ଅଶାନ୍ତ ଜଗତସିଂହପୁର : ଦୁଇଟି ସ୍ଥାନରେ ଗୁଳିକାଣ୍ଡ, ଦୁଇ ଜଣ ଗୁରୁତର

32

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ସଦର ଥାନା ତେନ୍ଦୁଅ ଗାଁରେ ଗୁଳିକାଣ୍ଡ । ଫଳରେ ସ୍ଥାନୀୟ ଅଂଚଳର ଦିବ୍ୟସ୍ୱରୂପ ସାହୁ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଠିକା କାମ ପାଇଁ ନିଜ ଗାଁର ଜାନକୀ ମହାରଣାଙ୍କୁ ଦିବ୍ୟସ୍ୱରୂପ ୩୦ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ କେବଳ ୮ ଲକ୍ଷ ଟଙ୍କା ପାଇଥିବା ବେଳେ ଅନ୍ୟ ୨୨ ଲକ୍ଷ ଟଙ୍କା ଫେରସ୍ତ ମାଗିଥିଲେ । ଏହି ଘଟଣାରେ ଉତକ୍ଷିପ୍ତ ହୋଇ ପଡିଥିଲେ ଜାନକୀ ଏବଂ ୫ ଜଣ ଦୁର୍ବୁତ୍ତ ୨ଟି ବାଇକରେ ଆସି ଗୁଳିମାଡ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତମାନେ ଫେରାର ରହିଛନ୍ତି । ପୋଲିସର ତନାଘନା ଜାରି ରହିଛି ।

ସେପଟେ ଜଗତସିଂହପୁରରେ ପୁଣି ଆଉ ଏକ ଗୁଳିମାଡ ହୋଇଛି । ଏହି ଘଟଣାରେ ତିର୍ତ୍ତୋଲ ସ୍ଥିତ ମେଡିକାଲ ଷ୍ଟୋର ମାଲିକ ସେକ୍ ଅବୁଙ୍କ ଉପରେ ଗୁଳିମାଡ ଯୋଗୁଁ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ତଳିପେଟରେ ଗୁଳି ବାଜିଥିବା ଜଣାପଡିଛି । ଗୁରୁତର ହୋଇପଡିଥିବା ସେକ୍ ଅବୁଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଦାଦାବଟି ଦାବିକୁ ନେଇ ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।