ଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡିଲା ବିମାନ ! ପ୍ରଥମ ଦିନରେ ଗଲେ ୨୮ ଆସିଲେ ୧୬୫ ଯାତ୍ରୀ

ୱାଟର୍ କ୍ୟାନନ୍ ମାଧ୍ୟମରେ ବିମାନକୁ କରାଗଲା ସ୍ୱାଗତ

258

କନକ ବ୍ୟୁରୋ : ଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡିଲା ବିମାନ । ଭୁବନେଶ୍ୱରରୁ କ୍ୱାଲାଲମପୁରକୁ ବିମାନ ଉଡାଣ ସଫଳ ହେବା ପରେ ଏୟାର ଏସିଆ ବ୍ୟାଙ୍କକକୁ ବିମାନ ସେବା ଆରମ୍ଭ କରିଛି । ମଧ୍ୟରାତ୍ରୀରେ ଭୁବନେଶ୍ୱରରୁ ବ୍ୟାଙ୍କକକୁ ପ୍ରଥମ ଉଡାଣ ଭରିଛି ଏୟାର ଏସିଆର ଏହି ବିମାନ । ୱାର୍ଟର କେନନ୍ ସାଲୁଟ୍ ସହ ପ୍ରଥମ ଉଡ଼ାଣ ଭରିଛି ଏହି ବିମାନ । ପ୍ରଥମ ଦିନରେ ବ୍ୟାଙ୍କକକୁ ଏୟାର ଏସିଆ ବିମାନରେ ୨୮ ଜଣ ଯାତ୍ରୀ ଯାଇଥିଲେ । ଆଉ ଆସିଥିଲେ ୧୬୫ ଜଣ ଯାତ୍ରୀ । ସୂଚନା ଅନୁସାରେ ଏହି ବିମାନ ସପ୍ତାହକୁ ୩ ଦିନ, ରବିବାର, ବୁଧବାର ଏବଂ ଶୁକ୍ରବାର ଭୁବନେଶ୍ୱରରୁ ବ୍ୟାଙ୍କକ୍ ଅଭିମୁଖେ ଯାତ୍ରା କରିବ ।

ଏହାପୂର୍ବରୁ ଆଜି ସଂସ୍କୃତି ଓ ପର‌୍ୟ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର‌୍ୟ୍ୟଟନ ସଚିବ ବିଶାଲ ଦେବ, ପର‌୍ୟ୍ୟଟନ ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ଭୁବନେଶ୍ବର ବିମାନବନ୍ଦରର ଭାରପ୍ରାପ୍ତ ନିର୍ଦ୍ଦେଶକ ଦେବାଶିଷ ସାହୁ, ଏୟାର ଏସିଆର ଭାରତ ଦାୟିତ୍ବରେ ଥିବା ମହାପ୍ରବନ୍ଧକ ସୁରେଶ ନାୟାର, ଷ୍ଟେସନ ମ୍ୟାନେଜର ଶ୍ରୀନିବାସନ୍ ବି, ହୋଟେଲ କ୍ରାଉନ୍ର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ ପ୍ରମୁଖ ବିମାନବନ୍ଦର ପରିସରରେ ଏୟାର ଏସିଆର ଚେକ୍ ଇନ୍ କାଉଣ୍ଟର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ବିମାନ ସେବାକୁ ଉଦ୍ଘାଟନ କରିଥିଲେ।

ଏୟାର ଏସିଆ ପକ୍ଷରୁ ସପ୍ତାହକୁ ତିନି ଦିନ ଭୁବନେଶ୍ବରରୁ ବ୍ୟାଙ୍କକ୍ ବିମାନ ସେବା ଆରମ୍ଭ ହେବ। ଭୁବନେଶ୍ବରରୁ ରବିବାର, ବୁଧବାର ଓ ଶୁକ୍ରବାର ବିମାନ ବ୍ୟାଙ୍କକ୍ ଅଭିମୁଖେ ଯିବ। ଏଠାରୁ ବିମାନ ଏଫ୍ଡି-୧୧୩ ବିମାନ ରାତି ୧୨ଟା ୨୫ରେ ବାହାରି ବ୍ୟାଙ୍କକ୍ରେ ସ୍ଥାନୀୟ ସମୟ ଅନୁଯାୟୀ ରାତି ୪ଟା ୩୦ରେ ପହଞ୍ଚିବ। ଓଡ଼ିଶାର ଯାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ସଂସ୍ଥା ପ୍ରଥମ ତିନି ଦିନ ପାଇଁ ଭଡ଼ାରେ ୨୦% ରିହାତି ପ୍ରଦାନ କରାଯାଇଛି। ଏଥିପାଇଁ ଶୁକ୍ରବାରଠାରୁ ରବିବାର ପର‌୍ୟ୍ୟନ୍ତ ୩ ଦିନ ଏସ୍ପ୍ଲାନେଡ୍ ମଲ୍ରେ ଏୟାର ଏସିଆର ଷ୍ଟଲ ଲାଗିବ। ଯେଉଁ ଯାତ୍ରୀ ଏହି ଷ୍ଟଲରୁ ଟିକଟ ନେବେ ସେମାନଙ୍କୁ ୨୦% ରିହାତିରେ ଟିକେଟ ମିଳିବ ବୋଲି ସଂସ୍ଥା ଘୋଷଣା କରିଛି।