ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠରେ ‘ଫାଇଭ-ଟି’ ସଚିବ । ସୁଆଣ୍ଡୋ ଗାଁର ବିକାଶ ନେଇ ଭି.କେ ପାଣ୍ଡିଆନଙ୍କ ଚର୍ଚ୍ଚା, ପୁରୀ ପ୍ରଶାସନ ସହ କଲେ ଆଲୋଚନା

218

କନକ ବ୍ୟୁରୋ: ପୁରୀ ଓ ଲିଙ୍ଗରାଜ ଭଳି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନର ହେବ କି ବିକାଶ । ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଅଚାନକ୍ ସୁଆଣ୍ଡୋ ଗସ୍ତ ପରେ ଏମିତି କିଛି ଚର୍ଚ୍ଚା ହେଉଛି । ଆଜି ପାଣ୍ଡିଆନ୍ ହଠାତ୍ ପୁରୀ ଜିଲ୍ଲାର ସତ୍ୟବାସୀ ସୁଆଣ୍ଡୋ ଗାଁରେ ପହଂଚି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ବୁଲି ଦେଖିଛନ୍ତି । ଏହାସହ ସେ ଉତ୍କଳମଣିଙ୍କ ଷଷ୍ଠୀ ଘରର ଅନୁଧ୍ୟାନ କରିଛନ୍ତି ଫାଇଭ-ଟି ସଚିବ ପଣ୍ଡିଆନ୍ ଓ ପୁରୀ ଜିଲ୍ଲାପାଳ । ଅନେକ ସମୟରେ ସୁଆଣ୍ଡୋର ବିକାଶ ନେଇ ଦାବୀ ହୋଇଆସୁଥିବା ବେଳେ ପାଣ୍ଡିଆନଙ୍କ ଅଚାନକ ଗସ୍ତ, ବିକାଶର ବାଟ ଖୋଲିଲା ବୋଲି ଚର୍ଚ୍ଚା ହେଉଛି ।

ସବୁଠାରୁ ବଡ଼ କଥା ହେଲା କି, ଓଡ଼ିଶାର ପ୍ରମୁଖ ଐତିହ୍ୟ ସ୍ଥଳୀ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ କିଭଳି ବିକାଶ କରାଯାଇ ଏହାକୁ ବିଶ୍ୱସ୍ତରୀୟ କରାଯିବ ସେନେଇ ଏବେ ରାଜ୍ୟ ସରକାର ତତ୍ପର ହେଉଥିବା ଦେଖିବାକୁ ମିଳିଛି । ଏପରିକି ମେଡିକାଲ୍ ହେଉ କିମ୍ବା ମନ୍ଦିର, ବିଭିନ୍ନ ସ୍ଥାନକୁ ଖୋଦ୍ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଅଚାନକ ଗସ୍ତ କରି ସ୍ଥିତି ପରଖୁଛନ୍ତି । ଏହାପରେ ସେଠାକାର କେଉଁ କେଉଁ ଦିଗକୁ ଗୁରୁତ୍ୱ ଦେଲେ ତାହାର ଉନ୍ନତି ହୋଇପାରିବ ତାହାକୁ ନେଇ ସମୀକ୍ଷା କରୁଛନ୍ତି । ସମୀକ୍ଷା, ତର୍ଜମା ପରେ ପରେ ଆରମ୍ଭ ହେଉଛି ଉନ୍ନତିକରଣ ।