ଆମେରିକାକୁ ଇରାନ୍ ଦେଲା ଚେତାବନୀ । କହିଲା, ଆକ୍ରମଣ ହେଲେ ଉପସାଗରୀୟ ଅଞ୍ଚଳରେ ଜଳିବ ନିଆଁ ।

311

କନକ ବ୍ୟୁରୋ : ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି । ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେବା ପରେ ଶେଷ ମୂହୂର୍ତ୍ତରେ ତାହାକୁ ପ୍ରତ୍ୟାହାର କରିଥିଲେ । ଆଜି ଇରାନ ଆମେରିକାକୁ ଚେତବନୀ ଦେଇ କହିଛି ଯେ ଆମେରିକା ଯଦି ଗୋଟିଏ ଗୁଳି ଚଳାଏ ତେବେ ତାହାର ଦୃଢ ଜବାବ ଦିଆଯିବ ।

ମଧ୍ୟପୂର୍ବରେ ଥିବା ଆମେରିକାର ସବୁ ସଂପତ୍ତି ( ପ୍ରତିରକ୍ଷା ସାମଗ୍ରୀ, ଯୁଦ୍ଧଜାହାଜ,ତୈଳ କୂପ, ଆମେରିକୀୟ ଅଫିସ ଆଦି) ରେ ନିଆଁ ଲଗାଇ ଦିଆଯିବ ବୋଲି କହିଛନ୍ତି ଇରାନୀ ସେନାର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଅବୋଲଫଜଲ ସେକାର୍ଚି । ସେ କହିଛନ୍ତି ଯେ ଇରାନ କେବେ ମଧ୍ୟ ଯୁଦ୍ଧ ଆରମ୍ଭ କରିବ ନାହିଁ, କିନ୍ତୁ ତା ଉପରେ ଆକ୍ରମଣ ହେଲେ ସମଗ୍ର ଶକ୍ତି ସହ ତାହାର ଜବାବ ଦିଆଯିବ । ଗତ ଗୁରୁବାରଦିନ ଇରାନୀୟ ଆକାଶସୀମାକୁ ଅନୁପ୍ରବେଶ କରିଥିବା ଗୋଟାଏ ଆମେରିକୀୟ ‘ସ୍ପାଏ ଡ୍ରୋନ୍‌’କୁ ନିଜ ଅଞ୍ଚଳ ମଧ୍ୟରେ ଗୁଳି ମାରି ଖସାଇଦେଇଛି ବୋଲି ଗୁରୁବାର ଦିନ ଇରାନ କହିଥିଲା । ଏହାର ଜବାବରେ ଟ୍ରମ୍ପ କହିଥିଲେ ଯେ ଇରାନ ଏକ ବଡ଼ ଭୁଲ କରିଦେଇଛି ।