ଚନ୍ଦ୍ରକୁ ଚଢିବ ‘ଚନ୍ଦ୍ରାୟନ-୨’! ଅଭିଯାନ ଆରମ୍ଭ ପୂର୍ବରୁ ଇସ୍ରୋରୁ ଆସିଲା ପ୍ରଥମ ଫଟୋ,ଜାଣନ୍ତୁ କଣ ରହିଛି ବିଶେଷତ୍ୱ ।

425

କନକ ବ୍ୟୁରୋ : ଆସନ୍ତା ଜୁଲାଇ ମାସ ୧୫ ତାରିଖରେ ମହାକାଶକୁ ଯିବ ଭାରତର ଚନ୍ଦ୍ରାୟନ-୨ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଭାରତୀୟ ସମୟ ପ୍ରାୟ ୨ଟା ୫୧ ମିନିଟ ସମୟରେ ଇସ୍ରୋ ମହାକଶକୁ ପଠାଇବ ଚନ୍ଦ୍ରାୟନ-୨ । ୩.୮ ଟନ ଓଜନ ବିଶିଷ୍ଟ ଏହି ଉପଗ୍ରହ ନିର୍ମାଣରେ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଅଭିଯାନକୁ ସଫଳ କରିବା ପାଇଁ ଏବେ ଦିନରାତି ଏକ କରିଦେଇଛି ଇସ୍ରୋ । ଏହାକୁ ସଫଳତାର ସହ ଲ୍ୟାଣ୍ଟିଂ କରିବା ଏବେ ଇସ୍ରୋ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଆଉ ଏସବୁ ଭିତରେ ଚନ୍ଦ୍ରାୟନ-୨ ର ପ୍ରଥମ ଝଲକ ଦେଖିବାକୁ ମିଳିଛି ।

ଲଞ୍ଚ ହେବା ପରେ ଆଗାମୀ ୧୬ ଦିନ ପର୍ଯ୍ୟନ୍ତ ଚନ୍ଦ୍ରାୟନ-୨ ଯାନ ପୃଥ୍ୱୀର ଚାରିପଟେ ପ୍ରଦିକ୍ଷଣ କରିବ । ଏହାପରେ ଆସନ୍ତା ସେପ୍ଟେ୍ମ୍ବର ୬ ତାରିଖରେ ଚନ୍ଦ୍ରାୟନ-୨ ଯାନ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଅବସ୍ଥାପିତ ହେବ ବୋଲି ଇସ୍ରୋ ଲକ୍ଷ୍ୟ ରଖିଛି । ସବୁଠୁ ବଡ କଥା ହେଲା, ଏହି ଯାନ ଲ୍ୟାଣ୍ଡ କରିବା ପରେ ଏଥିରୁ ରୋଭରକୁ ବାହାରିବାକୁ ପ୍ରାୟ ୪ ଘଣ୍ଟା ସମୟ ଲାଗିବ । ଏହାପରେ ରୋଭରଟି ପ୍ରାୟ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ପ୍ରତି ସେକେଣ୍ଡକୁ ଏକ ସେଣ୍ଟିମିଟର ଗତି କରିବା ସହ ତଥ୍ୟ ସଂଗ୍ରହ କରି ଲ୍ୟାଣ୍ଡର ଜରିଆରେ କକ୍ଷପଥକୁ ପଠାଇବ । ଆଉ ଏହି କକ୍ଷପଥରୁ ହିଁ ଇସ୍ରୋ ତଥ୍ୟ ସଂଗ୍ରହ କରିବ ।

ଚନ୍ଦ୍ରାୟନ-୨ ଯାନ ଯେଉଁଠାରେ ଲ୍ୟାଣ୍ଡିଂ କରିବା ନେଇ ସ୍ଥିର ହୋଇଛି ସେଠାରେ ପୂର୍ବରୁ ବିଶ୍ୱର କୌଣସି ଦେଶ ପହଞ୍ଚି ପାରିନାହିଁ । ତେଣୁ ଏହି ଅଭିଯାନରୁ ଚନ୍ଦ୍ର ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ଚନ୍ଦ୍ରାୟାନ ଯାନ ଚନ୍ଦ୍ରମାରେ ଲ୍ୟାଣ୍ଡିଂ କରିବା ସହ ପ୍ରଥମେ ଏଠାରେ ଭୂମିକମ୍ପ ହେଉଛି କି ନାହିଁ ତାହାର ଯାଞ୍ଚ କରିବ ।

ଚନ୍ଦ୍ରାୟନ-୨ ଯାନଟି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏହି ଯାନର ଓଜନ ୩.୮ ଟନ ରହିଛି ଯାହା ୮ଟି ବୟସ୍କ ହାତୀଙ୍କ ଓଜନ ଠାରୁ ମଧ୍ୟ ଅଧିକ । ଚନ୍ଦ୍ରାୟାନ-୨କୁ ଇସ୍ରୋର ସବୁଠୁ ଶକ୍ତିଶାଳୀ ରକେଟ ଜିଏସଏଲଭି ମାର୍କ-୩ ଦ୍ୱାରା ପୃଥିବୀର ବାହାର କକ୍ଷରେ ଛଡାଯିବ । ପ୍ରାୟ ୫୫ ଦିନ ପରେ ଚନ୍ଦ୍ରାୟନ-୨ ଯାନ ଚନ୍ଦ୍ରର କକ୍ଷରେ ଅବସ୍ଥାପିତ ହେବ । ଆଉ ଏହି ଠାରୁ ହିଁ ମିଶନର ଆରମ୍ଭ ହେବ । ରୋଭର ଓ ଲ୍ୟାଣ୍ଡର ଜରିଆରେ ପୂରା ମିଶନକୁ ସଫଳ କରିବାକୁ ନଜର ରଖାଯାଇଛି । ଦୀର୍ଘ ୧୧ ବର୍ଷ ପରେ ଇସ୍ରୋ ପୁଣି ଥରେ ଚନ୍ଦ୍ରର ଭୌଗଳିକ ସ୍ଥିତି ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଯଦି ଚନ୍ଦ୍ରାୟନ-୨ ମିଶନ ସଫଳ ହୁଏ ତାହେଲେ ଆମେରିକା, ଋଷ, ଚୀନ ପରେ ଭାରତ ଚନ୍ଦ୍ରରେ ରୋବର ଅବସ୍ଥାପିତ କରିବାରେ ଚତୁର୍ଥ ଦେଶ ହେବ । ।