ହୀରାକୁଦରେ ଚାଲିଛି ନୂଆ ପ୍ରଣାଳୀରେ ମାଛଚାଷ : କୋଲକାତାକୁ ଚାଲାଣ ହେଉଛି କଉମାଛ

151

କନକ ବ୍ୟୁରୋ : ହୀରାକୁଦ ରିଜର୍ଭର ଭିତରେ ଚାଲିଛି ନୂଆ ପ୍ରଣାଳୀରେ ମାଛଚାଷ । ରିଜର୍ଭର ଭିତରେ କେଜ୍ ପ୍ରଣାଳୀ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ମାଛଚାଷ କରାଇ ସଫଳ ହେଉଛି ମତ୍ସ୍ୟ ବିଭାଗ । ଆଉ ସରକାରଙ୍କ ସହ ମିଶି ଏହି ନୂଆ ପ୍ରଣାଳୀରେ ମାଛ ଚାଷ ପାଇଁ ଆଗେଇ ଆସିଛନ୍ତି ସମ୍ବଲପୁରର ମାଛ ଚାଷୀ । ଏହା ଦ୍ୱାରା ମାଛ ଚାଷୀ ନିଜେ ଲାଭବାନ ହେବା ସହ କିଛି ଲୋକଙ୍କୁ ରୋଜଗାର ମଧ୍ୟ ଦେଇ ପାରୁଛନ୍ତି । ଆଗାମୀ ଦିନରେ କେଜ୍ ପ୍ରଣାଳୀରେ ମାଛଚାଷ ପାଇଁ ପ୍ରୋତ୍ସାହନ ଦେବାକୁ ମଧ୍ୟ ଚିନ୍ତା କରୁଛି ମତ୍ସ୍ୟ ବିଭାଗ ।

ହୀରାକୁଦ ଜଳଭଣ୍ଡାର ଭିତରେ ନୂଆ ପ୍ରଣାଳୀରେ ଚାଲିଛି ମାଛଚାଷ । ବନ୍ଧ ନଥିବାରୁ ରିଜର୍ଭର ଭିତରେ ତିଆରି ହେଉଛି କେଜ୍ । ଆଉ ଏହି କେଜ୍ ଭିତରେ ଛଡାଯାଉଛି ମାଛ ଯାଆଁଳ । ୫ ମିଟର ଚଉଡା ୫ ମିଟର ଲମ୍ବା ଓ ୪ ଫୁଟର କେଜ୍ ନିର୍ମାଣ କରିଛନ୍ତି । ପ୍ରାୟ ୨୮ଟି କେଜରେ ୫୦ ହଜାର ଯାଆଁଳ ଛାଡିଥିବା ବେଳେ ସେଠାରୁ ପାଖାପାଖି ୪୫ ଟନ୍ରୁ ଅଧିକ ମାଛ ମିଳିବାର ଲକ୍ଷ୍ୟ ରହିଛି । ଯାହା ଫଳରେ ଅନୁମାନିକ ୫୬ ଲକ୍ଷ ଟଙ୍କାର କାରବାର ହେବ ।

ସମ୍ବଲପୁରର ବେଣୁଗୋପାଳ ପାଣିଗ୍ରାହୀ ସରକାରଙ୍କ ସହ ପି.ପି.ପି. ମୋଡ୍ରେ ହୀରାକୁଦ ରିଜର୍ଭର ଭିତରେ କରୁଛନ୍ତି ମାଛଚାଷ । କଉ ମାଛକୁ କୋଲକାତା ପଠାଇବା ସହ ୨୨ ହଜାରରୁ ଅଧିକ ଟଙ୍କା ବିକ୍ରି କରି ସାରିଥିବା କହିଛନ୍ତି ବେଣୁଗୋପାଳ । ଏହି ପ୍ରଣାଳୀରେ ମାଛ ଚାଷ କରି ସେ ନିଜେ ଲାଭବାନ ହେବା ସହ ୩ ଜଣ ଲୋକଙ୍କୁ ରୋଜଗାର ମଧ୍ୟ ଦେଇପାରିଛନ୍ତି ।

କିଛି ଉତ୍ସାହୀ ଲୋକ ମାଛ ଚାଷ କରିବାକୁ ଆଗ୍ରହୀ ଥିଲେ ମଧ୍ୟ ବନ୍ଧ ନଥିବାରୁ ଚାଷ କରିପାରନ୍ତି ନାହିଁ । ସେହିଭଳି ଯୁବକମାନଙ୍କ ପାଇଁ ମତ୍ସ୍ୟ ବିଭାଗ ଏବେ ରୋଜଗାର କରାଇବାର ଉପାୟ ବାହାର କରିଛି । ହୀରାକୁଦ ରିଜର୍ଭର ଭିତରେ ପରୀକ୍ଷାମୂଳକ ଭାବେ କେଜ୍ ପ୍ରଣାଳୀରେ ମାଛଚାଷ କରି ୧୮ ଲକ୍ଷ ଟଙ୍କାର କାରବାର କରିସାରିଛି ମତ୍ସ୍ୟ ବିଭାଗ । ଆଗାମୀ ଦିନରେ ଅନେକ ସୋସାଇଟିକୁ ଏହି ପ୍ରଣାଳୀରେ ମାଛଚାଷ ପାଇଁ ପ୍ରୋତ୍ସାହନ ଦେବାକୁ ବିଭାଗ ପକ୍ଷରୁ ଯୋଜନା ଚାଲିଛି ।  ମତ୍ସ୍ୟବିଭାଗର ଏହି ଯୋଜନାରୁ ଲାଭ ଉଠାଇବା ସହ ମତ୍ସ୍ୟଚାଷ ପାଇଁ ଆଗ୍ରହ ପ୍ରକାଶ ପାଇଲେ ବେକାରୀ ସମସ୍ୟା ଦୂର କରିବାରେ ଏହା ଅନେକ ପରିମାଣରେ ସହାୟକ ହୋଇପାରିବ ।