ବିବାହ ଉତ୍ସବରେ ଏହି ନିୟମଗୁଡିକୁ ଅଣଦେଖା କଲେ ପଡିପାରେ ମହଙ୍ଗା ! ଶ୍ୱଶୂର ଘର ପରିବର୍ତ୍ତେ ବର ଯାଇପାରେ ଜେଲ୍

898

କନକ ବ୍ୟୁରୋ: ଆଉ ମାତ୍ର ଦିନ କେଇଟା ପରେ ବିବାହ ଋତୁ ଆରମ୍ଭ ହୋଇଯିବ । ଏପରିକି ଗୋଟିଏ ଦିନରେ ବହୁତ ସଂଖ୍ୟକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଭିନ୍ନ ମନ୍ଦିର ଏବଂ ରିସର୍ଟଗୁଡିକରେ ମଧ୍ୟ ଗହଳି ଜମିଯିବ । ଯଦି ଆପଣ ବିବାହ କରିବାକୁ ଯାଉଛନ୍ତି ତେବେ ହୁସିଆର ହୋଇଯାଆନ୍ତୁ । କାହିକି ନା ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମ ଅନୁସାରେ ଯଦି ଆପଣ ନ ଚାଲନ୍ତି ତେବେ ଆପଣଙ୍କୁ ବେଦୀକୁ ଯିବା ପରିବର୍ତ୍ତେ ଥାନାକୁ ଯିବାକୁ ପଡିପାରେ । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ୬ଟି ନିୟମକୁ କଡାକଡି ଭାବେ ଲାଗୁ କରାଯାଉଥିଲେ ହେଁ, ଯଦି କୌଣସି ବ୍ୟକ୍ତି ଏହି ନିୟମଗୁଡିକୁ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଆସନ୍ତୁ ଜାଣିବା ଏହି ନିୟମଗୁଡିକ ସଂପର୍କରେ..

• ଖାଲି ବିବାହ ସମାରୋହ ନୁହେଁ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବି ହର୍ଷ ଫାଇରିଂ ଉପରେ ସଂପୂର୍ଣ୍ଣ ରୂପେ ପ୍ରତିବନ୍ଧନ ଲଗାଯାଇଛି । ଯଦି କୌଣସି ସମାରୋହରେ ହର୍ଷ ଫାଇରିଂ ହୁଏ ତେବେ ଏସଂପର୍କରେ ଖୋଦ୍ ଆୟୋଜନକାରୀ ସଂସ୍ଥା ପୁଲିସକୁ ସୂଚନା ଦେବାକୁ ପଡିବ ବା ଅନୁମତି ଆଣିବାକୁ ହେବ । କିନ୍ତୁ ଯଦି ଏହି ସୂଚନା ପୁଲିସକୁ ଅନ୍ୟ କାହାଠାରୁ ମିଳେ ତଥା ଏସଂପର୍କିତ କୌଣସି ଭିଡିଓ ପୁଲିସର ହସ୍ତଗତ ହୁଏ କିମ୍ବା ଏହାଦ୍ୱାରା କାହାର କିଛି କ୍ଷତି ହୁଏ ତେବେ ଉଭୟ ସଂଚାଳକ ଏବଂ ଆୟୋଜକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

• ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ ଭଳି ନିୟମକୁ ଅତି କଡାକଡି ଭାବେ ଲାଗୁକରିଛନ୍ତି । ଯେଉଁ କାରଣରୁ ଅକ୍ଟୋବର ୨ ତାରିଖରୁ ଅର୍ଥାତ୍ ଗାନ୍ଧୀ ଜୟନ୍ତୀରୁ ଏହି ନିୟମକୁ କଡାକଡି ଭାବେ ପାଳନ କରାଯାଉଛି । ତେଣୁ ଏହିକ୍ରମରେ ଯଦି କୌଣସି ବିବାହ ଉତ୍ସବରେ ପ୍ଲାଷ୍ଟିକ୍ ସାମଗ୍ରୀ ମିଳେ ତେବେ ତାକୁ ଜବତ କରାଯିବା ସହ ଅଧିକ ମାତ୍ରାରେ ବ୍ୟବହୃତ ପ୍ଲାଷ୍ଟିକ ସାମ୍ଗରୀ ଜବତ ଉପରେ ଆୟୋଜନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

• ଯଦି ଆପଣ ବିଚ୍ ରାସ୍ତାରେ ନାଚ-ଗୀତ ତଥା ବାହାଘର ପ୍ରସେସନ ନେଇ ଯାଉଛନ୍ତି ତେବେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ଆପଣଙ୍କ କାରଣରୁ ଯେଭଳି ବାକି ଲୋକଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ । ଯଦି ଆପଣଙ୍କ କାରଣରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୁଏ ତେବେ ଆପଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇପାରେ ।

• ଆତସବାଜୀ ଉପରେ ବି ନିୟମ କଡାକଡି କରିଛନ୍ତି ସରକାର । ପରିବେଶ ପ୍ରଦୁଷଣକୁ ଦୃଷ୍ଟିରେ ରଖି ବିବାହ ସମାରୋହରେ ବାଣଫୁଟା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯଦି କୌଣସି ଆତସବାଜୀ ହୁଏ ତେବେ ଏଭଳି ମାମଲାରେ ବିସ୍ଫୋରଣ ଅଧିନିୟମ ଅନୁସାରେ ଆୟୋଜକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇପାରେ ।

• ସେହିଭଳି ବିବାହ ମଣ୍ଡପଠାରୁ ୧୦୦ ମିଟରର ଦୂରରୁ ହିଁ ପ୍ରସେସନ କରିବାକୁ ହେବ । ଅର୍ଥାତ୍ ଯେଉଁଠି ବିବାହ ସମାରୋହ ଅନୁଷ୍ଠିତ ହେଉଥିବ ସେହି ସ୍ଥାନଠାରୁ ୧୦୦ ମିଟର ଦୂରରୁ ହିଁ ଆପଣ ବିବାହ ପ୍ରସେସନ କରିପାରିବେ ।

• ପୂର୍ବରୁ ରାତି ୧୦ଟା ପରେ ଡିଜେ ବଜାଇବା ଉପରେ ରୋକ୍ ଲଗାଯାଇଛି । କିନ୍ତୁ ଡିଜେ ବ୍ୟାନ ସହ ଉଚ୍ଚ ଶଦ୍ଦରେ ଡିଜେ ବଜାଇବା ଉପରେ ବି ପ୍ରତିବନ୍ଧକ ଲଗାଇଛନ୍ତି ସରକାର ।