ବୁଡି ଅଂଚଳବାସୀଙ୍କ ମୁହଁରେ ହସ ! ଜୀବିକା ନିର୍ବାହ ପାଇଁ ବାଲିମେଳା ଜଳଭଣ୍ଡାରରେ ମାଛ ଚାଷ ଆରମ୍ଭ

126

କନକ ବ୍ୟୁରୋ : ସ୍ୱାବଳମ୍ବୀ ହେବେ ସ୍ୱାଭିମାନ ଅଂଚଳ ବାସୀ । କାର୍ଯ୍ୟକାରୀ ହେଲା ମୁଖ୍ୟମନ୍ତ୍ରୀଙ୍କ ସେତୁ ଯୋଜନା । ବୁଡି ଅଂଚଳବାସୀଙ୍କ ଜୀବିକା ନିର୍ବାହ ଲାଗି ବାଲିମେଳା ଜଳଭଣ୍ଡାରରେ ମାଛ ଚାଷ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୫ କୋଟିରୁ ଅଧିକ ଯାଆଁଳ ଛଡା ଯାଇଥିବା ବେଳେ ଆଗକୁ ଆଉ ୪୦ ଲକ୍ଷ ଛଡାଯିବ । ଏହାଦ୍ୱାରା ସ୍ୱାଭିମାନ ଅଂଚଳର ୨ ହଜାରରୁ ଅଧିକ ପରିବାର ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଗତ ଜୁଲାଇ ମାସରେ ଗୁରୁପ୍ରୀୟା ସେତୁ ଉଦଘାଟନ କରି ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସେତୁ ଯୋଜନା ଘୋଷଣା କରିଥିଲେ । ତାହା ବର୍ତମାନ କାର୍ଯ୍ୟକାରୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ସ୍ୱାଭିମାନ ଅଂଚଳବାସୀନ୍ଦା ।

ମାଲକାନଗିରି ଜିଲ୍ଲା ପ୍ରଶାସନ ପ୍ରାଥମିକ ପର୍ଯ୍ୟାୟରେ ଜଳଭଣ୍ଡାରରେ ୫ କୋଟିରୁ ଅଧିକ ଅଙ୍ଗୁଳିକା ମାଛ ଯାଅଁଳା ଛାଡିଛି । ଆଗକୁ ପର୍ଯ୍ୟାୟ କ୍ରମେ ଆଉ ୪୦ ଲକ୍ଷ ମାଛ ଯାଆଁଳ ଛାଡିବା ଯୋଜନା କରୁଛି ପ୍ରଶାସନ । ବୁଡି ଅଂଚଳର ୧୦ ହଜାର ଲୋକଙ୍କୁ ଜୀବନ ଜୀବିକା ଯୋଗାଇବା ଉଦ୍ଦେଶ୍ୟରେ ଏହି ମାଛ ଚାଷ କରାଯାଉଛି । ୩ ଗାଁର ୫୦ ବର୍ଷୀୟା ମଙ୍ଗୁଳି ମାଝୀଙ୍କ ସ୍ୱାମୀ ଗତ ୨୫ ବର୍ଷ ଧରି ଜଳ ଭଣ୍ଡାରରୁ ମାଛ ମାରି ପରିବାର ପ୍ରତିପୋଷଣ କରୁଥିଲେ ।

ସ୍ୱାମୀ ଆରପାରିକୁ ଚାଲି ଯିବା ପରେ ମଙ୍ଗୁଳି ମଧ୍ୟ ମାଛ ମାରି ୮ ବର୍ଷ ହେବ ପିଲାଙ୍କ ମୁହଁରେ ଆହାର ଦେଉଛନ୍ତି । ତେବେ ଆଗରୁ କିଲେ-ଅଧକିଲେ ମାଛ ଧରୁଥିବା ମଙ୍ଗଳି ଆଗକୁ ଦୈନିକ ୫ ରୁ ୮ କିଲୋଗ୍ରାମ ମାଛ ଧରିବାକୁ ଆଶା ରଖିଛନ୍ତି ।

ମତ୍ସ୍ୟ ବିଭାଗ ବିଭିନ୍ନ ମାଛ ଫାର୍ମରୁ ୧୫ କୋଟି ବ୍ୟୟରେ ୫ କୋଟି ମାଛ ଯାଆଁଳ ଯୋଗାଇ ଦେଇଛି । ଏଥିପାଇଁ ମାଲେସିଆ ସ୍ଥିତ ବିଶ୍ୱ ମତ୍ସ୍ୟ ଫେଡେରେସନ ବୈଷୟିକ ସମର୍ଥନ ଯୋଗାଇଛି । ରୋହି, ଭାକୁର, ମିର୍କାଲି, ଚାଇନା ରୋହୁ ପ୍ରଜାତିର ୩୦୦ ଗ୍ରାମରୁ ଅଧିକ ଓଜନର ଯାଅଁଳା ଛଡା ଯାଇଛି ।

ମାଛ ବଢିବା ନେଇ ଜଳଭଣ୍ଡାରର ୫ ଏକର ପରିଧିରେ ପେନ୍ କଲ୍ଟିଭେସନ ପଦ୍ଧତି ଫିସ୍ ଫାର୍ମିଂ ହୋଇଛି । ମାଛ ଚାଷ ପାଇଁ ସ୍ୱାଭିମାନ ଅଂଚଳବାସୀଙ୍କୁ ନେଇ ଭିନ୍ନ ଭିନ୍ନ ସୋସାଇଟି ଗଠନ କରାଯାଇଛି । ସବୁ ସୋସାଇଟିକୁ ଜାଲ, ମାଛ ଧରା ଡଙ୍ଗା ଯୋଗାଇ ଦେଇଛି ମତ୍ସ୍ୟ ବିଭାଗ । ଆଗାମୀ ୩ ମାସ ପରେ ବାଲମେଳା ଜଳଭଣ୍ଡାରରୁ ମାଛ ମାରି ପେଟ ପୋଷି ପାରିବେ ସ୍ୱାଭିମାନ ଅଂଚଳର ହଜାର ହଜାର ପରିବାର ।