ଦେଶର ବଡ ବଡ ସହରକୁ ସିଧାସଳଖ ଯୋଡ଼ି ହେଲା ପଶ୍ଚିମ ଓଡ଼ିଶା । ଝାରସୁଗୁଡ଼ା ବିମାନବନ୍ଦରରୁ ଆରମ୍ଭ ହେଲା ନିୟମିତ ବିମାନ ସେବା ।

228

କନକ ବ୍ୟୁରୋ : ସତ ହେଲା ଝାରସୁଗୁଡାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ । ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆରମ୍ଭ ହେଲା ବିମାନ ଉଡାଣ । ପ୍ରଥମ ଦିନରେ ୨ ଟି ସ୍ପାଇଶ୍ ଜେଟ୍ ବିମାନ ବିମାନବନ୍ଦରରୁ ଉଡାଣ ଭରିଛି । ପ୍ରଥମ ବିମାନଟି ନୂଆଦିଲ୍ଲୀକୁ ଓ ଦ୍ୱିତୀୟ ବିମାନଟି ହାଇଦ୍ରାବାଦକୁ ଯାତ୍ରୀଙ୍କୁ ନେଇ ଉଡାଣ ଭରିଛି । ଗତ ସେପ୍ଟେମ୍ୱର ୨୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏହି ବିମାନବନ୍ଦରକୁ ଉଦଘାଟନ କରିଥିଲେ ।

ତେବେ ଏହାର ୧୦ ଦିନ ପରେ ବିମାନବନ୍ଦରରୁ ବିମାନ ଉଡାଣ ବନ୍ଦ ହୋଇଯାଇଥିଲା । ଆଜି ଅପରାହ୍ନ ୩ଟା ୪୦ ମିନିଟରେ ଝାରସୁଗୁଡାରୁ ନୂଆଦିଲ୍ଲୀକୁ ୧୮୯ ଆସନ ବିଶିଷ୍ଟ ବିମାନଟି ପ୍ରଥମେ ଉଡାଣ କରିଛି । ସେହିପରି ଅପରାହ୍ମ ୪ଟା ୧୦ ମିନିଟରେ ହାଇଦ୍ରାବାଦକୁ ଝାରସୁଗୁଡାରୁ ଦ୍ୱିତୀୟ ବିମାନଟି ଉଡାଣ ଭରିଛି । ଝାରସୁଗୁଡା ବିମାନ ବନ୍ଦରରୁ ପୁଣି ଥରେ ବିମାନ ଉଡାଣ ଆରମ୍ଭ ହେବା ପରେ ସାରା ଦେଶ ସହିତ ପଶ୍ଚିମ ଓଡିଶା ଯୋଡି ହେବାକୁ ବାଟ ଖୋଲି ଯାଇଛି । ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଖୁସି ଖେଳିଯାଇଛି ।

Comments are closed.