ଅନଲାଇନ ସପିଂ କରୁଛନ୍ତି କି ? ଅବଲମ୍ବନ କରନ୍ତୁ ସାବଧାନତା, ମୋବାଇଲ ଫୋନ ବଦଳରେ ବାହାରୁଛି ସାବୁନ ।

47

ଦିନକୁ ଦିନ ଦେଶ ବିଦେଶରେ ବଢିଚାଲିଛି ଅନଲାଇନ ସପିଂ । ଏହା କେବଳ ସହର ନୁହେଁ ଏମିତିକି ଗାଁ ଗୁଡିକରେ ମଧ୍ୟ ପହଞ୍ଚିପାରିଛି । ଯଦିଓ ଲୋକ ମାନେ ଅନଲାଇନ ସପିଂ ଦ୍ୱାରା ଉପକୃତ ହେଉଛନ୍ତି କିନ୍ତୁ ଅପରପକ୍ଷରେ ବେଳେ ବେଳେ ଏପରି ଘଟଣା ସାମ୍ନାକୁ ଆସେ ଯାହାକୁ ନେଇ ଗ୍ରାହକ ମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏମିତିବି କେତେକ ଘଟଣା ଦେଖାଦେଇଛି , ଉପଭୋକ୍ତା ଗୋଟେ ପ୍ରଡକ୍ଟ ଅନଲାଇନରୁ ଅଡର କରିଥାନ୍ତି କିନ୍ତୁ କମ୍ପାନୀ ସେମାନଙ୍କୁ ଅନ୍ୟ ଏକ ପ୍ରଡକ୍ଟ ଦେଇଥାଏ ।

ଆଜିକାଲି ଲୋକମାନେ ନିଜର ଦୈନନ୍ଦିନ ଜୀବନରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ତାଙ୍କ ପାଖରେ ଦୋକାନ ଯାଇ ସାମଗ୍ରୀ କିଣିବା ସମ୍ଭବ ହେଉନାହିଁ । ତେଣୁ ଅଧିକାଂଶ ଉପଭୋକ୍ତା ଦୋକାନ ବଦଳରେ ଘରେ ବସି ଖୁବ ସହଜରେ ଅନଲାଇନରୁ ଜିନିଷ ଅଡର କରୁଛନ୍ତି । ଅନଲାଇନ ଅଡର କରିବା ଦ୍ୱାରା ଲୋକ ମାନେ ତାଙ୍କ ନିତିଦିନର କାମକୁ ନଛାଡି ଘରେ ବସି ପ୍ରଡକ୍ଟକୁ ଗ୍ରହଣ କରିପାରୁଛନ୍ତି । କିନ୍ତୁ ଅନଲାଇନ ସପିଂ ଯେତିକି ସହଜ ସେତିକି କ୍ଷତିଦାୟକ ମଧ୍ୟ ହୋଇଥାଏ । ଏହିଭଳି ଏକ ଘଟଣା ରାଞ୍ଚିର ହୁରମ ଅଞ୍ଚଳରେ ଘଟିଛି ।

ସୂଚନା ଅନୁଯାୟୀ, ରାଞ୍ଚିର ହରମୁ ଅଞ୍ଚଳରେ ବାସ କରୁଥିବା ସୁଧୀର କୁମାର ଶର୍ମା ଫ୍ଲିପକାର୍ଟରୁ ଏକ ଏମଆଇ ନୋଟ ୫ ମୋବାଇଲ ଫୋନ ଅର୍ଡର କରିଥିଲେ । ଯୁବକ ଜଣକ ୯,୯୯୯ ଟଙ୍କା ଦେଇ ଅର୍ଡର କରିଥିଲା । କିଛିଦିନ ପରେ ପ୍ରଡକ୍ଟଟି ଠିକଣା ସ୍ଥାନରେ ପହଞ୍ଚିଥିଲା । ସୁଧୀର ପ୍ରଡକ୍ଟଟିକୁ ଖୋଲି ଦେଖିବାକୁ ପାଇଥିଲେ ସେଥିରେ ଏମଆଇ ମୋବାଇଲ ଫୋନ ବଦଳରେ ଏମଆଇ ଖୋଳରୁ ୩ଟି ଲାଇବଏ ସାବୁନ ପ୍ୟାକିଂ ହୋଇ ଆସିଛି । କିନ୍ତୁ ଯୁବକ ଜଣକ ଖୁବ ଚାଲାକିର ସହ ପ୍ରଡକ୍ଟ ଖୋଲିବା ପୂର୍ବରୁ ମାବାଇଲ ଫୋନ ଯୋଗେ ଏକ ଭିଡିଓ ବନାଇଥିଲେ । ଏହି ଘଟଣା ପରେ ସୁଧୀର ଫ୍ଲିପକାର୍ଟ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଫ୍ଲିପକାର୍ଟ ୨୪ ଘଣ୍ଟା ମଧ୍ୟରେ ଏହି ଘଟଣାର ସମାଧାନ କରିବା ପାଇଁ ଟ୍ୱିଟ ଜରିଆରେ ସୁଧୀରଙ୍କୁ ଆଶ୍ୱାସନା ଦେଇଛନ୍ତି । କିନ୍ତୁ ଏହି ଘଟଣାକୁ ନେଇ ଏକ ପ୍ରଶ୍ନ ଉପୁଜିଛି, ସୁଧୀର ପ୍ୟାକେଟ ଖୋଲିଲା ପୂର୍ବରୁ ଯଦି ଭିଡିଓ କରନଥାନ୍ତା ତେବେ କଣ ଫ୍ଲିପକାର୍ଟ ଏହି ଘଟଣାକୁ ସ୍ୱୀକାର କରିଥାନ୍ତା ? ତେଣୁ ଉପଭୋକ୍ତା ମାନେ ଅନଲାଇନରୁ ସପିଂ କରିବା ବେଳେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ।