ଟେଣ୍ଡର ପାଇଁ କଟକରେ ଫୁଟଲା ଗୁଳି ! ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନର ଭାଇକୁ ଗୁଳିମାଡ଼, ୪ ଦୁର୍ବୃତ ଗୁଳିଫୁଟାଇ ଫେରାର

27

କନକ ବ୍ୟୁରୋ : ଟେଣ୍ଡର ପାଇଁ ଫୁଟିଲା ଗୁଳି । ଟେଣ୍ଡର ଫିକ୍ସିଂକୁ ନେଇ କଟକ ଜଗତପୁର ଅଂଚଳରେ ଗୁଳି ଫୁଟିଛି । ଗୁଳି ମାଡରେ ଶିକାର ହୋଇଛନ୍ତି ଆତଙ୍କବାଦୀ ଲିଙ୍କ ନେଇ ଗିରଫ ହୋଇଥିବା ଅବଦୁର ରହେମାନର ବଡ ଭାଇ ମହମ୍ମଦ ତାହିଲ ଅଲ୍ଲୀ ଖାଁ । ତାହିରଙ୍କ ଉପରକୁ ଦୁର୍ବୃତମାନେ ୪ ରାଉଣ୍ଡ ଗୁଳିମାଡ଼ କରଛନ୍ତି । ତାହିରଙ୍କ ଗୋଡ଼ରେ ଗୁଳି ବାଜିଛି । ପ୍ରଥମେ ତାଙ୍କୁ ଜଗତପୁର ହସ୍ପିଟାଲରେ ଭର୍ତି କରାଯିବା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାହିର ଜଳସେଚନ ବିଭାଗ ପକ୍ଷରୁ ବାହାରିଥିବା ବିଭିନ୍ନ କାମ ପାଇଁ ଟେଣ୍ଡର ନେଇଥିଲେ । ପୁଲିସ୍ ଘଟଣାସ୍ଥଳରୁ ୨ଟି ଖୋକା, ଗୋଟିଏ ସ୍କର୍ପିଓ, ଗୋଟିଏ ବାଇକ୍ ଜବତ କରିଛି । ପୁଲିସ୍ ଘଟଣାର ଛାନଭିନ୍ କରୁଛି ।

ସୂଚନା ଅନୁଯାୟୀ ଜଗତପୁର ଥାନା ପଶ୍ଚିମକଚ୍ଛ ସାତବାଟିଆ ଗ୍ରାମର ତାହିର ଅଲ୍ଲୀ ନିକଟରେ ଜଳସେଚନ ବିଭାଗ ପକ୍ଷରୁ ବାହାରିଥିବା ବିଭିନ୍ନ କାମ ପାଇଁ ଟେଣ୍ଡର ପକାଇ ତାହାକୁ ନେବାରେ ସଫଳ ହୋଇଥିଲେ । ତାହିର୍‌ ଟେଣ୍ଡର ପାଇବା ଦିନଠାରୁ ତାଙ୍କୁ ଫୋନ୍‌ରେ ଧମକ ମିଳିବା ଆରମ୍ଭ କରିଥିଲା । ବୁଝାମଣା ପାଇଁ ଆସିବାକୁ ଫୋନରେ ତାଗିଦ କରାଯାଉଥିଲା । ଗତକାଲି ତାହିରଙ୍କୁ ଏଭଳି ଫୋନ୍‌ ମିଳିଥିବା ବେଳେ ଆଜି ମଧ୍ୟ ତାଙ୍କୁ ତୁରନ୍ତ ଆସି ଭେଟିବାକୁ କୁହାଯାଇଥିଲା । ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ତାହିର ନିଜର ବୁଲେଟରେ ଗୋରି ନାମକ ଜଣେ ଯୁବକଙ୍କୁ ବସାଇ ଘରୁ ବାହାରିଥିଲେ ।

ତାଙ୍କ ସହ ତାଙ୍କର ଜଣେ ସହଯୋଗୀ ମୁନସଫ୍‌ ହୁସେନ୍‌ (୩୮) ତାଙ୍କ ସୁଜୁକି ସାମୁରାଇ ବାଇକ୍‌ ଧରି ବାହାରିଥିଲେ । ସେମାନେ ପ୍ରଥମେ ଜଗତପୁର ଆସି ଆଇବି ଛକ ନିକଟରେ ଥିବା ତାଙ୍କ ଭଣଜାର ଟାୟାର ରିସୋଲିଂ ଦୋକାନରେ ଅଟକି ଥିଲେ । ତାହିରଙ୍କୁ ପୁଣି ଫୋନ୍‌ କରି ଡେଲଟା କଲୋନିର ନିର୍ଦ୍ଦିଷ୍ଟ ଏକ ଭଙ୍ଗା ଘର ନିକଟକୁ ଆସିବାକୁ କୁହାଯାଇଥିଲା । ଏ ସଂପର୍କରେ ତାହିରଙ୍କ ଗାଁର ଅନ୍ୟ କିଛି ଯୁବକ ମଧ୍ୟ ଜାଣିଥିଲେ । ସେମାନେ ବି ତାହିରଙ୍କ ସହ ସେଠାକୁ ଯିବାକୁ ବାହାରିଥିଲେ । କିନ୍ତୁ ତାହିର ଡେଲଟା କଲୋନିର ସେହି ନିର୍ଦ୍ଦିଷ୍ଟ ଆଡ଼ାକୁ କେବଳ ଗୋରି ଓ ମୁନସଫ୍‌ଙ୍କୁ ଧରି ଯାଇଥିଲେ । ଅନ୍ୟମାନଙ୍କୁ ସେଠାରୁ ଫେରି ଯିବାକୁ କହିଥିଲେ ।

ତାହିର, ଗୋରି ଓ ମୁନସଫ୍‌ ସେଠାରେ ସଂଧ୍ୟା ପ୍ରାୟ ୭ଟା ବେଳେ ପହଞ୍ଚିଥିଲେ। ସେମାନେ ପହଞ୍ଚିଲା ବେଳକୁ ସେହି ଘର ନିକଟରେ ପୂର୍ବରୁ ୬/୭ ଜଣ ଯୁବକ ଜଗି ରହିଥିଲେ । ସେମାନଙ୍କ ଭିତରେ ପ୍ରଥମେ କିଛି ସମୟ କଥାବାର୍ତ୍ତା ପରେ ବଚସା ଆରମ୍ଭ ହୋଇଯାଇଥିଲା । ସେମାନଙ୍କ ଭିତରେ ଥିବା ଜଣେ ଯୁବକ ହଠାତ୍‌ ଗୋଟିଏ ରାଉଣ୍ଡ୍‌ ବ୍ଲାଙ୍କ୍‌ ଫାୟାରିଂ କରିବା ସହ ତାହିରଙ୍କ ଦୁଇ ଗୋଡ଼କୁ ୩ଟି ଗୁଳି ଫୁଟାଇଥିଲେ । ସେଠାରେ ଥିବା ଏକ ଅଟୋରେ ତାହିରଙ୍କୁ ବସାଇ ନାଳ ବନ୍ଧ ରାସ୍ତାରେ ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ପାଖରେ ପକାଇ ଦେଇ ଫେରାର ହୋଇଯାଇଥିଲେ । ସେମାନେ ଗୋରି ଓ ମୁନସଫ୍‌ଙ୍କୁ ମଧ୍ୟ ମାଡ଼ ମାରିଥିଲେ । ଏ ସଂପର୍କରେ ଖବର ପାଇବା ପରେ ତାହିରଙ୍କ ସହଯୋଗୀମାନେ ତାଙ୍କୁ ଉଦ୍ଧାର କରି ଜଗତପୁରର ସଦ୍‌ଗୁରୁ ହସ୍ପିଟାଲ ନେଇ ଭର୍ତ୍ତି କରିଥିଲେ । ପରେ ସେଠାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।