ଗୋଟିଏ ମୁଣ୍ଡ ବଦଳରେ ୪ମୁଣ୍ଡ ! ସାନଭାଇର ହତ୍ୟାର ପ୍ରତିଶୋଧ ନେଲା ବଡଭାଇ

80

କନକ ବ୍ୟୁରୋ : ପ୍ରତିଶୋଧ ପାଇଁ ପରିବାରକୁ ନିପାତ । ବାଲେଶ୍ୱରର ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ଆଜି ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଆଉ ଏହାସହ ଖୋଲିଛି ପୁରା ଘଟଣା ପଛର କାହାଣୀ । ନିଜ ସାନ ଭାଇର ହତ୍ୟାର ହିସାବ ନିକାଶ କରିବାକୁ ଯାଇ ବଡଭାଇ ରଚିଥିଲା ହତ୍ୟାର ଷଡଯନ୍ତ୍ର । ଜଣଙ୍କ ମୁଣ୍ଡ ବଦଳରେ ନେଲା ୪ ଜଣଙ୍କ ମୁଣ୍ଡ ।

ସେ ବଡଭାଇଙ୍କ ନାମ ହେଲା ରମେଶ ମାଝୀ । ଯିଏ ନିଜ ସାନଭାଇ କାହ୍ନୁର ମୃତ୍ୟୁକୁ ନେଇ ଜଳୁଥିଲା ୧୫ ମାସ ଧରି । ଆଉ ଶେଷରେ ଯନ୍ତ୍ରଣା ନେଲା ପ୍ରତିଶୋଧର ରୂପ । ଆଉ ସେହି ପ୍ରତିଶୋଧର ନିଅାଁରେ ଜାଳିଦେଲା ଚାରି ଚାରି ଜଣଙ୍କୁ । ଆଉ ରାତି ଅଧରେ ଘରେ ପଶି ଅତି ନୃସଂଶ ଭାବେ କଟୁରୀରେ ହାଣି ପକାଇଥିଲେ ସମସ୍ତଙ୍କୁ । ପ୍ରତିଶୋଧର ନିଆଁ ଏତେ ଜୋର୍ ଜଳୁଥିଲା ଯେ, ଅଭିଯୁକ୍ତ ଜଣେ ମହିଳାଙ୍କ ମୁଣ୍ଡ କାଟି ଫୋପାଡି ଦେଇଥିଲେ ୨ ଶହ ମିଟର ଦୂରରେ ।

ଅକ୍ଟୋବର ୨୭,୨୦୧୫ । ପାଗନଇ ଗାଁର କାହ୍ନୁକୁ ହତ୍ୟାକଲା ବୁକୁନି । ତନାଘନା ପରେ ପୋଲିସ ଗିରଫ କଲା ବୁକୁନିକୁ । ଆଉ ସେଦିନ ଠାରୁ ଫେରାର ହୋଇଗଲେ ବୁକୁନିର ବାପା ମା’ । ହେଲେ ବୁକୁନୀ ଜେଲ ଜୀବନ ସହ ସଂପର୍କରେ ରହିଲେ ଭଉଣୀ ପ୍ରତିଭା । ହେଲେ ଭାଇ ସହ ଏ ସଂପର୍କ ତାଙ୍କ ପାଇଁ ମହଙ୍ଗା ପଡିଲା । ପ୍ରତିଶୋଧର ନିଅାଁରେ ଜଳୁଥିବା ମୃତ କାହ୍ନୁର ଭାଇ ରମେଶ,ପ୍ରତିଭାକୁ ମାରିବାକୁ ଯୋଜନା କଲା । ନିଜର ୧୩ ସାଥୀକୁ ନେଇ ହତ୍ୟାର ଷଡଯନ୍ତ୍ର ।

ରମେଶର ଟାର୍ଗେଟରେ ଥିଲେ ପ୍ରତିଭା ହେଲେ ବଂଚି ରହିଲେ ଅନ୍ୟମାନେ ବନିଯିବେ ପ୍ରମାଣ । ତେଣୁ ପ୍ରତିଭାଙ୍କୁ ମାରିବା ସହ ତାଙ୍କ ଦୁଇ ପୁଅଝିଅ ଓ ପୁତୁରାକୁ ବି ହାଣି ପକାଇଲେ ରମେଶ ଓ ଅନ୍ୟ ଅଭିଯୁକ୍ତ । ଏଥିପାଇଁ ହତ୍ୟାକାରୀ ଦଳ ଭିତରେ ବି ହୋଇଥିଲା ବଚସା । ପୋଲିସ ଏବେ ମାତ୍ର ୫ ଜଣଙ୍କୁ ଗିରଫ କରିଥିବା ବେଳେ ଆହୁରି ୯ ଜଣ ଫେରାର ଅଛନ୍ତି ।