ଶବ୍ଦ ପ୍ରଦୂଷଣ ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର କଟକଣା : ରାତି ୧୦ଟା ପରେ ବାଜା, ଡାକବାଜି ଯନ୍ତ୍ର, ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଯନ୍ତ୍ରାଂଶ ବ୍ୟବହାର ଓ ବାଣଫୁଟା ମନା

278

କନକ ବ୍ୟୁରୋ : ପର୍ବପର୍ବାଣି ଓ ଦୀପାବଳିକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଶବ୍ଦ ପ୍ରଦୂଷଣ ଉପରେ କଟକଣା ଜାରି କରାଯାଇଛି । ପାର୍ବଣ ସମୟରେ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା‌ ଡାକବାଜି ଯନ୍ତ୍ର, ସଙ୍ଗୀତ ଯନ୍ତ୍ର କିମ୍ବା ଆମ୍ପ୍ଲିଫାୟାର ବ୍ୟବହାର ଦ୍ବାରା ଲୋକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ । ଉଚ୍ଚ ଶବ୍ଦ ଉତ୍ପନ୍ନ କରୁଥିବା ଆତସବାଜି ବ୍ୟବହାର ଯୋଗୁଁ ଅଗ୍ନିକାଣ୍ଡ ଓ ବିସ୍ଫୋରଣ ଭଳି ସମସ୍ୟା ହୋଇଥାଏ । ଏଥିରୁ ବାହାରୁଥିବା ବିଷାକ୍ତ ଗ୍ୟାସ, ଧୂଳିକଣା ଓ ଶବ୍ଦ ଯୋଗୁଁ ଶିଶୁ, ବୃଦ୍ଧ, ଅସୁସ୍ଥ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ବିଗିଡ଼ିଥାଏ । ତେଣୁ ଡାକବାଜି ଯନ୍ତ୍ର ଓ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଯନ୍ତ୍ରାଂଶର ବ୍ୟବହାର ଉପରେ କଟକଣା ଜାରି ହୋଇଛି ।

ସର୍ବସାଧାରଣଙ୍କ ସ୍ବାସ୍ଥ୍ୟ ଓ ପରିବେଶକୁ ଦୃଷ୍ଟିରେ ରଖି ପାର୍ବଣ ଋତୁ ଓ ଦୀପାବଳି ଉତ୍ସବରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । କୌଣସି ପରିସ୍ଥିତିରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର କିମ୍ବା ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ସଙ୍ଗୀତ ଯନ୍ତ୍ରାଂଶ, ଶବ୍ଦ ବର୍ଦ୍ଧକ ବ୍ୟବହାର, ଉଚ୍ଚ ଶଦ୍ଦ ସୃଷ୍ଟି କରୁଥିବା ଆତସବାଜି ବ୍ୟବହାରକୁ ନିଷିଦ୍ଧ କରାଯାଇଛି ।  ସରକାରଙ୍କ ଦ୍ବାରା ଘୋଷିତ ନିରବ ଅଞ୍ଚଳ ଯଥା ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳ ଆଦିର ୧୦୦ ମିଟର ପରିସୀମା ମଧ୍ୟରେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ନିଷିଦ୍ଧ । କେବଳ ଖୋଲା ସ୍ଥାନରେ ବାଣ ଫୁଟାଯାଇପାରିବ ।

୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହୋଇଛି । ଉପରୋକ୍ତ ନିୟମର ଖିଲାପ ହେଲେ ଓଡ଼ିଶା ଆତସବାଜି ଓ ଡାକବାଜି ଯନ୍ତ୍ର ପ୍ରାବଧାନ ଆଇନ ୧୯୫୮ ଓ ଶବ୍ଦ ପ୍ରଦୂଷଣ ନିୟମ ୨୦୦୦ ଅନୁଯାୟୀ ଦଣ୍ଡନୀୟ । ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପ ଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନିକଟରେ ଯେକୌଣସି ଅଭିଯୋଗ କରାଯାଇପାରିବ । ଦୀପାବଳି ଉତ୍ସବକୁ ପ୍ରଦୂଷଣମୁକ୍ତ ତଥା ସୁରକ୍ଷିତ ଭାବେ ପାଳନ କରିବାକୁ ବୋର୍ଡର ସଦସ୍ୟ ସଚିବ ଅନୁରୋଧ କରିଛନ୍ତି ।