୨୦୨୨ରେ ଭାରତରେ ଗଡ଼ିବ ପ୍ରଥମ ବୁଲେଟ ଟ୍ରେନ୍ ! ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ କଲେ ଶିଳାନ୍ୟାସ

88

କନକ ବ୍ୟୁରୋ : ବିଶ୍ୱର ଚତୁର୍ଥ ବୃହତମ ରେଳ ନେଟୱର୍କର ଦେଶ ଭାରତ, ଆଜି ଆଉ ଏକ ପାଦ ଆଗକୁ ଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ବିଶିଷ୍ଟ ବୁଲେଟ୍ ଟ୍ରେନ ପାଇଁ ଆଜି ମୂଳଦୂଆ ପଡିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୨୦୨୨ ଅଗଷ୍ଟ ୧୫ ତାରିଖରେ ଅହମଦାବାଦରୁ ମୁମ୍ବାଇ ଗଡିବ ଏହି ବୁଲେଟ୍ ଟ୍ରେନ । ଶିଳାନ୍ୟାସ ଉତ୍ସବରେ ମୋଦି କହିଛନ୍ତି, ଏହି ହାଇସ୍ପିଡ ଟ୍ରେନ ଭାରତର ବିକାଶକୁ ମଧ୍ୟ ଗତି ଦେବ ।

ଆଉ ୫ ବର୍ଷ ପରେ ଅର୍ଥାତ୍ ୨୦୨୨ ଅଗଷ୍ଟ ୧୫ରେ ଭାରତର ଗୁଳି ବେଗରେ ଗଡିବ ବୁଲେଟ୍ ଟ୍ରେନ୍ । ୩ ହାଜରରୁ ୫ ହଜାର ଟଙ୍କାର ଟିକେଟରେ ମାତ୍ର ୨ ଘଂଟାରେ ଅହମଦାବାଦରୁ ଯାତ୍ରୀ ପହଂଚିବେ ମୁମ୍ବାଇରେ । ଘଂଟାକୁ ପ୍ରାୟ ୩୫୦ କିଲୋମିଟର ବେଗରେ ଚାଲୁଥିବା ଏହି ବୁଲେଟ୍ ଟ୍ରେନ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ।

ଅହମଦାବାଦ୍ – ମୁମ୍ବାଇ ପ୍ରଥମ ବୁଲେଟ୍ ଟ୍ରେନ୍ ପାଇଁ ଆବଶ୍ୟକ ହେବ ମାତ୍ର ୮୨୫ ହେକ୍ଟର ଜମି । କାରଣ ଏହି ୫୦୮ କିଲୋମିଟର ରେଳଧାରଣା ମଧ୍ୟରୁ ୩୨ ପ୍ରତିଶତ ଭୂପୃଷ୍ଠରୁ ୧୮ ମିଟର ଉପରେ ତିଆରି ହେବ । ଠିକ୍ ଜାପାନ୍ ଭଳି । ୬ ପ୍ରତିଶତ ଯିବ ସୁଡଙ୍ଗ ଭିତରେ ଅର୍ଥାତ୍ ୨୧ କିଲୋମିଟର ମଧ୍ୟରୁ ୭ କିଲୋମିଟର ସୁଡଙ୍ଗ ସମୁଦ୍ର ଭିତରେ ତିଆରି କରାଯିବ ।

୧ ଲକ୍ଷ ୧୦ ହଜାର କୋଟିର ଏହି ମହତ୍ୱାକାଂକ୍ଷୀ ପ୍ରୋଜେକ୍ଟ ପାଇଁ ସିଂହଭାଗ ଅର୍ଥାତ୍ ୮୮ ହଜାର କୋଟି ଟଙ୍କାର ଋଣ ଦେବ ଜାପାନ । ମାତ୍ର ୦.୧ ପ୍ରତିଶତ ସୁଧ ହାରରେ ଏହି ଋଣ ପରିଶୋଧ ପାଇଁ ଜାପାନ ଦେଇଛି ୫୦ ବର୍ଷର ସମୟ । ଏହା ଭିତରେ ପରିଶୋଧ କରିନପାରିଲେ ଆହୁରି ୧୫ ବର୍ଷ ଦେବାକୁ ବ୍ୟବସ୍ଥା ରହିଛି ।
ବିଶ୍ୱରେ ବୁଲେଟ୍ ଟ୍ରେନର ଜନକ କୁହାଯାଉଥିବା ଜାପାନ – ମୁମ୍ବାଇ, ଅହମଦାବାଦ୍ ପରେ ଦ୍ୱିତୀୟ ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟ ପାଇଁ ପ୍ରସ୍ତାବ ଦେଇଛି । ଏହା ଦିଲ୍ଲୀରୁ ଅମୃତସର ପର୍ଯ୍ୟନ୍ତ ଚାଲିବ । ୨୦୨୪ ସୁଦ୍ଧା ଏହି ଦ୍ୱିତୀୟ ପ୍ରୋଜେକ୍ଟ ତିଆରି ସରିବ ବୋଲି କୁହାଯାଉଛି ।

ଜାପାନର ବୁଲେଟ୍ ଟ୍ରେନ୍ ନେଟୱର୍କ – ସିଂକାନସେନ୍ ୧୯୬୪ରୁ କାମ ଆରମ୍ଭ କରିଛି । କୁହାଯାଏ ୬୩ ବର୍ଷରୁ ଜାପାନରେ ଚାଲିଥିବା ଏହି ଟ୍ରେନରେ ଆଜି ଯାଏଁ କୌଣସି ଦୁର୍ଘଟଣା ଘଟିନାହିଁ । ଏହା ଛଡା ଜାପାନର ଏହି ପ୍ରୋଜେକ୍ଟର ସବୁଠାରୁ ବଡ଼ ବିଶେଷତ୍ୱ ହେଲା ଏହାର ସଠିକ୍ ସମୟ ଆଜି ଯାଏଁ ସେଠାରେ ଏହି ଟ୍ରେନ୍ ଅଧିକ ୩୬ ସେକେଣ୍ଡ ବିଳମ୍ବ ହୋଇଛି ।