ଆଜି ଗୁଜରାଟରେ ଅଗ୍ନିପରୀକ୍ଷା ! ବିଧାନସଭାର ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି

16

କନକ ବ୍ୟୁରୋ : ଆଜି ଗୁଜରାଟ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ୧୮୨ ବିଧାନସଭା ଆସନରୁ ୮୯ ଆସନରେ ଭୋଟ ହେଉଛିା ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ସମେତ ୯୭୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟ ଅଂଚଳରେ ଏହି ନିର୍ବାଚନ ହେଉଛି । ପାଖାପାଖି ୨ କୋଟି ୧୨ ଲକ୍ଷ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ପ୍ରଥମ ପର୍ଯ୍ୟାୟ ଭୋଟରେ ଇଭିଏମ ସହ ଭିଭିପାଟ ବି ବ୍ୟବହାର କରାଯାଉଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ଟି ରାଲି କରିଛନ୍ତି । ସେହିଭଳି କଂଗ୍ରେସ ଉପାଧକ୍ଷ ରାହୁଲ ଗାନ୍ଧି ଏକାଧିକ ନିର୍ବାଚନୀ ସଭା ଓ ରାଲି କରିଛନ୍ତି । ଏହି ନିର୍ବାଚନ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ରାହୁଲଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି ।

ଗୁଜରାଟର ମୋଟ ୧୯ ଜିଲ୍ଲାରେ ଆଜି ଭୋଟଗ୍ରହଣ ହେଉଛି । ବିଜେପି ପୁଣି ଥରେ କ୍ଷମତାସୀନ ହେବାକୁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି । ମୋଦିଙ୍କ ପାଇଁ ଏହି ଭୋଟ ପ୍ରତିଷ୍ଠାର ଲଢେଇ ହୋଇଥିବାବେଳେ ରାହୁଲ ଗାନ୍ଧିଙ୍କ ନେତୃତ୍ୱ ପାଇଁ ଅଗ୍ନିପରୀକ୍ଷା ହୋଇଛି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ରାଜକୋଟ, ପଶ୍ଚିମରୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ମାଣ୍ଡବୀରୁ କଂଗ୍ରେସର ବରିଷ୍ଠ ନେତା ଶକ୍ତି ସିଂ ଗୋହିଲ । ସବୁ ବୁଥରେ ଇଭିଏମ ସହ ଭିଭିପାଟର ବି ବ୍ୟବହର ହେଉଛି । ଦ୍ୱିତୀୟ ପର୍ଯ୍ୟାୟ ଭୋଟ ୧୪ ତାରିଖରେ ହେବ । ଫଳାଫଳ ୧୮ ତାରିଖରେ ଆସିବ ।