ମଝି ସମୁଦ୍ରରେ ମାଛହାଟ! ଯେଉଁଠି ସମୁଦ୍ର ପାଣି ମଧ୍ୟକୁ ପଶିବା ଅପରାଧ, ସେଠାରେ ହେଉଛି ଦୈନିକ ୨୦ ଲକ୍ଷ ଟଙ୍କାର ବେପାର

52

କନକ ବ୍ୟୁରୋ : ନୀଳ ସମୁଦ୍ରରେ ଚାଲିଛି ନିଲାମ । ମଝି ସମୁଦ୍ରରେ ଚାଲିଛି ବେପାର । ସବୁ ନୀତି ନିୟମଙ୍କୁ ଉଲ୍ଲଙ୍ଘନ କରାଯାଇ ଚାଲିଛି ମାଛହାଟ । ଯେଉଁଠି ସମୁଦ୍ର ପାଣି ମଧ୍ୟକୁ ପଶିବା ଅପରାଧ । ସେହିପରି ନିସିଦ୍ଧାଂଚଳରେ ଚାଲିଛି ମାଛ ହାଟ । ଅନୁସନ୍ଧାନରୁ ଜଣାପଡିଛି , ଏଠାରେ ଦିନକୁ ବେପାର ମଧ୍ୟ ହେଉଛି ପ୍ରାୟ କୋଡ଼ିଏ ଲକ୍ଷରୁୁ ଅଧିକ ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜନଗରର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାର ଅଗରନଶୀ ଦୀପରେ । ଏଠାରେ ବର୍ଷକୁ ବାର ମାସ ମାଛଧରା ଉପରେ ରହିଛି କଟକଣା ।

ଅଲିଭରିଡ଼ଲେ କଁଇଛମାନଙ୍କ ପ୍ରଜନନ ଋତୁ ପାଇଁ ନଭେମ୍ବର ୧ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ମାଛ ଧରା ଓ ଟ୍ରଲର ଉପରେ କଟକଣା ଜାରି କରାଯାଇଛି । ଗହୀରମଥା ସମେତ ଦେବୀ ମୁହାଣରୁ ଧାମରା ମୁହାଣ ଯାଏ ସାତ ମାସ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିଛି । କଇଁଛଙ୍କ ପାଇଁ କୋଟି କୋଟି ଟଙ୍କା ବନବିଭାଗ ମଧ୍ୟ ଖର୍ଚ୍ଚ କରୁଛି । ହେଲେ ଗହୀରମଥାର ଅଗରନଶୀ ଦୀପ ଠାରେ ମାଛ ମାଫିଆମାନେ ଖୁଲମଖୁଲା ମାଛ ଧରିବା ସହ ମାଛ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

ପାରାଦୀପରୁ ଏକ ସ୍ୱତନ୍ତ୍ର ବୋଟ ଆସି ଏହି ମାଛ କିଣିବା ସହ ନଗଦ ଟଙ୍କା ଦେଉଥିବା ଦୃଶ୍ୟ ମଧ୍ୟ ସୁରକ୍ଷା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଦ୍ୱୀପରେ ବନବିଭାଗର ଏକ କ୍ୟାମ୍ପ ରହିଥିବା ବେଳେ ହାଟ କେମିତି ଲାଗିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।