ରାତି ପାହିଲେ ପଂଚାୟତ ପରୀକ୍ଷା : ପୋଲିଂ ବୁଥରେ ପ୍ରଶାସନର ପ୍ରସ୍ତୁତି ଚୁଡାନ୍ତ

24

କନକ ବ୍ୟୁରୋ : ନେତାଙ୍କ ପ୍ରଚାର ସରିଲା । ଜନତାଙ୍କ ପାଳି ଆସିଲା । କାଲି ଜନତା ବାଛିବେ ନିଜ ପସନ୍ଦର ନେତା । ହାତରେ ଭୋଟ କାଳି ମାରି ନିଜ ଅଂଚଳର ବିକାଶ ପାଇଁ ସ୍ୱପ୍ନ ଦେଖିବେ । ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନ ପ୍ରସ୍ତୁତ । ଜିଲ୍ଲା ମୁଖ୍ୟାଳୟରୁ ଗାଁ ଗାଁକୁ ବାହାରିଗଲେଣି ପୋଲିଂ ପାର୍ଟି । କାରଣ ରାତି ପାହିଲେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ୍ । ଚଳିତଥର ୫ଟି ପର୍ଯ୍ୟାୟରେ ମତାଦାନ ହେଉଥିବା ବେଳେ କେବଳ ଦେବଗଡ ଜିଲ୍ଲାକୁ ବାଦ୍ ଦେଇ ଅନ୍ୟ ୨୯ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ପଡିବ ଭୋଟ୍ । ୬୫ଟି ବ୍ଲକରେ ଥିବା ୧୮୮ ଜିଲ୍ଲାପରିଷଦ ଜୋନରେ ମତଦାନ କରିବେ ଭୋଟର । ମୋଟ ୧ହଜାର ୫୦୬ ପଂଚାୟତରେ ସରପଂଚ ଓ ସମିତି ସଭ୍ୟ ସହ ୨୦ହଜାର ୩୬୯ଟି ୱାର୍ଡମେମ୍ବର ପଦ ଲାଗି ମତଦାନ ହେବ । ୫୮ ଲକ୍ଷ ୨୮ ହଜାର ୪୪୬ ଭୋଟର ଆଗାମୀ ୫ବର୍ଷ ପାଇଁ ସେମାନଙ୍କ ନେତା ନିର୍ବାଚନ କରିବେ । ଏଥିପାଇଁ ସମୁଦାୟ ୨୦ହଜାର ୩୬୯ ମତଦାନ କେନ୍ଦ୍ର କରାଯାଇଛି । ଯେଉଁଠି ସକାଳ ୭ଟରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଆଉ ଅପରାହ୍ନ ଗୋଟାଏରୁ ଆରମ୍ଭ ହେବ ଗଣତି ।

ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ୧୬ଟି ଜିଲ୍ଲାପରିଷଦ ଜୋନ ପାଇଁ ଭୋଟ ଗ୍ରହଣ ହେଉଛି । ମୟୁରଭଞ୍ଜରେ ୧୫, କଟକରେ ୧୨ ଏବଂ କେନ୍ଦୁଝର ଓ ବାଲେଶ୍ୱରରେ ୧୦ଟି ଲେଖାଏଁ ଜିଲ୍ଲାପରିଷଦ ଜୋନରେ ପଡିବ ଭୋଟ୍ ।

ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୩୫ ପ୍ରତିଶତ ଜିଲ୍ଲାପରିଷଦ ଆସନରେ ହେଉଛି ତ୍ରିମୁଖୀ ଲଢେଇ । ସାମ୍ନାସାମ୍ନି ହେଉଛନ୍ତି ବିଜେଡି-ବିଜେପି-କଂଗ୍ରେସ । ତେବେ ୩୭ ପ୍ରତିଶତ ଆସନରେ ଶାସକ ବିଜେଡିକୁ ଟକ୍କର ଦେଉଛି କଂଗ୍ରେସ । ଆଉ ୨୫ ପ୍ରତିଶତ ଆସନରେ କଂଗ୍ରେସକୁ ପଛରେ ପକାଇ ବିଜେଡିକୁ ସିଧାସଳଖ ଟକ୍କର ଦେଉଛି ବିଜେପି । ବଳକା ୩ ପ୍ରତିଶତ ଆସନରେ ଅନ୍ୟ ଛୋଟ ଦଳ କିମ୍ବା ସ୍ୱାଧୀନ ଓ ବିଦ୍ରୋହୀ ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କ ସହ କଡା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶନିବାର ସଂଧ୍ୟାରେ ଶେଷ ହୋଇଛି ପ୍ରଚାର । ଆଉ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ନିର୍ବାଚନ କମିଶନ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଥିବା ନିର୍ବାଚନ ମଣ୍ଡଳୀରେ ବାହାର ରାଜନୈତିକ ନେତାଙ୍କ ରହଣୀକୁ ନେଇ କଟକଣା କରିଛନ୍ତି କମିଶନ୍ । ବ୍ଲକର ଭୋଟର ହୋଇନଥିଲେ ପ୍ରଚାର ଶେଷ ହେବା ପରେ ରହିପାରିବେ ନାହିଁ ରାଜନୈତିକ ନେତା, କର୍ମୀ କିମ୍ବା ପ୍ରଚାରକ । ସେହିପରି ଶନିବାର ସଂଧ୍ୟା ପରେ ଆଉ ପ୍ରାର୍ଥୀମାନେ ସମର୍ଥକଙ୍କୁ ଧରି ସଭା, ରାଲି ଅଥବା ଡାକବାଜି ଯନ୍ତ୍ରରେ ପ୍ରଚାର କରିପାରିବେ ନାହିଁ ବୋଲି କଟକଣା ଲଗାଯାଇଛି । ନିର୍ବାଚନ ହେଉଥିବା ବ୍ଲକରେ ସମସ୍ତ ପ୍ରକାର ମାଦକଦ୍ରବ୍ୟ କାରବାର ଉପରେ ମଧ୍ୟ ଅଙ୍କୁଶ ଲଗାଇଛନ୍ତି ନିର୍ବାଚନ କମିଶନ୍ । ମତଦାନର ୪୮ ଘଂଟା ପୂର୍ବରୁ , ମତଦାନ ଦିନ ଏବଂ ମତଦାନ ପରବର୍ତି ୨୪ ଘଂଟା ପର୍ଯ୍ୟନ୍ତ ମାଦକଦ୍ରବ୍ୟ ସଂପୂର୍ଣ୍ଣ ବନ୍ଦ ରହିବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –