ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୫ଟି ବିଶ୍ୱବିଦ୍ୟାଳୟର କୁଳପତି ବଦଳିବେ

50

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୫ଟି ବିଶ୍ୱବିଦ୍ୟାଳୟର କୁଳପତି ବଦଳିବେ। ନୂଆ କୁଳପତି ନିଯୁକ୍ତି ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) କୁଳପତି ଚୟନ ପ୍ରକ୍ରିୟା ଜାରି ରହିିଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଏବଂ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ନୂତନ କୁଳପତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ମାସରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବାକୁ ଯାଉଛି। ତେଣୁ ୫ ବିଶ୍ୱବିଦ୍ୟାଳୟର କୁଳପତି ପରିବର୍ତନ ହେଉଥିବାରୁ ଏହାକୁ ନେଇ କୁଳାଧିପତିଙ୍କ କାର୍ଯ୍ୟାଳୟ ତଥା ରାଜଭବନ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି।

ବିପିୟୁଟି କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ। ଯେଉଁଥିପାଇଁ ଗତ ୩ ମାସ ହେଲା ଭାରପ୍ରାପ୍ତ କୁଳପତିରେ କାମ ଚାଲିଛି। ବୈଷୟିକ ଶିକ୍ଷା ବିଭାଗ ସଚିବ ଏହି ଦାୟିତ୍ୱରେ ରହିଛନ୍ତି। ଇତିମଧ୍ୟରେ ନୂତନ କୁଳପତିଙ୍କ ଚୟନ ପ୍ରକ୍ରିୟା ଲାଗି ଗଠିତ କମିଟି ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ନୂତନ କୁଳପତି ଚୟନ ହେବାର ସମ୍ଭବନା ରହିଛି।

ସେହିପରି ୨୦୧୫ରେ ସମ୍ବଲପୁରରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ନୂତନ ତଥା ସ୍ଥାୟୀ କୁଳପତି ଚୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତିଷ୍ଠା ହେବା ଦିନରୁ ପ୍ରଫେସର ଶ୍ରୀକାନ୍ତ ମହାପାତ୍ରଙ୍କୁ ପ୍ରଥମେ ଓଏସ୍‌ଡି ଏବଂ ପରବର୍ତୀ ସମୟରେ ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଏବେ ସ୍ଥାୟୀ କୁଳପତି ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୨୪ ତାରିଖ ମଧ୍ୟରେ ଆଗ୍ରହୀ ପ୍ରଫେସର ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ କୁହାଯାଇଛି।

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ତେଣୁ ନୂତନ କୁଳପତି ଚୟନ ଲାଗି ମଧ୍ୟ ଗତ ୨୬ ତାରିଖଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ପ୍ରଫେସରମାନେ ନଭେମ୍ବର ୩୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ୟୁଜିସି ନିୟମ ଅନୁଯାୟୀ ଚୟନ ପ୍ରକ୍ରିୟା ହେବ ବୋଲି ବିଶ୍ୱବିଦ୍ୟାଳୟ କୁଳସଚିବ ସୂଚନା ଦେଇଛନ୍ତି।

ରାଜ୍ୟର ଅନ୍ୟତମ ବୈଷୟିକ ବିଶ୍ୱବିଦ୍ୟାଳୟ ‘ଭିସୁଟ୍‌’ କୁଳପତି ପ୍ରଫେସର ଇ. ସାଇବାବା ରେଡ୍ଡିଙ୍କ କାର୍ଯ୍ୟକାଳ ଚଳିତମାସରେ ଶେଷ ହେଉଛି। ତାହା ପୂର୍ବରୁ ନୂତନ କୁଳପତି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଡିସେମ୍ବର ୧ ମଧ୍ୟରେ ଆଗ୍ରହୀ ପ୍ରଫେସରମାନେ ଆବେଦନ କରିପାରିବେ। ୩ ବର୍ଷ ଲାଗି ନିଯୁକ୍ତ ହେବାକୁ ଥିବା କୁଳପତିଙ୍କ ଚୟନ ଲାଗି ଏକ ସର୍ଚ୍ଚ କମିଟି ଗଠିତ ହେବ। ଏଥିପାଇଁ ବୈଷୟିକ ଶିକ୍ଷାରେ ଦକ୍ଷତା ଥିବା ୩ ଜଣ ବ୍ୟକ୍ତିବିଶେଷଙ୍କୁ ନେଇ ଏକ କମିଟି ଗଠନ କରାଯିବ। ସମ୍ପୃକ୍ତ କମିଟିର ସୁପାରିସ୍‌ ଆଧାରରେ କୁଳାଧିପତି ତଥା ରାଜ୍ୟପାଳ ନୂତନ କୁଳପତି ଚୟନ ଲାଗି ସାକ୍ଷାତକାର ନେବେ।

ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ ଡିସେମ୍ବର ମାସରେ ଶେଷ ହେବାକୁ ଯାଉଛି। ଏଥିପାଇଁ ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜଭବନ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ଶେଷ ସୁଦ୍ଧା ୪ଟି ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୧୮ ଜାନୁଆରି ସୁଦ୍ଧା ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଚୟନ କରାଯିବ।