ବୁଝିଲେନି ବିଭାଗ,ଶୁଣିଲେନି ସରକାର ! ବାହାନଗାରେ ପଂଚୁବିଶାଖୀ ନଦୀ ଗର୍ଭ ଖୋଳିଲେ ଶତାଧିକ ମତ୍ସ୍ୟଜୀବୀ

32

କନକ ବ୍ୟୁରୋ: ପ୍ରତିଶ୍ରୁତି ରଖିଲେନି ରାଜନେତା, କି ଗୁହାରୀ ଶୁଣିଲାନି ପ୍ରଶାସନ । ଶେଷରେ ପେଟ ପାଇଁ ନଇ ଖୋଳିଛନ୍ତି ମତ୍ସ୍ୟଜୀବୀ । ପଂଚୁବିଶା ନଦୀର ୪ କିଲୋମିଟର ଶଯ୍ୟାରୁ ପଟୁ କାଢିଛନ୍ତି ଶହଶହ ମତ୍ସ୍ୟଜୀବୀ । ବାଲେଶ୍ୱର ଜିଲ୍ଲା ବାହାନଗାରେ ୬ଶହ ମତ୍ସ୍ୟଜୀବୀ ଶ୍ରମ ଦେଇ ନଦୀଗର୍ଭ ଖୋଳିବା ଘଟଣା ପ୍ରଶାସନର ଅପାରତାକୁ ପଦାରେ ପକାଇଛି ।

ପଟୁ ମାଡି ଯାଇ ପଂଚୁବିଶା ନଦୀଶଯ୍ୟା ପୋତି ହୋଇଯିବାରୁ ଖରାସାହାପୁର ଜେଟିରୁ ଟ୍ରଲର ଚଳାଚଳ ହୋଇପାରୁନାହିଁ । କେବଳ ଜୁଆର ସମୟରେ ସମୁଦ୍ରକୁ ଟ୍ରଲର ଯାଉଛି, ବାକି ସମୟରେ କୂଳରେ ପଡିରହୁଛି ମାଛମର ଟ୍ରଲର ଓ ଜାଲ । ଫଳରେ ଜୀବନ ଜୀବିକା ହରାଇବସିଛନ୍ତି ମତ୍ସ୍ୟଜୀବୀ । ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇ ନିରାଶ ହେବା ପରେ ନିଜ ଉଦ୍ୟମରେ ନଦୀଗର୍ଭରୁ ପଟୁ କାଢିଛନ୍ତି ମତ୍ସ୍ୟଜାବୀ ।

ଖରାସାହାପୁର ଜେଟି ଉପରେ ବାହାନଗା ବ୍ଲକର ଖରାସାହାପୁର, ଅଭଣା, ବିଷ୍ଣୁପୁର, ଆରୁହାବାଡ, ବରିପଦା ପଂଚାୟତର ପାଖାପାଖି ଦେଢ ହଜାର ମତ୍ସ୍ୟଜୀବୀ ପରିବାର ନିର୍ଭର କରନ୍ତି । ଜେଟିର ପୁନରୁଦ୍ଧାର ପାଇଁ ୨୦୧୫ରେ ତତ୍କାଳୀନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଏବେର କୃଷିମନ୍ତ୍ରୀ ଦାମୋଦର ରାଉତ ଏବଂ ସ୍ଥାନୀୟ ବିଧାୟକ ପର୍ଶୁରାମ ଧଡାଙ୍କ ପ୍ରତିଶ୍ରୁତି କେବଳ ନାଲି ଫାଇଲ ତଳେ ରହିଛି ।