗଜପତି ଜିଲ୍ଲାର କାଶୀନଗର ଠାରେ ବିପଦ ସଙ୍କେତ (୫୪.୬ ମିଟର) ଠାରୁ ୧.୦୪ ମିଟର ଉପରେ ରହି ଆହୁରି ବଢୁଛି। ରାୟଗଡାର ଗୁଣୁପୁର ଠାରେ ମଧ୍ୟ ବିପଦ ସଙ୍କେତ (୮୪ମିଟର)ର ଉପରକୁ ଚାଲିଗଲାଣି। ଋଷିକୂଲ୍ୟାର ବିପଦ ସଙ୍କେତ ୧୬.୮୩ମିଟର ଥିବା ବେଳେ ଜଳସ୍ତର ଏହାର ଉପରକୁ ଚାଲିଗଲାଣି। ଜଳକା ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

 

ଗତକାଲି ଠାରୁ ଆଜି ସକାଳ ସୁଦ୍ଧା ଗଜପତି ଜିଲ୍ଲାରେ ୨୨୮.୪ ମିଲିମିଟର, ଆର୍ ଉଦୟଗିରିରେ ୨୨୩.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ସର୍ବାଧିକ ବର୍ଷା ହୋଇଥିଲା ମୋହନରେ (୩୧୫ମିମି)। ସେହିଭଳି ଗଞ୍ଜାମରେ ୧୨୩.୨ ମିମି, ଜଗତସିଂହପୁର ଏରସମାେର ୨୧୦ ମିମି, ବାଲେଶ୍ବରରେ ୧୦୨.୧ ମିମି, କେନ୍ଦ୍ରାପଡାରେ ୭୭.୯ ମିମି, ଯାଜପୁର ଜିଲ୍ଲାରେ ୭୩.୫ ମିମି, କଟକରେ ୭୧.୭ ମିମି, ପୁରୀରେ ୬୯.୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା।

 

ବାହୁଡା ଡ୍ୟାମ୍ ଉପରେ ୬୩ ମିମି ବର୍ଷା ହେବାରୁ ହଠାତ୍ ସବୁ ନଦୀ ଫୁଲି ଉଠିଛି। ଗାଁ ଗଣ୍ଡା ଜଳାର୍ଣ୍ଣବ ହୋଇଯାଇଛି। ପରିଣାମରେ ଲୋକଙ୍କ ଦୁର୍ଦଶା ବହୁଗୁଣିତ ହୋଇଗଲାଣି।କରିଦେଇଛି ଜଣାପଡିଛି ବିପର୍ଯ୍ୟୟକୁ ଏହାସହ ବାତ୍ୟାରେ ମୋଟ ୩୦୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ବର୍ତମାନ ସମୟରେ ବି ଅନେକ ସ୍ଥାନରେ ଲେକମାନେ ଫସିରହିଥିବା ଜଣାପଡିଛି ।