ଇଲିସି ମାଛର କମିଲା ଭାଉ ! ଭଦ୍ରକ,ପାରାଦ୍ୱୀପ ପରେ ଏବେ ଅସ୍ତରଙ୍ଗ ଦେବୀ ମୁହାଣରେ ଇଲିସି ମାଛର ସମ୍ଭାର

272

କନକ ବ୍ୟୁରୋ : କଥାରେ ଅଛି ମାଛ ଖାଇବ ତ ଇଲିସି ଚାକିରି କରିବ ତ ପୋଲିସ । କାରଣ ପୋଲିସ ଚାକିରରେ ଯେମିତି ପ୍ରବଳ ଚାହିଦା ରହିଥାଏ ଠିକ୍ ସେହିଭଳି ମାଛ ଭିତରେ ଇଲିସିର ପ୍ରବଳ ଚାହିଦା । ପକେଟରେ ପଇସା ନଥିଲେ ଇଲିସି ମାଛରେ ହାତ ମାରିବା ମଧ୍ୟ ସ୍ୱପ୍ନ । କିନ୍ତୁ ଗତ କିଛିଦିନ ହେଲା ଓଡ଼ିଶାରେ ଇଲିସି ମାଛର ଭାଉ କମିଛି । ଏବେ ପ୍ରାୟ ସମସ୍ତଙ୍କ ଘରୁ ଇଲିସି ମାଛର ବାସ୍ନା ଆସୁଛି । କାରଣ ଗତ ୪ ଦିନ ହେଲା ଟନ୍ ଟନ୍ ଇଲିଶି ମାଛ ଧରୁଛନ୍ତି ମତ୍ସଜୀବୀ । ତେଣୁ ଇଲିସି ମାଛର ଦାମ ୨ ହଜାରରୁ ୨ ଶହକୁ ଖସିଛି ।

ଏବେ ଓଡ଼ିଶା ମୁହାଁ ହେଉଛନ୍ତି ଇଲିସ ମାଛ । ଇଲିସ ବଜାରରେ ଏବେ ଗହଳ ଚହଳ ।ନଦୀ ମୁହାଣରେ ଏବେ ଟନ୍ ଟନ୍ ଇଲିସି ମାଛ ଧରାଯାଉଛି । ପାରାଦ୍ୱୀପ ପରେ ଏବେ ଅସ୍ତରଙ୍ଗ । ଦୀର୍ଘ ଦଶବର୍ଷ ପରେ ଅସ୍ତରଙ୍ଗର ଦେବୀମୁହାଣ ଅଞ୍ଚଳରେ ଇଲିସି ମାଛର ସମ୍ଭାର ଦେଖାଦେଇଛି । ଗତ ଦୁଇ ଦିନ ମଧ୍ୟରେ ପ୍ରାୟ ୫୦ ଟନ ଇଲିସି ମାଛ ସମୁଦ୍ରରୁ ମତ୍ସ୍ୟଜୀବୀମାନେ ଧରିଛନ୍ତି । ଏତେ ପରିମାଣର ଇଲିସି ଧରାଯିବା ଖବର ମିଳିବା ପରେ ଇଲିସି ପ୍ରିୟ ଶହ ଶହ ଗ୍ରାହକ ନଦୀ କୂଳରେ ଭିଡ ଜମାଇଥିଲେ ।

ତେବେ ଦୀର୍ଘଦିନ ପରେ ଏତେ ପରିମାଣର ମାଛ ଧରାଯିବା ପ୍ରଥମ ଘଟଣା । ତେବେ ଏତେ ପରିମାଣର ଇଲିସି ମାଛ ଧରି ମଧ୍ୟ ମତ୍ସ୍ୟଜୀବୀ ଖୁସି ନାହାନ୍ତି । କାରଣ ଦୁଇ ତିନି ଦିନ ପୂର୍ବେ ଯେଉଁ ଇଲିସି କିଲୋ ପିଛା ୧୫ ଶହ ଟଙ୍କାରେ ବିକ୍ରୀ ହେଉଥିଲା ତାହାର ଦାମ ୨ଶହରୁ ୩ଶହ ଟଙ୍କା ପର୍ୟ୍ୟନ୍ତ ଖସି ଆସିଛି । କିନ୍ତୁ କମ ଦାମରେ ଇଲିସି ମାଛ ମିଳୁଥିବାରୁ ଗାହକଙ୍କ ଖୁସି କହିଲେ ନ ସରେ ।

କେବଳ ଅସ୍ତରଙ୍ଗ ନୁହେଁ ୨ ଦିନ ପୂର୍ବରୁ ପାରାଦ୍ୱୀପରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ନଦୀ ମୁହାଣ ଅଞ୍ଚଳରୁ ପ୍ରଚୁର ମାତ୍ରାରେ ଇଲିସିି ଧରିଥିଲେ ମତ୍ସ୍ୟଜୀବୀ । ଗୋଟିଏ ଦିନରେ ଇଲିସିି ମାଛର ଦର ଦୁଇ ହଜାରରୁ ଦୁଇଶହ ଟଙ୍କା ପର୍ଯ୍ୟନ୍ତ ଖସିଥିଲା । ଫଳରେ ବହୁ ସଂଖ୍ୟାରେ ଲୋକ ଇଲିସିି ମାଛ କିଣୁଥିବାର ଦେଖିବାକୁ ମିଳିଥିଲା । ଯେମିତି ଅଦିନିଆ ଇଲିସିି ଝଡ ପାରାଦ୍ୱୀପକୁ ମାଡ଼ି ଆସିଥିଲା । ପୂର୍ବରୁ କଳାକାରଖାନାର ପ୍ରଦୁଷିତ ପାଣି ଯୋଗୁଁ ଇଲିସି ମାଛ ମୁହାଁଣ ମୁହାଁ ହେଉନଥିଲେ ।କିନ୍ତୁ ଏବେ ଏତେ ସଂଖ୍ୟକ ଇଲିସିି ନଦୀ ମୁହାଣ ମୁହାଁ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତା ଛଡା ଭଦ୍ରକରେ ମଧ୍ୟ ଇଲିସିର ଭାଉ କମିଛି । କୁଇଁଣ୍ଟାଲ କୁଇଣ୍ଟାଲ ଇଲିସିି ଧରୁଛନ୍ତି ମତ୍ସ୍ୟଜୀବୀ । ଫଳରେ ଇଲସିର ଦର ଖସିଛି । କିଲୋପିଛା ମାତ୍ର ୧୦୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି ଏହି ସୁଆଦିଆ ମାଛ । ଶସ୍ତା ଦରରେ ମିଳୁଥିବାରୁ ଏହି ମାଛ କିଣିବାକୁ ଲୋକ ଭିଡ ଜମାଉଛନ୍ତି । ଚାନ୍ଦବାଲିରେ ଏତେ ପରିମାଣର ଇଲିସି ଉତ୍ପାଦନ ହେଉଛି ଯେ, ଏହାକୁ ସାଇତି ରଖିବା ପାଇଁ ମଧ୍ୟ ବରଫର ଅଭାବ ଦେଖାଦେଉଛି । ଏପରିକି ବରଫ ଅଭାବରୁ ମାଛକୁ ସମଦ୍ରରେ ପିଙ୍ଗି ଦେଉଛନ୍ତି ମତ୍ସ୍ୟଜୀବୀ । କେତେକ ସ୍ଥାନରେ ଇଲିସିକୁ କାଉ କୁକୁର ମଧ୍ୟ ଖାଉଥିବାର ଦେଖିବାକୁ ମିଳିଛି । ଧାମରା ଅଂଚଳର ବିଦ୍ୟୁତ ସମସ୍ୟା ଯୋଗୁଁ ଆବଶ୍ୟକୀୟ ବରଫ ମିଳୁନି । ଫଳରେ ମତ୍ସ୍ୟଜୀବୀମାନେ ନଷ୍ଟ ହୋଇଯାଇଥିବା ମାଛକୁ ଫିଙ୍ଗିବାକୁ ବାଧ୍ୟ ହେଉଥିବା କହିଛନ୍ତି ।

ତେବେ ଦୀର୍ଘ ଦିନ ପରେ ଓଡ଼ିଶା ଉପକୂଳରେ ଏତେ ପରିମାଣର ଇଲିସି ମିଳିବା ସମସ୍ତଙ୍କୁ ବିସ୍ମିତ କରିଛି । କିନ୍ତୁ ଏତେ ପରିମାଣରେ ଇଲିସି ମାଛ ମିଳୁଥିଲେ ସୁଦ୍ଧା ଅନେକ ଲୋକ ମାଛ ନପାଇ ନିରାଶରେ ଫେରିଛନ୍ତି ।