ରାଜଧାନୀର ୧୦ଟି ମଲରେ ଲାଗିଲା ଅଗ୍ନିଶମ ବିଭାଗର ନୋଟିସ । ଫାୟାର ସେଫଟି ବ୍ୟବସ୍ଥା ଠିକ ନଥିବା ଅଭିଯୋଗ ।

17

କନକ ବ୍ୟୁରୋ : ରାଜଧାନୀର ବଡବଡ ୧୦ଟି ମଲକୁ ଅଗ୍ନିଶମ ବିଭାଗର ନୋଟିସ । ମଲରେ ଫାୟାର ସେଫ୍ଟି ଲାଇସେନ୍ସ ନଥିବାରୁ ନୋଟିସ କରାଯାଇଛି । ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଭୁବନେଶ୍ୱରର ୧୦ଟି ମଲରେ ନୋଟିସ ଲଗାଯାଇଛି । ପୂର୍ବରୁ ରାଜଧାନୀର ବଛା ବଛା ୧୦ଟି ମଲରେ ରେଡ କରିଥିଲା ଅଗ୍ନିଶମ ବିଭାଗ । ଏହି ସମୟରେ ମଲଗୁଡିକ ଫାୟାର ସେଫ୍ଟି ଉଲଂଘନ କରିଥିବା ଜଣାପଡିଥିଲା । ୧୦ଟି ମଲରୁ ୮ଟି ମଲର ଫାୟାର ସେଫ୍ଟି ନଥିବା ବେଳେ ଯେଉଁ ୨ଟିର ଥିଲା ତାହା ବି ସମ୍ପୂର୍ଣ୍ଣ ଠିକ ନାହିଁ । ତେଣୁ ମଲଗୁଡକରେ ୨ମାସ ଭିତରେ ଆବଶ୍ୟକ ପରିମାଣର ଅଗ୍ନୀ ନିର୍ବାପକ ଯନ୍ତ୍ର ରଖିବେ ନଚେତ ମଲଗୁଡିକୁ ସିଲ କରି ଦିଆଯିବ ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ବିକେ ଶର୍ମା ।

ଗତ ସପ୍ତାହରେ ଭୁବନେଶ୍ୱରର ଡମଣା ସ୍ଥିତ ଭେନସ ଡେଲି ମାର୍ଟ ସପିଂମଲରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଥିଲା । ତ୍ରିତଳ ବିଶିଷ୍ଟ ମାର୍କେଟ କଂପ୍ଲେକ୍ସର ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିବା ଜଣାପଡିଥିଲା । ନିଆଁଲିଭା କାର୍ୟ୍ୟରେ ଅଗ୍ନିଶମବାହିନୀର ୬ଟି ଦମକଳ ନିଆଁକୁ ଆୟତ କରିଥିଲା । ସେହିପରି ଗତ ୨୯ତାରିଖ ଦିନ ମୁମ୍ବାଇର ଲୋୟର ପରେଲ ଅଂଚଳରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । କମଲା ମିଲସରେ ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । କମଲା ମିଲ୍ସ କଂପାଉଣ୍ଡ ସ୍ଥିତ ରେଷ୍ଟୋବାରରେ ନିଆଁ ଲାଗିଛି । ରାତି ୧୨ଟା ପାଖାପାଖି ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ଆୟତ କରିବା ସମ୍ଭବପର ନଥିଲା । ନିଆଁକୁ ଲିଭାଇବାକୁ ଅଗ୍ନିଶମ ବିଭାଗକୁ ନାକେଦମ ହେବାକୁ ପଡିଥିଲା ।

ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ରାତି ପ୍ରାୟ ସାଢ଼େ ବାରଟା ବେଳେ ସେନାପତି ବାପତ ମାର୍ଗରେ ଅବସ୍ଥିତ ୬ ତାଲା କୋଠାର ତୃତୀୟ ମହଲାରେ ନିଆଁ ଲାଗିଥିଲା। ସେ କୋଠା ପରିସରରେ ଥିବା ପବଗୁଡ଼ିକ ମଧ୍ୟରୁ ଗୋଟିକରେ ବିଜୁଳି ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କଥା ଶୁଣିବାକୁ ମିଳୁଛି। ଶିଳ୍ପ ପରିସର କମଳା ମିଲସରେ କେତେଗୁଡ଼ିଏ ବିଳାସପୂର୍ଣ୍ଣ ରେସ୍ତୋରାଁ ଏବଂ ଅନ୍ୟାନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ରହିଛି

ପୁଲିସ କହିବା ଅନୁସାରେ, ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଅଧିକାଂଶ ମହିଳା। ସେ କୋଠାର ଏକ ରୁଫଟପ୍ ରେସ୍ତୋରାଁରେ ଚାଲିଥିବା ପାର୍ଟିରେ ଏହି ମହିଳାମାନେ ଯୋଗ ଦେଇଥିଲେ।ନିଆଁ ଲାଗିବାର ଅଧଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଅଟ୍ଟାଳିକା ମଧ୍ୟକୁ ତାହା ଚରି ଯାଇଥିଲା। ଦମକଳ ସମେତ ଉଦ୍ଧାର କାର୍ୟ୍ୟ ପାଇଁ ଅନ୍ୟୂନ ୨୪ଟି ଗାଡ଼ି ଘଟଣାସ୍ଥଳରେ ମହଜୁଦ ଥିଲା।ଅଘଟଣରେ ଆହତ ୨୫ ଜଣଙ୍କୁ ମୁମ୍ବାଇସ୍ଥିତ କେଇଏମ ହସପିଟାଲକୁ ନିଆ ଯାଇଥିଲା

ଏହାକୁ ଓଡିଶା ସରକାର ଗୁରୁତର ସହ ନେଇଥିଲେ । ରାଜଧାନୀରେ ଥିବା ବିଭିନ୍ନ ମଲରେ ଚଢଉ କରିଥିଲେ ଅଗ୍ନିଶମ ବିଭାଗ । ଯେଉଁ ମଲରେ ସୁରକ୍ଷା ବ୍ୟବସ୍ଥା ଢିଲା ରହିଥିବା ଜାଣିଥିଲା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ ଜାରି କରାଯାଇଛି ।