ମୃତ୍ୟୁର ଗୁମ୍ଫାରୁ ମୁକ୍ତି ପରେ ଥାଇଲାଣ୍ଡରୁ ଆସିଲା ପ୍ରଥମ ଭିଡିଓ ! ମୃତ୍ୟୁ ବିଜୟୀଙ୍କ ମୁହଁରେ ଅଛି ଆନନ୍ଦର ଝଲକ ।

27

କନକ ବ୍ୟୁରୋ : ଥାଇଲାଣ୍ଡର ମୃତ୍ୟୁର ଗୁମ୍ଫାରୁ ମୁକ୍ତି ପାଇବା ପରେ ଥାଇଲାଣ୍ଡରୁ ଆସିଲା ୧୨ଜଣ ବାଳକଙ୍କ ପ୍ରଥମ ଭିଡିଓ । ଆପଣଙ୍କ ହୃଦୟକୁ ଛୁଇଁଲା ଭଳି ହସର ଦୃଶ୍ୟ ରହିଛି ଏହି ଭିଡିଓରେ । ମେଡିକାଲ ବେଡରେ ସମସ୍ତ ୧୨ଜଣ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ମୁହଁରେ ଅଛି ଆନନ୍ଦର ଝଲକ । ଖୁସିରେ ହାତ ହଲାଇ ବିଜୟର ସୂଚନା ଦେଉଛନ୍ତି । ଏହି ଦୃଶ୍ୟ ପିଲାଙ୍କ ପରିବାର ସହ ସମସ୍ତଙ୍କୁ ବେଶ୍ ଆଶ୍ୱସ୍ତି ଆଣିଦେଇଛି । ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି । ଏହା ସହିତ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଥାଇ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ମଙ୍ଗଳବାର ଦିନ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲେ ବି ସଂକ୍ରମଣ ହେବାର ଭୟ ଥିବାରୁ ସେମାନଙ୍କୁ ପରିବାର ଲୋକଙ୍କ ସହ ଭେଟିବାକୁ ଦିଆଯାଇନଥିଲା । ଏବଂ ସମସ୍ତଙ୍କୁ ତୁରନ୍ତ ମେଡିକାଲରେ ଭର୍ତି କରାଯାଇଥିଲା । ଦୀର୍ଘ ୧୭ ଦିନ ଧରି କାଳଗୁମ୍ଫାରେ ଫଶି ରହିବା ପରେ କଠିନ ପରିଶ୍ରମ କରି ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ବାହାରକୁ ଆଣିଥିଲେ ଉଦ୍ଧାରକାରୀ ଦଳ । ପ୍ରାୟ ୮ରୁ ଅଧିକ ଦେଶର ଉଦ୍ଧାରକାରୀ ଦଳ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିନା ଖାଦ୍ୟରେ ଏମାନେ କାଳ ଗୁମ୍ଫାରେ ପ୍ରଥମ ୯ଦିନ ବିତାଇଥିଲେ ସୁଧା ହାରିଯାଇନଥିଲେ । ତେବେ ୯ଦିନ ପରେ ଉଦ୍ଧାରକାରୀ ଦଳ ଏମାନଙ୍କୁ ଖୋଜିବା ସହ ତାଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇଥିଲେ ।