ରାଫେଲ ରାଜନୀତି ଭିତରେ ନୀଳ ଆକାଶକୁ ଚିରି ଉଡିଲା ବିଧ୍ୱଂସକାରୀ ବିମାନ!

ଆସନ୍ତାବର୍ଷ ଭାରତକୁ ଆସିବ ପ୍ରଥମ ରାଫେଲ ବିମାନ 

264

ରାଫେଲ ଡିଲକୁ ନେଇ ଜାତୀୟ ରାଜନୀତିରେ ନିଆଁ ଲାଗିଥିବା ବେଳେ ବିଜେପିକୁ ବାରମ୍ବାର ଟାର୍ଗେଟ କରୁଛି କଂଗ୍ରେସ । କିନ୍ତୁ ଏସବୁ ଭିତରେ ଭାରତ ପାଇଁ ନିର୍ମାଣ କରାଯାଇଥିବା ରାଫେଲ ବିମାନ ଆକାଶରେ ଉଡିବା ଆରମ୍ଭ କରିଛି । ପରୀକ୍ଷାମୂଳକ ଭାବେ ଏହି ବିମାନର ଉଡାଣ ଆରମ୍ଭ କରାଯାଇଛି । ଭାରତ ଅର୍ଡର ଦେଇଥିବା ୩୬ଟି ବିମାନ ମଧ୍ୟରୁ ପ୍ରଥମଟିର ନିର୍ମାଣ ଶେଷ ହୋଇଛି ଏବଂ ଏହାର ପରୀକ୍ଷାମୂଳକ ଉଡାଣ ଆରମ୍ଭ ହୋଇଛି ।

ଗତ ଅକ୍ଟୋବର ୩୦ରେ ଏହାର ପ୍ରଥମ ଉଡାଣ ହୋଇଥିଲା । ଏହି ବିମାନଟିରେ ଦୁଇଜଣ ପାଇଲଟ ବସିପାରିବେ ଓ ଏହାର ନାଁ ରଖାଯାଇଛି ଆରବି-୦୦୮ । ଭାରତୀୟ ବାୟୁସେନାର ଏୟାର ମାର୍ସାଲ ଆରକେଏସ ଭାଦୋରିଆଙ୍କ ନାଁରେ ଏହି ବିମାନର ନାମକରଣ କରାଯାଇଥିବା ଜଣାଯାଇଛି ।

ଗତ ୨୦୧୬ରେ ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏହି ୩୬ଟି ରାଫେଲ ବିମାନ ଯୋଗାଣ ପାଇଁ ଚୁକ୍ତି ହୋଇଥିଲା । ଏହି ଚୁକ୍ତିକୁ ସାକାର କରିବା ଦିଗରେ ଏୟାର ମାର୍ସାଲ ଭାଦୋରିଆଙ୍କ ଉଲ୍ଲେଖନୀୟ ଉଦ୍ୟମ ରହିଥିଲା । ଏଣୁ ଏହାକୁ ସ୍ୱୀକୃତି ଜଣାଇ ଡାସାଁ ପକ୍ଷରୁ ଏପରି ନାମକରଣ କରାଯାଇଛି । ଆସନ୍ତା ବର୍ଷଠାରୁ ଫ୍ରାନ୍ସ ଭାରତକୁ ରାଫେଲ ବିମାନ ଯୋଗାଣ ଆରମ୍ଭ କରିବ ଓ ଏହା ୨୦୨୨ ସୁଦ୍ଧା ଶେଷ ହେବ । ଏହି ରାଫେଲ ବିମାନର ମୂଲ୍ୟ ଓ ରିଲାଏନ୍ସକୁ ଅଫସେଟ ପାର୍ଟନର କରିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଉଛି ।