କରୋନା କାୟାରେ ସାରା ଦୁନିଆ । ୫୦ରୁ ଅଧିକ ଦେଶକୁ ବ୍ୟାପିଲାଣୀ ଭୁତାଣୁ, ଆମେରିକାରେ ହେଲା ପ୍ରଥମ ମୃତ୍ୟୁ, ଚୀନରେ ପାଖାପାଖି ୮୦ ହଜାର ଆକ୍ରାନ୍ତ ।

431

କନକ ବ୍ୟୁରୋ : ବିଶ୍ୱର ୬୦ଟି ଦେଶରେ ବ୍ୟାପିଗଲାଣି କରୋନା ଭୂତାଣୁ । ସମଗ୍ର ବିଶ୍ୱରେ ୮୬ ହଜାର ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨୯ଶହରୁ ଅଧିକ । ଏହାରି ଭିତରେ ଆମେରିକାରେ କରୋନା ଭୂତାଣ ସଂକ୍ରମଣରେ ପ୍ରଥମ ମୃତ୍ୟୁର ଖବର ଆସିଛି । ସେହିପରି ଅଷ୍ଟେଲିଆ ଏବଂ ଥାଇଲାଣ୍ଡରେ ମଧ୍ୟ କରୋନା ଭୂତାଣୁ ଜୀବନ ନେଇଛି ।

ଆତଙ୍କ ସୃଷ୍ଟି କଲାଣି କରୋନା । ୫୦ରୁ ଅଧିକ ଦେଶରେ ମାଡିଗଲାଣି ଭାଇରସ । ଦିନକୁ ଦିନ ବିଶ୍ୱର ବିଭିନ୍ନ ଦେଶରେ କାୟା ବଢାଇଲାଣି ଏହି ମାରାତ୍ମକ ଭୂତାଣୁ । ଗତ ବର୍ଷ ଚୀନର ଉହାନ ସହରରେ ଆରମ୍ଭ ହୋଇଥିବା ଏହି ଭୂତାଣୁ ଏବେ ବିଶ୍ୱ ମହାମାରୀର ରୂପ ନେଇ ସାରିଲାଣି । ମିଳିଥିବା ସୂଚନା ଅନୁସାରେ ବିଶ୍ୱର ପ୍ରାୟ ୬୦ ଦେଶରେ ଏହି ଭୂତାଣୁ ସଂକ୍ରମଣ କଲାଣି । ଆମେରିକାରେ କୋରନା ଭୂତାଣୁ ଦ୍ୱାରା ସଂକ୍ରମିତ ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି । ଅନ୍ୟପଟେ ଇରାନରେ ଧିରେ ଧିରେ ସ୍ଥିତି ଜଟିଳ ହେଉଛି । ବର୍ତମାନ ସୁଦ୍ଧା ଦେଶରେ ୫୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେବଳ ଆଜି ଗୋଟିଏ ଦିନରେ ୧୧ ଜଣଙ୍କ ଜୀବନ ଯାଇଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ସେପଟେ ଅଷ୍ଟ୍ରେଲିଆ ଏବଂ ଥାଇଲ୍ୟାଣ୍ଡରେ କରୋନା ଭୂତାଣୁ ସଂକ୍ରମଣରେ ପ୍ରଥମ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସମଗ୍ର ବିଶ୍ୱରେ ୮୬ ହଜାର ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ବର୍ତମାନ ସୁଦ୍ଧା ପ୍ରାୟ ୨୯ଶହରୁ ଅଧିକ ଲୋକଙ୍କ ଏହି ସଂକ୍ରମଣରେ ମୃତ୍ୟୁ ହୋଇଥିବା କୁହାଯାଉଛି ।

କରୋନା ଭୂତାଣୁର ଆତଙ୍କ ଯୋଗୁଁ ସାରା ବିଶ୍ୱରେ ଏବେ ଭୟର ବାତାବରଣ । ଆସନ୍ତା ୭ ଦିନ ପାଇଁ ପାକିସ୍ତାନ ନିଜର ଆଫଗାନିସ୍ତାନ ସୀମାକୁ ସିଲ୍ କରି ଦେଇଛି । ଅନ୍ୟପଟେ ବ୍ରିଟେନ, ଫ୍ରାନ୍ସ, ଜାପାନ ଆଦି ବହୁ ଦେଶ ଚୀନ୍ ଗସ୍ତପାଇଁ ଅନୁମତି ଦେବାରେ କଟକଣା ଲାଗୁ କରିଛନ୍ତି । ସେପଟେ ଉତ୍ତର କୋରିଆରେ ଜଣେ କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଗୁଳିମାରି ହତ୍ୟା କରିବାକୁ ଶାସନ ମୁଖ୍ୟ କିମ୍ ଜୋଙ୍ଗ ନିର୍ଦ୍ଦେଶ ଦେଇଥିଲେ ।

କରୋନା ଭୂତାଣୁ ଯୋଗୁଁ ବିଶ୍ୱ ସ୍ତରରେ କେବଳ ସ୍ୱାସ୍ଥ୍ୟ ସମସ୍ୟା ଭାବେ ସୃଷ୍ଟି ହୋଇ ନାହିଁ ବରଂ ସାରା ବିଶ୍ୱରେ ଏହା ଆର୍ଥିକ ଅସ୍ଥିରତା ସୃଷ୍ଟି କରିଛି । ଫଳରେ ବିଶ୍ୱ ବଜାରରେ ତିଆରି ହୋଇଛି ମାନ୍ଦା ଅବସ୍ଥା । ଶନିବାର ସୁଦ୍ଧା ଚୀନରେ ୭୯ ହଜାର ୮୨୪ ଜଣ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେଥିମଧ୍ୟରୁ ୪୧, ୬୨୫ ଜଣ ଚିକିତ୍ସିତ ହୋଇ ଡାକ୍ତରଖାନାରୁ ଫେରିଛନ୍ତି । ଅନ୍ୟପଟେ ଏବେ ବି ୩୫ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି ।