କଟକ ତେଲେଙ୍ଗାପେଣ୍ଠରେ ଫୁଟିଲା ଗୁଳି : ପଛପଟୁ ବାଇକରେ ଆସି ଯୁବକଙ୍କୁ ଗୁଳିମାଡ କଲେ ଦୁର୍ବୃତ୍ତ

26

କନକ ବ୍ୟୁରୋ :  କଟକରେ ଫୁଟିଲା ଗୁଳି । କଟକ ତେଲଙ୍ଗାପେଣ୍ଠ ନିକଟରେ ଗୁଳିକାଣ୍ଡ ହୋଇଛି । ଖୋର୍ଦ୍ଧାରୁ କଟକ ଆଡକୁ ଖୋର୍ଦ୍ଧା ସାମନ୍ତରାପୁର ଅଂଚଳର କାର୍ତ୍ତିକ ଖଟେଇ ଏକ ପଲସର ବାଇକ ଯୋଗେ ନିଜ ବନ୍ଧୁଙ୍କ ସହ ଆସୁଥିଲେ । ତେଲେଙ୍ଗାପେଣ୍ଠ ଛକ ନିକଟରେ ପହଁଚିବା ପରେ ସେହି ସମୟରେ ପଛପଟୁ ବାଇକ ଯୋଗେ ଆସୁଥିବା ଅନ୍ୟ ଦୁଇ ଯୁବକ କାର୍ତିକଙ୍କ ଉପରକୁ ଗୁଳିମାଡ କରି ସେଠାରୁ ଚାଲିଯାଇଥିଲେ ।

ଗୁଳିକାଣ୍ଡରେ କାର୍ତ୍ତିକଙ୍କ ଡାହାଣ ଜଂଘରେ ଗୁଳି ବାଜିଥିବା ବେଳେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଗୁଳିକାଣ୍ଡ ସମୟରେ କାର୍ତ୍ତିକଙ୍କ ସହ ଥିବା ତାଙ୍କ ବନ୍ଧୁ ଅଭିଯୋଗ କରିଛନ୍ତି ଦୁର୍ବୃତ୍ତମାନେ ଟଙ୍କା ଲୁଟ କରିବା ଉଦ୍ଦେଶ୍ୟରେ ଏଭଳି ଗୁଳିକାଣ୍ଡ ଘଟାଇଛନ୍ତି । ଆହତ କାର୍ତ୍ତିକଙ୍କ ଭାଇଙ୍କ ନାମରେ ପୂର୍ବରୁ ସ୍ଥାନୀୟ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ତେଣୁ ଏହି ଗୁଳିକାଣ୍ଡର କାରଣ ପୂର୍ବବିବାଦ ବୋଲି ପୋଲିସ ଅନୁମାନ କରୁଛି । ତେବେ ତଦନ୍ତ ଜାରି ରହିଛି ଏବଂ ଖୁବ ଶୀଘ୍ର ପୋଲିସ ଗୁଳିକାଣ୍ଡ ଘଟାଇଥିବା ଅପରାଧିମାନଙ୍କୁ ଧରିବ ବୋଲି କଟକ ଡିସିପି କହିଛନ୍ତି ।