ନବୀନଙ୍କ ପରେ ଆସିଲା ପ୍ରମିଳାଙ୍କ ଫିଟନେସ୍ ଭିଡିଓ । ୭୦ ବର୍ଷ ବୟସରେ ଟ୍ରେଡମିଲରେ ଦୌଡିଲେ ଆସ୍କା ସାଂସଦ, ଦେଲେ ଫିଟନେସ୍ ମନ୍ତ୍ର ।

648

କନକ ବ୍ୟୁରୋ : ପ୍ରମିଳାଙ୍କ ଫିଟନେସ୍ ମନ୍ତ୍ର । ୭୦ ବର୍ଷ ବୟସରେ ଫିଟନେସ୍ ମନ୍ତ୍ର ଦେଇଛନ୍ତି ଆସିକା ସାଂସଦ ପ୍ରମିଳା ବିଶୋୟୀ । ସଂସଦରେ ମହିଳାଙ୍କ ପାଇଁ ସ୍ୱର ଉଠାଇ ଚର୍ଚ୍ଚାରେ ରହିଥିବା ପ୍ରମିଳା, ଏଥର ନିଜର ଫିଟନେସ୍ ଭିଡିଓ ପାଇଁ ପୁଣି ଆସିଛନ୍ତି ଚର୍ଚ୍ଚାର ପରିସରକୁ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପ୍ରମିଳାଙ୍କ ଫିଟନେସ୍ ଭିଡିଓରେ ଦେଖିବାକୁ ମିଳିଛି, ଟ୍ରେଡମିଲରେ ଦୌଡୁଛନ୍ତି ଆସିକା ସାଂସଦ ।

ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫିଟନେସ୍ ଭିଡିଓ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ଭିଡିଓ ବେଶ ଲୋକପ୍ରିୟ ହୋଇଥିଲା । ବିଜେଡି ସୁପ୍ରିମୋଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସେତେବେଳେ ଯେଉଁ ଗୁଜବ ଉଠିଥିଲା, ଏହି ଭିଡିଓ ମାଧ୍ୟମରେ ସମସ୍ତ ଚର୍ଚ୍ଚା ଉପରୁ ପରଦା ଉଠାଇଥିଲେ ନବୀନ । ସେ ସର୍ବଦା ଫିଟ୍ ରହିବା ସହ ରାଜ୍ୟବାସୀଙ୍କ ପାଇଁ କାମ କରିବାକୁ ସବୁବେଳେ ପ୍ରସ୍ତୁତ ରହିଥିବା ଏହି ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଥିଲେ ନବୀନ । କେବଳ ଏତିକି ନୁହେଁ, ପାଟକୁରା ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ମଧ୍ୟ ନବୀନ ଜଗିଂ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ତେବେ ନବୀନଙ୍କ ପରେ ପ୍ରମିଳାଙ୍କ ଏହି ଫିଟନେସ୍ ଭିଡିଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଆସିକା ସାଂସଦ ପ୍ରମିଳା ବିଶୋୟୀ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସାଙ୍ଗଠିକାରୁ ପାର୍ଲାମେଣ୍ଟକୁ ଯାଇପାରିଛନ୍ତି ପ୍ରମିଳା । ପଲିଟିକ୍ସ ପରୀକ୍ଷାରେ ପାସ୍ ହେବା ପରେ ପ୍ରଥମରୁ ହିଁ ପାର୍ଲାମେଣ୍ଟରେ ନିଜ ଢଙ୍ଗରେ ପ୍ରସଙ୍ଗ ଉଠାଇ ଚର୍ଚ୍ଚାରେ ରହିଥିଲେ ସାଧାରଣ ଏସଏଚଜି ସଂଗଠକରୁ ସଂସଦକୁ ଯାଇଥିବା ପ୍ରମିଳା ବିଶୋୟୀ । ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଯେତେବେଳେ ଆସିକା ଲୋକସଭା ପାଇଁ ପ୍ରମିଳାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ, ତାହା ସମସ୍ତଙ୍କୁ ଚମକାଇ ଦେଇଥିଲା ।

ତେବେ ପ୍ରମିଳାଙ୍କ ଶିକ୍ଷା ଓ ସାମର୍ଥ୍ୟକୁ ନେଇ ସେତେବେଳେ ସୋସିଆଲ ମିଡିଆରେ ଅନେକ ସକରାତ୍ମକ ଏବଂ ଅନେକ ନକରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଆଉ ଆଲୋଚନା ଓ ସମାଲୋଚନା ଭିତରେ ବିପୁଳ ଜନାଦେଶ ପାଇ ପ୍ରମିଳା ବନିଥିଲେ ସାଂସଦ । ପ୍ରମିଳା ସାଂସଦ ଭାବେ ନିର୍ବାଚିତ ହେବା, ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟକୁ ପ୍ରସ୍ଫୁଟିତ କରିଥିଲା ।