ଆରମ୍ଭ ହେବ ଭୁବନେଶ୍ୱରରୁ ଅହମ୍ମଦାବାଦ ବିମାନ ସେବା : ସେପ୍ଟେମ୍ବର ୨ତାରିଖ ଦିନ ପ୍ରଥମ ଥର ପାଇଁ ଉଡ଼ାଣ ଭରିବ ଇଣ୍ଡିଗୋ

49

କନକ ବ୍ୟୁରୋ : ଭୁବନେଶ୍ୱରରୁ ଗୁଜୁରାଟର ଅହମ୍ମଦାବାଦକୁ ଆସନ୍ତା ସେପ୍ଟେମ୍ବର ୨ତାରିଖରୁ ବିମାନ ସେବା ଆରମ୍ଭ ହେବ । ଇଣ୍ଡିଗୋ ଏହି ରୁଟ୍‌ରେ ପ୍ରଥମ କରି ବିମାନ ସେବା ଆରମ୍ଭ କରିବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ବିମାନ ୬ଇ-୯୫୩ ସକାଳ ୮ଟା ୫୫ରେ ଅହମ୍ମଦାବାଦରୁ ଭୁବନେଶ୍ୱର ଅଭିମୁଖେ ବାହାରି ଭୁବନେଶ୍ୱରରେ ପୂର୍ବାହ୍ନ ୧୧ଟା ୨୦ରେ ପହଞ୍ଚିବ । ସେହିପରି ଭୁବନେଶ୍ୱରରୁ ବିମାନ ୬ଇ-୯୫୪ ପୂର୍ବାହ୍ନ ୧୧ଟା ୫୦ରେ ଅହମ୍ମଦାବାଦ ଅଭିମୁଖେ ଉଡ଼ାଣ କରି ସେଠାରେ ଅପରାହ୍ନ ୨ଟା ୧୦ରେ ପହଞ୍ଚିବ ।

ଇଣ୍ଡିଗୋ ଏହାସହ ଭୁବନେଶ୍ୱରରୁ ଆଉ ଏକ ବିମାନ ହାଇଦ୍ରାବାଦକୁ ଉଡ଼ାଣ କରିବ । ସେପ୍ଟେମ୍ବର ୧ରୁ ବିମାନ ୬ଇ-୬୫୨ ହାଇଦ୍ରାବାଦରୁ ପୂର୍ବାହ୍ନ ୧୦ଟା ୫୫ରେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୧୨ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବ । ଏଠାରୁ ବିମାନ ୬ଇ-୬୫୭ ଅପରାହ୍ନ ୧ଟାରେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୨ଟା ୩୫ରେ ହାଇଦ୍ରାବାଦରେ ପହଞ୍ଚିବ । ଏବେ ହାଇଦ୍ରାବାଦକୁ ଦିନକୁ ୫ଟି ବିମାନ ଯାତାୟତ କରୁଥିବାବେଳେ ଏଥିରୁ ତିନିଟି ଇଣ୍ଡିଗୋର । ହାଇଦ୍ରାବାଦକୁ ନୂଆ ବିମାନ ସେବା ଆରମ୍ଭ ହେଲେ ଇଣ୍ଡିଗୋ ବିମାନ ସଂଖ୍ୟା ୪ରେ ପହଞ୍ଚିବ ।

ସୂଚନାଯୋଗ୍ୟ ଗତ କିଛି ଦିନ ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରୁ ବ୍ୟାଙ୍କକକୁ ସିଧାସଳଖ ବିମାନ ସେବା ବନ୍ଦ କରିଦେଇଥିଲା ଏୟାର ଇଣ୍ଡିଆ । ପରିଚାଳନାଗତ ସମସ୍ୟା ଯୋଗୁଁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ଉଡାଣ ବନ୍ଦ ରଖାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ୭ ମାସ ହେଲା ସପ୍ତାହକୁ ୩ ଦିନ, ବ୍ୟାଙ୍କକକୁ ବିମାନ ସେବା ଜାରି ରହିଥିଲା । କାରଣ ଦର୍ଶାଯାଇଥିଲା, ପରିଚାଳନାଗତ ସମସ୍ୟା ଯୋଗୁଁ ଏହି ରୁଟରେ ବର୍ତ୍ତମାନ ବିମାନ ସେବା ଯୋଗାଇହେବ ନାହିଁ । ଫଳରେ ଜୁଲାଇ ୧୬ରୁ ସେପ୍ଟେମ୍ବର ୩୦ଯାଏଁ ବିମାନ ସେବା ବନ୍ଦ ରହିବ । ତେବେ ପୁଣି କେବେ ଭୁବନେଶ୍ୱରରୁ ବିମାନ ଉଡାଣ ଆରମ୍ଭ ହେବ ତାର ସୂଚନା ଦିଆଯାଇନାହିଁ । ଫଳରେ ଅନିଶ୍ଚିତତା ଘେରକୁ ଚାଲିଆସିଛି ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆନ୍ତର୍ଜାତୀକ ବିମାନ ସେବା ।