ମାଟ୍ରିକ ଓ ଯୁକ୍ତ ଦୁଇରେ ଫାଷ୍ଟକ୍ଲାସ , କିନ୍ତୁ ପରିଚୟ ଦାଦନ ଶ୍ରମିକ! କେଇ ହଜାର ଟଙ୍କା ପାଇଁ ବନ୍ଧା ପଡ଼ିଛି ମେଧାବୀ ଛାତ୍ରଙ୍କ ଭାଗ୍ୟ

87

କନକ ବ୍ୟୁରୋ : ବନ୍ଧା ପଡ଼ିଛି ମେଧାବୀଙ୍କ ଭାଗ୍ୟ । ଫି’ ଦେବାକୁ ଅସମର୍ଥ ହେବାରୁ ଏବେ ଛାତ୍ରଙ୍କ ସାର୍ଟିଫିକେଟ୍ କଲେଜ ପାଖରେ ବନ୍ଧା ପଡ଼ିଛି । ଆଉ ସାର୍ଟିଫିକେଟ୍ ମୁକୁଳାଇବା ପାଇଁ ଦାଦନ ଖଟୁଛନ୍ତି ଏହି ଯୁବକ । କଳାହାଣ୍ଡିର ଅନନ୍ତ ଦୀପ, ଛୋଟ ଥିବା ବେଳେ ଶିଶୁ ଶ୍ରମିକ ଭାବରେ ଉଦ୍ଧାର ହୋଇଥିଲେ । ଆଉ ଶିଶୁ ଶ୍ରମିକ ସ୍କୁଲରୁ ପାଠ ପଢ଼ି ମାଟ୍ରିକରେ ଫାଷ୍ଟକ୍ଲାସ୍ ଏବଂ ପରେ ଯୁକ୍ତ ଦୁଇ ବିଜ୍ଞାନରେ ଫାଷ୍ଟକ୍ଲାସ୍ ପାଇଛନ୍ତି । ହେଲେ ଏକ ଘରୋଇ କଲେଜର ଚକ୍ରାନ୍ତ ଯୋଗୁଁ ଦିନେ ଶିଶୁ ଶ୍ରମିକ ଥିବା ଅନନ୍ତ ଆଜି ସତ ସତିକା ଦାଦନ ପାଲଟି ଯାଇଛନ୍ତି ।

ମାତ୍ର କେଇ ହଜାର ଟଙ୍କା ପାଇଁ ବନ୍ଧା ପଡ଼ିଛି ଜଣେ ମେଧାବୀ ଛାତ୍ରର ଭାଗ୍ୟ ଓ ଭବିଷ୍ୟତ । ଆଉ ବନ୍ଧା ପଡ଼ିଥିବା ଭବିଷ୍ୟତକୁ ମୁକୁଳାଇବା ପାଇଁ ତାମିଲନାଡୁରୁ ଦାଦନ ଖଟୁଛି କଳାହାଣ୍ଡିର ଅନନ୍ତ ଦୀପ । ମାଟ୍ରିକରେ ଫାଷ୍ଟକ୍ଲାସ୍, ଯୁକ୍ତ ଦୁଇ ବିଜ୍ଞାନରେ ଫାଷ୍ଟକ୍ଲାସ୍ କିନ୍ତୁ ପରିଚୟ ଏବେ ତାମିଲନାଡୁରେ ଦାଦନ ଶ୍ରମିକ ।

