ଓଡିଶାକୁ ପୁଣି ଘାରିଲା ବନ୍ୟା ଭୟ … ମହାନଦୀକୁ ଦେଖିଲେ ମାଡୁଛି ଡର । ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଲୋକେ ଆତଙ୍କିତ

63

କନକ ବ୍ୟୁରୋ: ଜଳବନ୍ଦୀ ହେଲେ ମା’ ଭଟ୍ଟାରିକା । କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ପରିସରରେ ମହାନଦୀର ବନ୍ୟା ଜଳ ପଶିଛି । ପାଣିରେ ମାଙ୍କ ପ୍ରଥମ ଗର୍ଭଗୃହର ପାହାଚ ବୁଡିଯାଇଛି । ହୀରାକୁଦ ଜଳଭଣ୍ଡାରରୁ ଅଧିକ ପାଣି ଆସିଥିବାରୁ ପାଣି ବଢିବା ସମ୍ଭାବନା ରହିଛି । ତେଣୁ ମାଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନାନ୍ତର କରିବାକୁ ଉଦ୍ୟମ କରାଯାଉଛି । ଆଠଗଡ ବଡମ୍ବାରେ ମା’ ଭଟ୍ଟାରିକାଙ୍କ ପୀଠ ରହିଛି । ମହାନଦୀ କୂଳରେ ଏହି ମନ୍ଦିର ଥିବାରୁ ନଦୀରେ ପାଣି ଆସିଲେ ଏଠାରେ ପାଣି ପଶେ ।

ସେପଟେ ଫୁଲୁଛି ସାଳନ୍ଦି ନଦୀ । ହଦଗଡ ଡ୍ୟାମରେ ୩ଟି ଗେଟ୍ ଖୋଲିବା ପରେ ଭଦ୍ରକ ଜିଲ୍ଲାର ତିହିଡି ଓ ଭଦ୍ରକ ବ୍ଲକର ବିଭିନ୍ନ ଗାଁ ଭିତରେ ବନ୍ୟା ଜଳ ପଶଛି । ତିହିଡି ବ୍ଲକରେ ଦୋଳଗୋପବିନ୍ଦା, ବାରୁଅ, ବିଲଣା, ଗୋଡକ, କାପଡା ଓ ଭଦ୍ରକ ବ୍ଲକର ବିଷ୍ଣୁପୁରବିନ୍ଦା, ଅନ୍ନପାଳ ଗାଁ ପାଣି ଘେରରେ ରହିଛି । ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବନ୍ୟା ପାଣି । ଘର ଭିତରେ ବନ୍ୟା ପାଣି ପଶିଛି । ପାଣି ପଶିଯିବାରୁ ଲୋକମାନେ ଘରର ଛାତ ଉପରେ ରହିଥିବା ଦେଖିବାକୁ ମିଳିଛି । ଆତଙ୍କିତ ହୋଇପଡିଛନ୍ତି ଲୋକେ ।

ସେହିପରି ସୁବର୍ଣ୍ଣପୁରରେ ମଧ୍ୟ ଦେଖା ଦେଇଛି ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିବା ପରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ସୁବର୍ଣ୍ଣପୁର ସହରର ତଳିଆ ଅଂଚଳ ତରିଆପଡା, କେଉଟ ପଡା ଓ ଗଡଭିତର ଆଦି ସାହି ଗୁଡିକରେ ପାଣି ପଶିବା ଆଶଙ୍କା ସୃଷ୍ଟି ହୋଇଛି । ବିଜେପୁର ବ୍ରିଜ୍ ଉପରେ ୨ ଫୁଟ୍ର ପାଣି ଚାଲୁଛି । ଫଳରେ ସୋନପୁର-ବୀରମହାରାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମହାନଦୀ ଦୁଇ କୂଳରେ ଥିବା ନିମ୍ନା, ଦଶରାଜପୁର, ସିଣ୍ଢୋଲ, ସୁବଳୟା, କେନ୍ଦୁପାଲି ଆଦି ଗାଁ ଗୁଡିକ ମଧ୍ୟ ଜଳମଗ୍ନ ହେବା ଆଶଙ୍କା ରହିଛି । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତ ୪ ଦିନ ହେଲା ଜିଲ୍ଲାରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ବନ୍ୟା ପରିସ୍ଥିତି ଦେଖା ଦେଇଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି । ସେହିପରି ତେଲ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି ।

ବୌଦ୍ଧ ଜିଲ୍ଲାରେ ବି ବନ୍ୟା ପରିସ୍ଥିତି । ହୀରାକୁଦ ଡ୍ୟାମ୍ ଗେଟ୍ ଖୋଲିବା ପରେ ବୌଦ୍ଧ, ହରଭଙ୍ଗା, କଂଟାମାଳ ୩ଟି ବ୍ଲକ୍ରେ ବନ୍ୟା ପରିସ୍ଥିତି ସୃ୍ଷ୍ଟି ହୋଇଛି । ଜଗନ୍ନାଥ ସଡକ ଉପରେ ୫ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ବୌଦ୍ଧ-ହରଭଙ୍ଗା ମଧ୍ୟରେ ଯୋଗାଯୋଗ ବିିଛିନ୍ନ ହୋଇଛି । ସେହିପରି କଂଟାମାଳ–ଘଂଟାପଡା ଅଡାଗଡି ପୋଲ ଉପରେ ୩ଫୁଟ ଉଚ୍ଚର ପାଣି ଚାଲୁଛି । ଫଳରେ କଂଟାମାଳ–ଘଂଟାପଡା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ୧୧ଟି ପଂଚାୟତରେ ବନ୍ୟା ଜଳ ପଶି ୪୦ରୁ ଅଧିକ ଗାଁର ଲୋକେ ଜଳବନ୍ଦୀ ହୋଇଛନ୍ତି । ଏହି ଅଂଚଳ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି । ଏକର ଏକର ଜମିରେ ପାଣି ପଶିଛି । ପ୍ରଶାସନ ସ୍ଥିତି ଅନୁଧ୍ୟାନ କରୁଛି ।

ସେହିପରି ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ବାଲିମେଳା ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ୨ଟି ଗେଟ୍ ଖୋଲି ଦିଆଯାଇଛି । ବାଲିମେଳା ଜଳଭଣ୍ଡାରର ଜଳସ୍ତର ବିପଦ ସଂକେତ ଛୁଇଁବା ପରେ ଦିନ ୧୦ ଟା ସୁଦ୍ଧା ଦୁଇଟି ଗେଟ୍ ଖୋଲିବା ପାଇଁ ନିଷ୍ପତି ନେଇଥିଲା ଜିଲ୍ଲା ପ୍ରଶାସନ । ବାଲିମେଳା ଜଳ ଭଣ୍ଡାରର କ୍ଷମତା ୧୫ଶହ ୬୦ ଫୁଟ ରହି ଥିବା ବେଳେ ଗତକାଲି ସନ୍ଧ୍ୟା ସୁଦ୍ଧା ଏହା ୧୫ ଶହ ୧୧ ଦଶମିକ ୭ ଫୁଟ ରହିଥିଲା । ସେପଟେ ଜିଲ୍ଲାର ଗୁରୁପ୍ରୀୟା ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ଜଳଭଣ୍ଡାରର ଜଳସ୍ତର ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ତେଣୁ ଏହା ତଳିଆ ଅଂଚଳରେ ବନ୍ୟା ପରସ୍ଥିତି ସୃଷ୍ଟି କରିପାରେ ।