ପରୀକ୍ଷା କେନ୍ଦ୍ର ପାଇଁ ଫିକ୍ସିଂ ? ପ୍ଲସ ଟୁ ପରୀକ୍ଷା କେନ୍ଦ୍ର ପାଇଁ ଫିକ୍ସିଂ ନେଇ ସାଙ୍ଘାତିକ ଅଭିଯୋଗ ଆଣିଲେ ପରୀକ୍ଷା କମିଟି ସଭ୍ୟ । କହିଲେ, ଲାଞ୍ଚ ଦେଇ ସେଣ୍ଟର ବଦଳାଉଛନ୍ତି ସିଏଚଏସଇର ଅସାଧୁ କର୍ମଚାରୀ

362

କନକ ବ୍ୟୁରୋ: ଲାଂଚ ନେଇ ପ୍ଲସ ଟୁ ପରୀକ୍ଷା କେନ୍ଦ୍ର ବଦଳାଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀ । ଏଭଳି ଗୁରୁତର ଅଭିଯୋଗ କରିଛନ୍ତି ଯୁକ୍ତ ଦୁଇ ପରୀକ୍ଷା କମିଟି ସଭ୍ୟ । ଅଭିଯୋଗ ହୋଇଛି, କିଛି ଅସାଧୁ କର୍ମଚାରୀ ଲାଂଚ ନେଇ ପରୀକ୍ଷା କେନ୍ଦ୍ର ବଦଳାଇ ଦେଇଛନ୍ତି । କମିଟି ପୂର୍ବରୁ ଦେଇଥିବା ପରୀକ୍ଷା କେନ୍ଦ୍ର ତାଲିକାକୁ ବେଖାତିର କରି ଆଉ ଏକ ତାଲିକା ପ୍ରକାଶ କରାଯାଇଛି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ବିଧାୟକ ତଥା କମିଟି ସଦସ୍ୟ ସନ୍ତୋଷ ସିଂ ସାଲୁକା ଓ କିଶୋର ମହାନ୍ତି । ଏଭଳି ଅଭିଯୋଗ ଆଣି କମିଟିର ଅନ୍ତରୀଣ ବୈଠକରୁ ଅଧାରୁ ବାହାରିଯାଇଛନ୍ତି କମିଟି ସଭ୍ୟ ।

ଯେଉଁ କଲେଜରେ ପୂର୍ବ ବର୍ଷ କୌଣସି କପି ହୋଇନାହିଁ କି ପରୀକ୍ଷା କେନ୍ଦ୍ର ବାତିଲ ହୋଇନାହିଁ ସେଠାରେ ପରୀକ୍ଷା କେନ୍ଦ୍ର କରିବା ପାଇଁ କମିଟି ପ୍ରସ୍ତାବ ଦେଇଥିଲା । ତାହାକୁ ବଦଳା ଯାଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଉପପରୀକ୍ଷା ନିୟନ୍ତ୍ରକ ।

ମାର୍ଚ୍ଚ ୩ରୁ ଆରମ୍ଭ ହେବ ପ୍ଲସ ଟୁ ପରୀକ୍ଷା । ୧୧୪୨ଟି ସେଂଟରରେ ୩ ଲକ୍ଷ ୪୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ପରୀକ୍ଷା କେନ୍ଦ୍ର ପାଇଁ ଫିକ୍ସିଂ ହୋଇଥିବା ଅଭିଯୋଗ, ପୂରା ପ୍ରକ୍ରିୟାକୁ ସଂଦେହ ଘେରକୁ ଟାଣିନେଇଛି ।