ଦ୍ରୁତ ଗତିରେ ଚାଲିଛି ନିର୍ମାଣ କାମ ! ଖୁବଶୀଘ୍ର ଜୟପୁରରୁ ଉଡ଼ିବ ବିମାନ

112

କନକ ବ୍ୟୁରୋ : ଫେବୃଆରି ପ୍ରଥମ ସପ୍ତାହ ସୁଦ୍ଧା ଜୟପୁରରୁ ରାଜ୍ୟ ମଧ୍ୟରେ ଆରମ୍ଭ ହେବ ବ୍ୟବସାୟିକ ବିମାନ ଚଳାଚଳ । ଏଥିପାଇଁ ଜୟପୁର ଏୟାରଷ୍ଟ୍ରିପରେ ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଛି । ଅଧାରୁ ଅଧିକ କାମ ଶେଷ ହୋଇଯାଇଥିବା ବେଳେ ବାକି ଥିବା କାର୍ଯ୍ୟ ଚଳିତ ମାସ ସୁଦ୍ଧା ଶେଷ ହୋଇଯିବ । ସେହିପରି ଡିଜିସିଏ ନିକଟରେ ଲାଇସେନ୍ସ ପାଇଁ କାଗଜପତ୍ର କାମ ପ୍ରାୟ ଶେଷ ହୋଇଯାଇଛି । ଚଳିତ ମାସ ଶେଷ ସପ୍ତାହରେ ଡିଜିସିଏ ନିକଟରେ ଲାଇସେନ୍ସ ପାଇଁ ଆବେଦନ କରିବ ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ନିକଟରେ ଲାଇସେନ୍ସ ଫାଇଲ ରହିଥିବା ଜଣାପଡିଛି ।

ଏଟିସିର ବରିଷ୍ଠ ଅଧିକାରୀଙ୍କ ସହ କମ୍ୟୁନିକେସନ ବିଭାଗର ୨ ଜଣ ବରିଷ୍ଠ ଇଞ୍ଜିନିୟର ଚଳିତ ସପ୍ତାହରେ ନିର୍ମାଣ କାର୍ଯ୍ୟର ତଦାରଖ କରିବାକୁ ଆସିବେ ବୋଲି ସୂଚନା ମିଳିଛି । ଏୟାର ଟ୍ରାଫିକ କଣ୍ଟ୍ରୋଲର ସମ୍ପନ୍ଧୀୟ ଭିତ୍ତିଭୂମିକୁ ଦେଖିବା ସହ ଏଟିସି ପ୍ରତିଷ୍ଠା ଦିଗରେ ଏହି ଅଧିକାରୀମାନେ କାର୍ଯ୍ୟ କରିବେ । ଏଥିପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତର ଆବଶ୍ୟକତା ରହିଥିବା ବେଳେ ସାଉଥକୋ ପକ୍ଷରୁ ୩୩ କେଭିର ବିଦ୍ୟୁତ ତାର ସହ ଉଚ୍ଚ କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି ।

କିନ୍ତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ବେଳକୁ ସ୍ଥାନୀୟ କିଛି ଲୋକ କେଁ ପୂରାଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ପକ୍ଷରୁ ବିଦ୍ୟୁତ ସଂଯୋଗ ପାଇଁ ୩ଟି ପୋଲ ବେସରକାରୀ ଜାଗାରେ ସ୍ଥାପନ କରାଯାଇଛି । ତେଣୁ ଆଜି ୱିସକୋ, ରାସ୍ତା ଓ ଗୃହ ବିଭାଗ ବରିଷ୍ଠ ଅଧିକାରୀ, ଆରଆଇଙ୍କ ସହ ଜଣେ ଅମିନ ଏହି ମାପଚୁପ କରିଥିଲେ । ବେସରକାରୀ ଜମିରେ ରହିଥିବା ଖୁଣ୍ଟକୁ ସରକାରୀ ଜମିରେ ସ୍ଥାପନ କରି ବିଦ୍ୟୁତ ତାରକୁ ଟଣାଯିବ ବୋଲି କତ୍ତୃର୍ପକ୍ଷ କହିଛନ୍ତି ।

ସୂଚନାଯୋଗ୍ୟ / ୨୦୧୬ ଡିସେମ୍ବର ମାସରୁ ବନ୍ଦ ହୋଇଥିବା ବିମାନ ଚଳାଚଳ ପୁଣି ଜୟପୁରରୁ ରାଜ୍ୟ ଭିତରେ ଆରମ୍ଭ ହେବ ଆଶା ଦେଖାଦେଇଛି । ଭୁବନେଶ୍ବରରୁ-ଜୟପୁର ଓ ଜୟପୁର-ଭୁବନେଶ୍ବର ପ୍ରତିଦିନ ଏହି ବିମାନ ଚଳାଚଳ କରିବା ସହ ଝାରସୁଗୁଡା ଓ ଉତକେଲା (କଳାହାଣ୍ତି)କୁ ମଧý ଉଡାଣ କରିବାର ଯୋଜନା ରହିଛି । ପ୍ରତି ଯାତ୍ରୀଙ୍କ ପିଛା ଟିକେଟ ଦର ଅନୁମାନିକ ୨୫୦୦ଟଙ୍କା ହୋଇପାରେ । ‘ଉଡେ ଦେଶ କା ଆମ ନାଗରିକ’(ଉଡାନ) ଯୋଜନାର ପ୍ରଥମ ପର୍ଯ୍ୟାୟରେ ଜୟପୁର ଏୟାର ଷ୍ଟ୍ରିପ୍ ସାମିଲ ହୋଇଥିଲା ।