ବାଧ୍ୟବାଧକତାରେ ଦାଦନ ଶ୍ରମିକର ପରିଚୟକୁ ଆପଣାଇ ନେବା ଅନନ୍ତ ଦୀପଙ୍କ ପଛରେ ଏମିତି ଏକ କାହାଣୀ ରହିଛି, ଯାହା ଶିକ୍ଷାକୁ ନେଇ ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କ ଅସଲ ମୁଖାକୁ ଖୋଲିଦେବ । ମାଟ୍ରିକ୍ ପରୀକ୍ଷାରେ ଫାଷ୍ଟକ୍ଲାସ୍ ପରେ ରାୟଗଡ଼ା ସରକାରୀ କଲେଜରେ ନାଁ ଲେଖାଇଥିଲେ ଅନନ୍ତ । ହେଲେ ସେଠି ପାଠ ପଢ଼ିିବେ କ’ଣ, ତା ପୂର୍ବରୁ ଜଣେ ମେଧାବୀ ଛାତ୍ରକୁ ନିଜ ଚକ୍ରାନ୍ତର ଜାଲରେ ଛନ୍ଦି ଦେଇଥିଲା ଏମ୍.ରାମପୁରରେ ଥିବା ଶ୍ରୀ ଏଜୁକେସନ୍ । କମ୍ ପଇସାରେ ପାଠ ପଢ଼ାଇବାର ପ୍ରଲୋଭନ ଦେଖାଇ ନିଜ କଜେଲକୁ ଟାଣି ଆଣିଥିଲା ଏହି ଶିକ୍ଷାନୁଷ୍ଠାନ । ଆଉ ଯେତେବେଳେ ପାଠ ସରିଲା, ସାମ୍ନାକୁ ଆସିଲା ଅସଲ ଚେହେରା ।

ଅନନ୍ତଙ୍କ ଘରେ ପହଂଚିଯାଇଥିଲେ କଲେଜ୍ କର୍ତୃପକ୍ଷ । ହରିଜନ ପିଲାଙ୍କୁ ମାତ୍ର ୭୨ ହଜାର ଟଙ୍କାରେ ଦୁଇ ବର୍ଷ ପାଇଁ ପଢ଼ିବାର ସୁଯୋଗ ଦିଆଯିବ ବୋଲି କହି ଅତି ଚାଲାକିରେ ବୁଝାଇ ଦେଲେ କଲେଜ୍ କତୃପକ୍ଷ । ଅନନ୍ତଙ୍କ ମା’ ବାପା ଦିନରାତି ପରିଶ୍ରମ କରି ଏବଂ ଧାର ଉଧାର କରି ଅନ୍ତନ୍ତର ନାଁ ଲେଖାଇ ଦେଲେ । ଏମିତିକି କଲେଜ ଦାବି କରୁଥିବା ୭୨ ହଜାର ଟଙ୍କା ମଧ୍ୟ ଦେଇଥିଲେ । ହେଲେ ଯେତେ ବେଳେ ସାର୍ଟିଫିକେଟ୍ ଦେବାର ସମୟ ଆସିଲା ଆହୁରି ୫୦ ହଜାର ଟଙ୍କା ନଦେଲେ ସାର୍ଟିଫିକେଟ୍ ଦିଆଯିବନି କହି, ସାର୍ଟିଫିକେଟକୁ ବନ୍ଧକ ରଖିଦେଲେ ।

ଯେଉଁ ଅନନ୍ତ ଦିନେ ଶିଶୁ ଶ୍ରମିକ ଭାବରେ ଉଦ୍ଧାର ହୋଇ ଶିଶୁ ଶ୍ରମିକ ସ୍କୁଲରେ ପାଠ ପଢ଼ି ବଡ ମଣିଷ ହେବାର ସ୍ୱପ୍ନ ଦେଖିଥିଲା, ତାକୁ ସେହି ଦାଦନ ହେବାକୁ ହିଁ ପଡିଲା । ଏପଟେ କଲେଜ କର୍ତୃପକ୍ଷ କହୁଛନ୍ତି- ଟଙ୍କା ନଦେଲେ ସାର୍ଟିଫିକେଟ୍ ମିଳିବନି ।ସ୍ଥାନୀୟ ଅଂଚଳର ଯେଉଁ ବଡ ବଡ ନେତା ଓ ସମାଜିକ କର୍ମୀମାନେ, ଟିଭି ଷ୍ଟୁଡିଓରେ ବସି କଳାହାଣ୍ଡିର ସୁନେଲି ସ୍ୱପ୍ନ ଦେଖାନ୍ତି, ସେମାନେ କାହିଁକି ଏଭଳି ଏକ ଘଟଣାକୁ ରୋକିବାକୁ ଉଦ୍ୟମ କଲେ ନାହିଁ ତା ବି ଏକ ବଡ ପ୍ରଶ୍ନବାଚୀ ।